ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଯୁବ ପ୍ରାରମ୍ଭିକ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ୍‌ ଆଇସିସି ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଦୌଡ଼ରେ ରହିଛନ୍ତି। ଆଇସିସି ପକ୍ଷରୁ ବୁଧବାର ହୋଇଥିବା ଘୋଷଣା ଅନୁସାରେ ଏହି ଦୌଡ଼ରେ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଟ୍‌ଜି, ଶ୍ରୀଲଙ୍କାର ଦିଲସାନ ମଧୁଶଙ୍କା ଓ ନ୍ୟୁଜିଲାଣ୍ଡର ରାଚିନ୍‌ ରବୀନ୍ଦ୍ର ରହିଛନ୍ତି। ସେହିପରି ଉଦୀୟମାନ ମହିଳା ଖେଳାଳିଙ୍କ ଦୌଡ଼ରେ ବାଂଲାଦେଶର ମାରୁଫା ଅକତର, ଇଂଲଣ୍ଡର ଲାଉରେନ୍‌ ବେଲ୍‌, ସ୍କଟ୍‌ଲ୍ୟାଣ୍ଡର ଡାର୍ସି କାର୍ଟର, ଅଷ୍ଟ୍ରେଲିଆର ଫୋଏବ ଲିଚ୍‌ଫିଲ୍ଡ ରହିଛନ୍ତି। ‌

Advertisment

ଅନ୍ୟପକ୍ଷରେ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଖେଳାଳି ଦୌଡ଼ରେ ଗତଥରର ବିଜେତା ସୂର୍ଯ୍ୟକୁମାର ଯାଦବ ଏଥର ପୁଣି ଆଶାୟୀଙ୍କ ଦୌଡ଼ରେ ସାମିଲ ହୋଇଛନ୍ତି। ତାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ୍‌, ଉଗାଣ୍ଡାର ଅଳ୍ପେଶ ରାମଜାନୀ, ଜିମ୍ବାୱେର ସିକନ୍ଦର ରାଜା ଏହି ଦୌଡ଼ରେ ଅଛନ୍ତି। ଏହି ବିଭାଗର ମହିଳା ବର୍ଗରେ ଶ୍ରୀଲଙ୍କାର ଚାମାରି ଆଟାପଟ୍ଟୁ, ଇଂଲଣ୍ଡର ସୋଫି ଏସ୍ଲେଷ୍ଟୋନ୍‌, ୱେଷ୍ଟଇଣ୍ଡିଜ୍‌ର ହେଲି ମାଥ୍ୟୁସ୍‌, ଅଷ୍ଟ୍ରେଲିଆର ଏଲିସି ପେରି ଆଶାୟୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ଜୟସ୍ବାଲ୍‌ ପଦାର୍ପଣ ଟେଷ୍ଟ୍‌ରେ ଶତକ ଅର୍ଜନ କରିବା ସହ ୩ ମ୍ୟାଚ୍‌ରୁ ୨୮୮ ରନ୍‌ ସଂଗ୍ରହ କରିଥିଲେ। ଏଥିସହ ୨୦୨୩ରେ ସେ ୧୫ ଟେଷ୍ଟ୍‌-୨୦ ଖେଳିଥିଲା ବେଳେ ୪୩୦ ରନ୍‌ କରିଥିଲେ। ସେହିପରି ସୂର୍ଯ୍ୟକୁମାର ୨୦୨୩ ରେ ୧୮ ମ୍ୟାଚ୍‌ ଖେଳିଛନ୍ତି। ସେଥିରୁ ୫୯୫ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଦୁଇଟି ଶତକ ମଧ୍ୟ ସାମିଲ ରହିଛି।