ପର୍ଥ: ଯଶସ୍ବୀ ଜୟସ୍ବାଲ (୧୬୧) ଓ ବିରାଟ କୋହଲି (୧୦୦*)ଙ୍କ ଶତକ ପରେ ଯଶପ୍ରୀତ ବୁମ୍ରାଙ୍କ ପୁଣି ଏକ ବିସ୍ଫୋରଣ କାରଣରୁ ଭାରତ ପର୍ଥ ଟେଷ୍ଟ୍ରେ ବଡ଼ ବିଜୟ ମୁହାଁ ହୋଇଛି। ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ୫୩୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଘରୋଇ ଦଳ ତୃତୀୟ ଦିନ ଶେଷ ସୁଦ୍ଧା ମାତ୍ର ୧୨ ରନ୍ ସଂଗ୍ରହ କରି ୩ ୱିକେଟ୍ ହରାଇ ଦେଇଛି। ବୁମ୍ରା ଯୁଗଳ ଝଟ୍କା ଦେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ଦଖଲ କରି ଭାରତକୁ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୧-୦ରେ ଅଗୁଆ ହେବାକୁ ମୂଳଦୁଆ ପକାଇଛନ୍ତି। ରବିବାର ଭାରତୀୟ ଦଳ ୧୭୨/୦ରୁ ଖେଳିବା ପରେ ଜୟସ୍ବାଲ ଓ ରାହୁଲ ପ୍ରଥମ ଭାରତୀୟ ଯୋଡ଼ି ଭାବେ ଅଷ୍ଟ୍ରେଲିଆ ମାଟିରେ ଦ୍ବିଶତକ (୨୦୧) ଭାଗୀଦାରି କରିଥିଲେ। ରାହୁଲ ପୂର୍ବଦିନର ବ୍ୟକ୍ତିଗତ ସ୍କୋର୍ରେ ମାତ୍ର ୧୫ ରନ୍ ଯୋଡ଼ିଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବୋଲିଂରେ ୱିକେଟ୍ରକ୍ଷକ ଆଲେକ୍ସ କ୍ୟାରିଙ୍କ ଗ୍ଲୋଭ୍ସରେ ଧରାପଡ଼ିଯାଇଥିଲେ। ଏହା ପୂର୍ବରୁ ଅବଶ୍ୟ ନିଜ ଅଷ୍ଟ୍ରେଲିଆ ପଦାର୍ପଣରେ ପ୍ରଥମ ଶତକ ହାସଲ କରି ନେଇଥିଲେ ଜୟସ୍ବାଲ। ହାଜଲେଉଡ୍ଙ୍କୁ ସ୍ଲିପ୍ ଉପରେ ଖେଳିଥିବା ରାମ୍ପ୍ ସଟ୍ ଫାଇନ୍ ଲେଗ୍ ଉପରେ ଛକା ହୋଇଥିଲା। ଜୟସ୍ବାଲଙ୍କର ଏହା ଚତୁର୍ଥ ଟେଷ୍ଟ୍ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍ରେ ପ୍ରଥମ ତିନି ଅଙ୍କ ସ୍କୋର୍। ଅଳ୍ପଦିନର ଟେଷ୍ଟ୍ ଜୀବନରେ ବଡ଼ ବଡ଼ କୀର୍ତ୍ତିମାନ କରୁଥିବା ଜୟସ୍ବାଲ ଏହାକୁ ପୁଣି ଥରେ ୧୫୦+ରେ ପରିଣତ କରିଥିଲେ।
ମିଚେଲ୍ ମାର୍ସଙ୍କୁ ସ୍କୋୟାର୍ କଟ୍ ଖେଳିଥିବା ବେଳେ ପଏଣ୍ଟ୍ ଅଞ୍ଚଳରେ ସ୍ମିଥ୍ କ୍ୟାଚ୍ କାବୁ କରି ଜୟସ୍ବାଲଙ୍କ ଯଶସ୍ବୀ ପାଳି ଶେଷ କରିଥିଲେ। ୨୯୭ ବଲ୍ ଖେଳି ଜୟସ୍ବାଲ ୧୬୧ ରନ୍ କରିଥିବା ବେଳେ ଏହା ଭିତରେ ୧୫ ଚୌକା ଓ ୩ ଛକା ସାମିଲ ଥିଲା। ଏହା ପୂର୍ବରୁ ଦେବଦତ୍ତ ପଡ଼ିକଲ (୭୧ ବଲ୍ରୁ ୨୫ ରନ୍) ଢେର କିଛି ସମୟ ଲଢ଼ି ଜୟସ୍ବାଲଙ୍କ ସହ ୭୪ ରନ୍ ଭାଗୀଦାରି କରିଥିଲେ। ଅପରାହ୍ଣରେ କିନ୍ତୁ କୋହଲିଙ୍କ ରନ୍ ମରୁଡ଼ିର ଅନ୍ତ ଘଟିଥିଲା। ପ୍ରାୟ ୫୦୦ ଦିନ ପରେ ତାଙ୍କ ବ୍ୟାଟ୍ରୁ ଶତକ ଆସିଥିଲା। ପ୍ରଥମରୁ ସତର୍କତାର ସହ ଖେଳିବା ପରେ ବେଶ୍ ଆରାମରେ ଅଷ୍ଟ୍ରେଲୀୟ ବୋଲରଙ୍କୁ ଜବାବ ଦେଇଥିଲେ। ଅର୍ଦ୍ଧଶତକ ପାଇଁ ୯୪ ରନ୍ ଖେଳିଥିଲେ ମଧ୍ୟ ପରବର୍ତ୍ତୀ ୫୦ ବଲ୍ ପାଇଁ ୪୯ ବଲ୍ ଖେଳିଥିଲେ। ୧୪୩ ବଲ୍ ପାଳିରେ ୮ ଚୌକା ଓ ୨ ଛକା ବି ସାମିଲ ଥିଲା। ପାଳି ଘୋଷଣା ପାଖେଇ ଆସିବାରୁ ଶେଷ ୨୦ ବଲ୍ରୁ ୩୦ ରନ୍ ସଂଗ୍ରହ କରିଥିଲେ। ମାର୍ନସ୍ ଲବୁସେନଙ୍କ ବୋଲିଂରେ ବଲ୍କୁ ଡିପ୍ ଫାଇନ୍ ଲେଗ୍କୁ ପଠାଇ ବହୁ ପ୍ରତୀକ୍ଷିତ ଶତକ ହାସଲ କରିଥିଲେ। ଟେଷ୍ଟ୍ କ୍ରିକେଟ୍ରେ ଏହା ତାଙ୍କ ୩୦ତମ। ଶେଷ ଥର ପାଇଁ କୋହଲି ୨୦୨୩ ଜୁଲାଇ ମାସରେ ଶତକ ମାରିଥିଲେ। କୋହଲିଙ୍କ ଶତକ ହାସଲ ସହିତ ବୁମ୍ରା ପାଳି ଘୋଷଣା କରିଥିଲେ। କୋହଲିଙ୍କ ସହ ମିଶି ୫୨ ବଲ୍ରୁ ୭୭ ରନ୍ ଭାଗୀଦାରି ଗଢ଼ିଥିଲେ। ଏଥିରେ ନୀତୀଶ ରେଡ୍ଡୀ ୨୭ ବଲ୍ରୁ ୩୮* ରନ୍ (୩ ଚୌକା, ୨ ଛକା) ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୫୦ (ନୀତୀଶ କୁମାର ରେଡ୍ଡୀ-୪୧, ଋଷଭ ପନ୍ତ-୩୭, ଜୋସ୍ ହାଜଲେଉଡ୍-୪/୨୯, ମିଚେଲ ମାର୍ସ-୨/୧୨, ମିଚେଲ ଷ୍ଟାର୍କ-୨/୧୪, ପାଟ୍ କମିନ୍ସ-୨/୬୭)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୦୪ (ମିଚେଲ ଷ୍ଟାର୍କ-୨୬, ଯଶପ୍ରୀତ୍ ବୁମ୍ରା-୫/୩୦, ହର୍ଷିତ ରାଣା-୩/୪୮, ମହମ୍ମଦ ସିରାଜ-୨/୨୦)। ଭାରତ ଦ୍ବିତୀୟ ପାଳି: ୧୩୪.୩ ଓଭରରେ ୪୮୭/୬, ଘୋଷଣା (ଯଶସ୍ବୀ ଜୟସ୍ବାଲ-୧୬୧, ବିରାଟ କୋହଲି-୧୦୦*, କେଏଲ୍ ରାହୁଲ୍-୭୭, ନୀତୀଶ କୁମାର ରେଡ୍ଡୀ-୩୮*, ୱାସିଂଟନ୍ ସୁନ୍ଦର-୨୯, ଅତିରିକ୍ତ-୫୫, ନାଥନ୍ ଲାୟନ-୨/୯୬, ଜୋସ ହାଜଲେଉଡ୍-୧/୨୮, ମିଚେଲ୍ ମାର୍ସ-୧/୬୫, ପ୍ୟାଟ୍ କମିନ୍ସ-୧/୮୬, ମିଚେଲ୍ ଷ୍ଟାର୍କ-୧/୧୧୧)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି (ଲକ୍ଷ୍ୟ ୫୩୪): ୪.୨ ଓଭରରେ ୧୨/୩ (ଉସମାନ ଖୱାଜା-୩*, ମାର୍ନସ ଲାବୁସେନ୍-୩, ଯଶପ୍ରୀତ୍ ବୁମରା-୨/୧, ମହମ୍ମଦ ସିରାଜ-୧/୭)।
ନୂଆଦିଲ୍ଲୀ: ପର୍ଥରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ରେ ଯଶ୍ପ୍ରୀତ ବୁମ୍ରାଙ୍କ ପ୍ରଦର୍ଶନ ଓ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଭାରତୀୟ କିଂବଦନ୍ତି କପିଳ ଦେବ। ବୁମ୍ରାଙ୍କ ୫/୩୦ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ୧୦୪ରେ ଅଲ୍ଆଉଟ୍ ହେବା ସହ ଭାରତ ପ୍ରଥମ ପାଳିରେ ୪୬ ରନ୍ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ନେଇଥିଲା। ବୁମ୍ରାଙ୍କ ଏହା ଏକାଦଶତମ ୫ ୱିକେଟ୍ ୱିକେଟ୍ ସଫଳତା ଏବଂ ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ଦେଶ ବିପକ୍ଷରେ ସପ୍ତମ। ସେନା ଦେଶରେ ୭ ଥର ୫ ୱିକେଟ୍ ସଫଳତା ପାଇବାରେ ସେ କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି। ଏହି ସଫଳତାକୁ କପିଳ ପ୍ରଶଂସା କରି କହିଛନ୍ତି, ‘‘ବହୁତ କମ୍ ବୋଲର ଅଧିନାୟକ ନିଯୁକ୍ତ ହୁଅନ୍ତି। ବୁମ୍ରା ଚମତ୍କାର ନେତୃତ୍ବ ନେଇଛନ୍ତି। ତେଣୁ ସ୍ବତନ୍ତ୍ର ଭାବେ ବୁମ୍ରାଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କୁ ନେଇ ମୋର କିଛି କହିବାର ନାହିଁ। ତାଙ୍କ କୀର୍ତ୍ତିମାନ ସବୁ କହି ଦେଉଛି। ସେ ବିଶ୍ବର ଶ୍ରେଷ୍ଠ ବୋଲର। ଆମକୁ ଆଉ କ’ଣ ଆବଶ୍ୟକ। ଏହା ପୂର୍ବରୁ ମୁଁ କେବେ ଭାରତରେ ଦ୍ରୁତ ବୋଲରଙ୍କ ଉପରେ ଏତେ ଆଲୋଚନା ଦେଖିନି। କିନ୍ତୁ ଏବେ ଏହା ହେଉଛି। ଏହା ଦେଖି ମୁଁ ବହୁତ ଖୁସି ଏବଂ ଗର୍ବିତ। ଦଳ ଭଲ ଖେଳୁଛି। ପ୍ରଥମ ଟେଷ୍ଟ୍ ଜିତିବା ଦରକାର। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଖରାପ ପ୍ରଦର୍ଶନ ବେଳେ ମୁଁ ରାଗି ଯାଇଥିଲି। ଏବେ ପରିବର୍ତ୍ତନ ହେଇଛି। ଦଳ ଭଲ ପ୍ରତ୍ୟାବର୍ତ୍ତନ କଲା। ଏହା ଦଳଗତ ଖେଳ। ସମସ୍ତେ ପ୍ରଶଂସାର ପାତ୍ର। ଆଜି ଜଣେ ଭଲ କଲା, କାଲି ଆଉ ଜଣେ, ଅନ୍ୟ ଦିନ ଆଉ ଜଣେ ଭଲ କରିବ। ଭାରତୀୟ ଦଳ ଚମତ୍କାର ଖେଳିଲା’’।