ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ୍‌ର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଦୁଇ ଅଧିବେଶନ‌ରେ ମାତ୍ର ୧୫୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିବା ଭାରତ ପରବର୍ତ୍ତୀ ୪ ଅଧିବେଶନ‌ରେ ଆଧିପତ୍ୟ ବିସ୍ତାର କରିଛି। ଅଧିନାୟକ ଯଶପ୍ରୀତ୍ ବୁମରାଙ୍କ ଘାତକ ୫ ୱିକେଟ୍ ସଫଳତା ପରେ ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ୍‌ ଅତୁଟ ପ୍ରଥମ ୱିକେଟ୍‌ରେ ୧୭୨ ରନ୍ ସଂଗ୍ରହ କରିନେବାରୁ ଭାରତକୁ ଦ୍ବିତୀୟ ଦିନ ସୁଦ୍ଧା ୨୧୮ ରନ୍ ଅଗ୍ରଣୀ ମିଳିଯାଇଛି। ଫଳରେ ପ୍ରଥମ ଦିନ ସକାଳ ଗଭୀର ସଙ୍କଟରେ ପଡ଼ି ସମାଲୋଚିତ ହୋଇଥିବା ଭାରତ ଏବେ ଅପ୍‌ଟସ୍ ଷ୍ଟାଡିୟମ୍‌ର ଡ୍ରାଇଭର୍ ସିଟ୍‌ରେ ବସିଯାଇଛି।

Advertisment

ପର୍ଥର ସବୁଜ ଘାସୁଆ ପିଚ୍‌ କିନ୍ତୁ ଗୋଟିଏ ଦିନରେ ଧୂସର ରଙ୍ଗରେ ପରିଣତ ହୋଇଛି। ପେସ୍‌ କମିଯାଇଛି, କେବଳ ବଲ ପଡ଼ିବା ପରେ ସିମ୍‌ ଗତିଶୀଳ ହେଉଛି। ଜୟସ୍ବାଲ ଓ ରାହୁଲ କିନ୍ତୁ ଘରୋଇ ଦଳର ବୋଲିଂ ବାହିନୀକୁ ପ୍ରତିହତ କରିବାକୁ ସବୁ ପ୍ରକାର ସଂଯମତା, ଧୈର୍ଯ୍ୟ ‌ଦେଖାଇ ରକ୍ଷଣାତ୍ମକ ଓ ଆକ୍ରମଣାତ୍ମକ ସଟ୍ ଖେଳିଛନ୍ତି। ସମ୍ପୂର୍ଣ୍ଣ ଦ୍ବିତୀୟ ଦିନରେ ଯଶପ୍ରୀତ୍ ବୁମରାଙ୍କ ଦଳ ପ୍ରାଧାନ୍ୟ ବିସ୍ତାର କରିବାରୁ ଭାରତୀୟ ପ୍ରଶଂସକ ବି ବଡ଼ ଆଶ୍ବସ୍ତି ଲାଭ କରିଛନ୍ତି। ଶନିବାର ସକାଳେ ଅଷ୍ଟ୍ରେଲିଆ ୬୭/୭ରୁ ଖେଳିବା ପରେ ଭାରତକୁ ଶେଷ ୩ ୱିକେଟ୍‌ ଦଖଲ ପାଇଁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ୱିକେଟ୍‌ରକ୍ଷକ ବ୍ୟାଟର୍ ଆଲେକ୍ସ କ୍ୟାରିଙ୍କୁ ସକାଳେ ନିଜ ପ୍ରଥମ ବଲ୍‌ରେ ବୁମରା୍‌ କଟ୍ ବିହାଇଣ୍ଡ୍ କରାଇବା ସହ ପର୍ଥରେ ପ୍ରଥମ ୫ ୱିକେଟ୍‌ ସଫଳତା ପାଇଥିଲେ। ଏହା ପରେ ନାଥନ୍ ଲାୟନ (୫)ଙ୍କୁ ନବାଗତ ହର୍ଷିତ ରାଣା ଦ୍ବିତୀୟ ଶିକାର କରିବାରୁ ଅଷ୍ଟ୍ରେଲିଆ ୮୯/୯ରେ ସଂଘର୍ଷ କରିଥିଲା। କିନ୍ତୁ ଶେଷ ୱିକେଟ୍‌ ପାଇଁ ଭାରତୀୟ ବୋଲରଙ୍କୁ ୧୮ ଓଭର ପର୍ଯ୍ୟନ୍ତ ଲଢ଼ିବାକୁ ପଡ଼ିଥିଲା। ବୁମରା, ସିରାଜ, ହର୍ଷିତ, ନୀତୀଶ ଓ ୱାସିଂଟନ୍‌ ଆକ୍ରମଣରେ ଲାଗିଥିଲେ ମଧ୍ୟ ଏହି ଯୋଡ଼ି ଅଲଗା ହେବାର ନାମ ଧରୁ ନଥିଲ‌ା। ଚତୁରତାର ସହ ବ୍ୟାଟିଂ କରି ୧୧୨ ବଲ୍‌ ସମ୍ମୁଖୀନ ହୋଇଥିବା ମିଚେଲ୍ ଷ୍ଟାର୍କ ୨୬ ରନ୍ କରିଥିବାବେଳେ ହର୍ଷିତ ରାଣାଙ୍କୁ ବଡ଼ ସଟ୍‌ ଖେଳିବାକୁ ଯାଇ ଆକାଶଚୁମ୍ବି କ୍ୟାଚ୍‌ ଦେବାରୁ ୱିକେଟ୍‌ ପାର୍ଶ୍ବରେ କ୍ୟାଚ୍‌ ନେଇଯାଇଥିଲେ ଋଷଭ ପନ୍ତ। ଏଥି ସହିତ ପଦାର୍ପଣରେ ୩/୪୮ ବୋଲିଂ ଚିତ୍ର ସହ ଭାରତକୁ ୪୬ ରନ୍‌ର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ।

ପ୍ରଥମ ଦିନ ୧୭ ୱିକେଟ୍ ପତନ ଘଟିଥିବାବେଳେ ଦ୍ବିତୀୟ ଦିନରେ ମାତ୍ର ୩ ୱିକେଟ୍‌ ପଡ଼ିବା ପିଚ୍‌ର ଚରିତ୍ର ପରବର୍ତନର ଆଭାସ ବି ଦେଇଛି। ଶନିବାର ବି ଜୟସ୍ବାଲ ପ୍ରଥମ ପାଳିରେ ଶୂନ ଦୁଃଖକୁ ପଛରେ ପକାଇବାରେ ସକ୍ଷମ ହୋଇଛନ୍ତି। ନିଜ ସଂକ୍ଷିପ୍ତ ଟେଷ୍ଟ୍ କ୍ୟାରିୟରରେ ଜୟସ୍ବାଲ ମନ୍ଥରତମ (୧୨୩ ବଲ୍‌) ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ବି ଅର୍ଦ୍ଧଶତକ ହାସଲ ପାଇଁ ୧୨୪ ବଲ୍ ଖେଳିଛନ୍ତି। ଉଭୟ ଶତକୀୟ ଭାଗୀଦାରି କରିବା ପରେ ଭାରତର ଦ୍ବିତୀୟ ପାଳି ସ୍କୋର୍ ଉଭୟ ଦଳର ପ୍ରଥମ ପାଳି (୧୫୦ ଓ ୧୦୪)କୁ ଟପିଯାଇଛି। ଜୟସ୍ବାଲଙ୍କ କିଛି ସଟ୍‌ ଶନିବାର ଚର୍ଚ୍ଚାରେ ବି ରହିଥିଲା। କମିନ୍ସଙ୍କୁ ସ୍ଲିପ୍ ଉପରେ ଅପର୍‌କଟ୍‌ ଏବଂ ଷ୍ଟାର୍କଙ୍କୁ ଡିପ୍ ସ୍କୋୟାର ଲେଗ୍ ଉପରେ ଖେଳିବା ଉପସ୍ଥିତ ୩୨,୩୬୮ ଦର୍ଶକଙ୍କୁ ମନୋରଂଜନ ଯୋଗାଇଥିଲା। ଶେଷ ଆଡକୁ ନାଥନ୍ ଲାୟନଙ୍କୁ ଲଙ୍ଗ୍ ଅନ୍‌ ଉପରେ ଛକା ମାରିବା ବି ଅନ୍ୟତମ ଆକର୍ଷଣ ରହିଥିଲା। ଷ୍ଟମ୍ପ୍ସ ବେଳକୁ ଜୟସ୍ବାଲ ୧୯୩ ବଲ୍‌ରୁ ୯୦* (୭ ଚୌକା, ୨ ଛକା) ଏବଂ ରାହୁଲ ୧୫୩ ବଲ୍‌ରୁ ୬୨* ରନ୍ (୪ ଚୌକା) କରି ଅପରାଜିତ ଅଛନ୍ତି। ଉଭୟ ପ୍ରଥମ ଭାରତୀୟ ଓପନିଂ ଯୋଡ଼ି ଭାବେ ବିଗତ ଦୁଇ ଦଶନ୍ଧିରେ ଅଷ୍ଟ୍ରେଲିଆରେ ଶତକୀୟ ଭାଗୀଦାରି କରି ଅର୍ଦ୍ଧଶତକ ଅର୍ଜିଛନ୍ତି।

କପିଳ ଦେବଙ୍କ ସମକକ୍ଷ ହେଲେ ବୁମ୍‌ରା
ଭାରତୀୟ ଦଳର କାମଚଳା ଅଧିନାୟକ ଯଶପ୍ରୀତ୍ ବୁମ୍‌ରା ଶନିବାର ତାଙ୍କ ଟେଷ୍ଟ୍ କ୍ରିକେଟ୍ ଜୀବନର ୧୧ତମ ୫ ୱିକେଟ୍ ସଫଳତା ପାଇବା ଅବସରରେ ଏକାଧିକ ରେକର୍ଡ କରିଛନ୍ତି। ଏସିଆ ବାହାରେ ନବମ ଥର ୫ ୱିକେଟ୍ ସଫଳତା ପାଇବାରେ ସେ କିଂବଦନ୍ତି କ୍ରିକେଟର୍ କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ବୁମରାଙ୍କ ଦ୍ବିତୀୟ ୫ ୱିକେଟ୍ ସଫଳତା। ଇଂଲଣ୍ଡ ଓ ୱେ‌ଷ୍ଟଇଣ୍ଡିଜ୍ ବିପକ୍ଷରେ ୨ ଥର ଲେଖାଏଁ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି ବୁମରା। ବୁମରାଙ୍କ ୫/୩୦ ବୋଲିଂ ଚିତ୍ର କପିଳ ଦେବଙ୍କ ୮/୧୦୬ (ଆଡିଲେଡ୍‌, ୧୯୮୫) ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଶ୍ରେଷ୍ଠ। ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ବୁମରା ମେଲ୍‌ବର୍ଣ୍ଣରେ ତାଙ୍କ ୫ ୱିକେଟ୍ ସଫଳତା ଅର୍ଜନ କରିବା ଅନିଲ କୁମ୍ବଲେଙ୍କ ପରେ ପ୍ରଥମ ଥିଲା। ବୁମରା ମଧ୍ୟ ଶନିବାର ଭାରତୀୟ ଅଧିନାୟକ ଭାବେ ପ୍ରଥମ ୫ ୱିକେଟ୍ ସଫଳତା ପାଇବା ସହିତ ଗୋଟିଏ ସଂସ୍କରଣ ଡବ୍‌ଲ୍ୟୁଟିସି (ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌)ରେ ୫୦ ୱିକେଟ୍‌ ପୂର୍ଣ୍ଣ କରିଥିଲେ।ଅଷ୍ଟ୍ରେଲିଆର ଦ୍ବିତୀୟ ସର୍ବନିମ୍ନ ଘରୋଇ ସ୍କୋର୍‌ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନ୍‌ରେ ଅଲ୍ ଆଉଟ୍ ହୋଇଯିବା ପରେ ଭାରତ ବିପକ୍ଷରେ ଘରୋଇ ମାଟିରେ ଦ୍ବିତୀୟ ସର୍ବନିମ୍ନ ସ୍କୋର୍‌ ପାଇଛି। ୧୯୮୧ରେ ଭାରତୀୟ ବୋଲର୍‌ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆକୁ ୮୩ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲେ।  ସେହିଭଳି ୧୫୦ରୁ କମ୍‌ ସ୍କୋର୍‌ କରି ପ୍ରଥମ ପାଳିରେ ୪୬ ରନ୍ ଅଗ୍ରଣୀ ନେବା ପଞ୍ଚମ ସର୍ବୋଚ୍ଚ। ୧୮୮୮ରେ ସିଡନି ଟେଷ୍ଟ୍‌ରେ ଇଂଲଣ୍ଡ ୧୧୩ ରନ୍ କରିଥିଲେ ମଧ୍ୟ ୭୧ ରନ୍ ଅଗ୍ରଣୀ ନେଇଥିଲା। ଭାରତ ପାଇଁ ପୁରୁଷ ଟେଷ୍ଟ୍‌ରେ ଏହା ଦ୍ବିତୀୟ ଉଦାହରଣ। ୨୦୦୨ ହାମିଲଟନ୍‌ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ମାତ୍ର ୯୯ ରନ୍ କରିବା ପରେ ୫ ରନ୍ ଅଗ୍ରଣୀ ନେଇଥିଲା। ସେହିଭଳି ୧୯୩୬ ମସିହାର ଲର୍ଡସ ଟେ‌ଷ୍ଟ୍‌ରେ ୧୪୭ ରନ୍ କରି ଇଂଲଣ୍ଡଠାରୁ ୧୩ ରନ୍ ଅଗ୍ରଣୀ ପାଇଥିଲା।

ମ୍ୟାକଲମଙ୍କ ବିଶ୍ବ ରେକର୍ଡ ଭାଙ୍ଗିଲେ ଜୟସ୍ବାଲ
ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ଛକା ମାରିବାରେ ଭାରତୀୟ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ୨୦୨୪ ମସିହାରେ ଜୟସ୍ବାଲ ମୋଟ ୩୪ ଛକା ମାରିସାରିଛନ୍ତି। ପୂର୍ବରୁ ଏହି ବିଶ୍ବ ରେକର୍ଡ ନ୍ୟୁଜିଲାଣ୍ଡ୍‌ର ବ୍ରେଣ୍ଡନ୍ ମ୍ୟାକଲମଙ୍କ (୩୩ ଛକା) ନାମରେ ଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୪୯.୪ ଓଭରରେ ୧୫୦/୧୦ (ନୀତୀଶ କୁମାର ରେଡ୍ଡୀ-୪୧, ଋଷଭ ପନ୍ତ-୩୭, କେଏଲ୍‌ ରାହୁଲ-୨୬, ଜୋସ୍‌ ହାଜଲଉଡ୍‌-୪/୨୯, ମିଚେଲ ମାର୍ସ-୨/୧୨, ମିଚେଲ ଷ୍ଟାର୍କ-୨/୧୪, ପାଟ୍‌ କମିନ୍ସ-୨/୬୭)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୫୧.୨ ଓଭରରେ ୧୦୪/୧୦ (ମିଚେଲ ଷ୍ଟାର୍କ-୨୬, ଆଲେକ୍ସ କ୍ୟାରି-୨୧, ଯଶପ୍ରୀତ୍‌ ବୁମ୍‌ରା-୫/୩୦, ହର୍ଷିତ ରାଣା-୩/୪୮, ମହମ୍ମଦ ସିରାଜ-୨/୨୦)। ଭାରତ ଦ୍ବିତୀୟ ପାଳି: ୫୭ ଓଭରରେ ୧୭୨/୦ (ଯଶସ୍ବୀ ଜୟସ୍ବାଲ-୯୦*, କେଏଲ୍ ରାହୁଲ୍‌-୬୨*, ମିଚେଲ୍ ଷ୍ଟାର୍କ-୦/୪୩, ପ୍ୟାଟ୍ କମିନ୍ସ-୦/୪୪)।