ଭୁବନେଶ୍ବର : ସମୟ ଥିଲା ନବାଗତ ଖେଳାଳିମାନେ ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜକୁ ପ୍ରତିଷ୍ଠିତ କରିବାକୁ କିଛି ସମୟ ନେଉଥିଲେ। ଏବେ କିନ୍ତୁ ଆଉ ସମୟ ନେବାକୁ ବେଳ ନାହିଁ କି ଦ୍ବିତୀୟ ସୁଯୋଗ ଯାଏ ଅପେକ୍ଷା କରିବାର ରିସ୍କ ନେବାକୁ ଖେଳାଳି ଚାହୁଁନାହାନ୍ତି। ଏଥି ପାଇଁ ଆଇପିଏଲ୍କୁ ଧନ୍ୟଦାବ ଦେବାକୁ ପଡ଼ିବ, ଭାରତର ଦୃଢ଼ ଘରୋଇ କ୍ରିକେଟ୍ ବ୍ୟବସ୍ଥା ସହିତ ଭାରତ ‘ଏ’ ଗସ୍ତ ଏବଂ ଡ୍ରେସିଂ ରୁମ୍ରେ ବଂଧୁତ୍ବପୂର୍ଣ୍ଣ ବାତାବରଣ ଓ ବରିଷ୍ଠଙ୍କ ସମର୍ଥନ କାରଣରୁ ପୂର୍ବ ଧାରାରେ ବୈପ୍ଲବିକ ପରିବର୍ତନ ଘଟିଛି। ବିଗତ ୪ ମାସ ମଧ୍ୟରେ ଏଭଳି ୧୦ ଜଣ ଭାରତୀୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିଛନ୍ତି ଏବଂ ପଦାର୍ପଣରୁ ହିଁ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି। ଆସନ୍ତୁ ଏହି ୧୦ ଜଣଙ୍କ ଉପରେ ନଜର ପକାଇନେବା।
ଟି ନଟରାଜନ (ସମସ୍ତ ୩ ଫର୍ମାଟ୍)
ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିବା ପରେ ଥାଙ୍ଗାରାଜୁ ନଟରାଜନ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ଜଣେ ନେଟ୍ ବୋଲର୍ ଭାବେ। କିନ୍ତୁ ତାଙ୍କ ଭାଗ୍ୟରେ ବଡ଼ ପରିବର୍ତନ ଘଟିଥିଲା, ପ୍ରଥମ ଭାରତୀୟ ଭାବେ ଏହି ଗସ୍ତରେ ସେ ସମସ୍ତ ଫର୍ମାଟରେ ଅନ୍ତର୍ଜାତୀୟ ପଦାର୍ପଣ କରି ସ୍ବଦେଶ ଫେରିଥିଲେ। ‘ୟର୍କର ନଟରାଜନ’ ନାମରେ ପରିଚିତ ହୋଇଛନ୍ତି ଏହି ବାମହାତୀ ଦ୍ରୁତ ବୋଲର। କାନବେରାରେ ଦିନିକିଆ ପଦାର୍ପଣରେ ୨/୭୦ ଏବଂ ସେହି ସହରରେ ଟ୍ବେଣ୍ଟି-୨୦ ପଦାର୍ପଣରେ ୩/୩୦ ପ୍ରଦର୍ଶନ ପରେ ବ୍ରିସବନ୍ ଟେଷ୍ଟ୍ରେ ପ୍ରଥମ ଥର ଖେଳି ପ୍ରଥମ ପାଳିରେ ୩/୭୮ ବୋଲିଂ ଚିତ୍ର ପାଇଥିଲେ।
ଶୁଭମନ ଗିଲ୍ (ଟେଷ୍ଟ୍ ପଦାର୍ପଣରେ ୪୫ ଓ ୩୫*)
ଫର୍ମକୁ ନେଇ ପୃଥ୍ବୀ ସ’ ସଂଘର୍ଷ କରିବା ପରେ ତାଙ୍କ ବଦଳରେ ଟେଷ୍ଟ୍ ପଦାର୍ପଣର ସୁଯୋଗ ପାଇଥିଲେ ଶୁଭମନ ଗିଲ୍। ମେଲବର୍ଣ୍ଣରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ଉଭୟ ପାଳିରେ ଗିଲ୍ ନିଜ ବ୍ୟାକ୍ଫୁଟ୍ ଖେଳ ଓ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାର ଦକ୍ଷତା ଦେଖାଇ ଆଶ୍ବସ୍ତ କରିଥିଲେ ଚୟନକର୍ତାଙ୍କୁ। ବ୍ରିସବେନ୍ର ଗାବାରେ ଖେଳାଯାଇଥିବା ଶେଷ ଟେଷ୍ଟ୍ର ଦ୍ବିତୀୟ ପାଳିରେ ୯୧ ରନ୍ କରି ଭାରତର ଆଉ ଏକ ଐତିହାସିକ ବିଜୟ ପାଇଁ ମୂଳଦୁଆ ପକାଇଥିଲେ।
ମହମ୍ମଦ ସିରାଜ (ଟେଷ୍ଟ୍ ପଦାର୍ପଣରେ ୫/୭୭)
ଆଡିଲେଡ୍ ଟେଷ୍ଟ୍ର ଦ୍ବିତୀୟ ପାଳିରେ ମାତ୍ର ୩୬ ରନ୍ରେ ଅଲ୍ଆଉଟ୍ ହୋଇ ଲଜ୍ଜିତ ହେବା ପରେ ଭାରତ ଶୃଙ୍ଖଳାରେ ୦-୧ରେ ପଛରେ ପଡ଼ିଯାଇଥିଲା। କଟା ଘା’ରେ ଚୂନ ଲାଗିବା ଭଳି ମହମ୍ମଦ ସାମି ଆହତ ହୋଇ ବାଦ୍ ପଡ଼ିଥିଲେ। ସାମିଙ୍କ ବଦଳରେ ମେଲବର୍ଣ୍ଣ ଟେଷ୍ଟରେ ପଦାର୍ପଣ କରିଥିଲେ ମହମ୍ମଦ ସିରାଜ। ଭାରତର ଚମତ୍କାର ବିଜୟରେ ଏହି ହାଇଦ୍ରାବାଦୀ ଦ୍ରୁତ ବୋଲର ଉଭୟ ପାଳିରୁ ନେଇଥିଲେ ୫/୭୭ ବୋଲିଂ ଚିତ୍ର (୨/୪୦ ଓ ୩/୩୭)। ଶୃ୍ଙ୍ଖଳା ଆରମ୍ଭ ପୂର୍ବରୁ ପିତାଙ୍କ ଦେହାନ୍ତ ସତ୍ତ୍ବେ ସ୍ବଦେଶ ଫେରିପାରିନଥିବା ସିରାଜ ଏହି କ୍ଷତିର ଭରଣା କରି ଗାବା ଟେଷ୍ଟ୍ ବିଜୟ ସହ ବଡ଼ ଫରକ ପକାଇଥିଲେ।
ଶାର୍ଦୁଳ ଠାକୁର (ଉଦିତ ଅଲ୍ରାଉଣ୍ଡର୍)
ମହମ୍ମଦ ସାମିଙ୍କ ପରେ ଆର ଅଶ୍ବିନ୍, ଯଶପ୍ରୀତ୍ ବୁମରା ମଧ୍ୟ ବ୍ରିସବେନ୍ ଟେଷ୍ଟ୍ ଖେଳିପାରିନଥିଲେ। ଏହା ମୁମ୍ବାଇ ପେସ୍ ବୋଲର ଶାର୍ଦୁଳ ଠାକୁରଙ୍କ ପାଇଁ ବାଟ ଖୋଲିଥିଲା। ପଦାର୍ପଣ ଟେଷ୍ଟ୍ ନ ହେଲେ ବି ଶାର୍ଦୁଳଙ୍କ ପାଇଁ ଏହା ପ୍ରଥମ ଟେଷ୍ଟ୍ ଭଳି ଥିଲା। କାରଣ ୨୦୧୮ରେ ହାଇଦ୍ରାବାଦରେ ଶାର୍ଦୁଳ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିଲେ ମଧ୍ୟ ମାତ୍ର ୧୦ ବଲ୍ ପରେ ଆହତ ହୋଇ ଖେଳିପାରିନଥିଲେ। ୨ ବର୍ଷ ପରେ ପାଇଥିବା ସୁଯୋଗକୁ କିନ୍ତୁ ଦୁଇ ହାତରେ ମାଡ଼ି ବସିଥିଲେ। ତୁରନ୍ତ ପ୍ରଭାବ ଛାଡ଼ି କେବଳ ବୋଲିଂ ନୁହେଁ ବ୍ୟାଟିଂରେ ବି ନିର୍ଣ୍ଣାୟକ ଭାଗୀଦାରି ଗଢ଼ିଥିଲେ। ବୋଲିଂରେ ଉଭୟ ପାଳିରୁ ୭/୧୫୫ ବୋଲିଂ ଚିତ୍ର (୩/୯୪ ଓ ୪/୬୧) ସହ ବ୍ୟାଟିଂରେ ମୂଲ୍ୟବାନ ୬୭ ରନ୍ କରିବାରୁ ୱାସିଂଟନ୍ ସୁନ୍ଦରଙ୍କ ସହ ୧୨୩ ରନ୍ ଯୋଡ଼ିବା ସମ୍ଭବ ହୋଇଥିଲା।
ୱାସିଂଟନ୍ ସୁନ୍ଦର (ବ୍ରିସ୍ବେନ୍ ବିଜୟର ନାୟକ)
ବ୍ରିସ୍ବେନ୍ ଟେଷ୍ଟ୍ ବିଜୟ ସହ ଭାରତର ଲଗାତାର ଅଷ୍ଟ୍ରେଲିଆ ଦଖଲର ଅନ୍ୟତମ ନାୟକ ଥିଲେ ୱାସିଂଟନ୍ ସୁନ୍ଦର। ଅଫସ୍ପିନର୍ ଆର୍ ଅଶ୍ବିନଙ୍କ ବଦଳରେ ସୁଯୋଗ ପାଇଥିବା ୨୧ ବର୍ଷୀୟ ସୁନ୍ଦର ମଧ୍ୟ ଜଣେ ନେଟ୍ ବୋଲର ଭାବେ ଯାଇ ସୁଯୋଗ ହାତେଇଥିଲେ। ବ୍ରିସବେନ୍ରେ ସୁନ୍ଦର ପଦାର୍ପଣ କରିଥିଲେ। ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥଙ୍କ ଭଳି ବଡ଼ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେଇ ମ୍ୟାଚ୍ରେ ପାଇଥିଲେ ୩/୮୯ ଓ ୧/୧୮୦ ବୋଲିଂ ଚିତ୍ର। ତେବେ ଶାର୍ଦୁଳ ଠାକୁରଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ଯୋଡ଼ିଥିବା ୧୨୩ ରନ୍ ଭାରତ ବିଜୟର ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ବ୍ୟକ୍ତିଗତ ଭାବେ ୬୨ ରନ୍ କରିଥିଲେ। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ୩୨୮ ରନ୍ ବିଜୟ ଲକ୍ଷ୍ୟରେ ପଶ୍ଚାତଧାବନ କରୁଥିବାବେଳେ ସୁନ୍ଦର ୨୯ ବଲରୁ ୨୨ ରନ୍ କରି ସାବାସୀ ପାଇଥିଲେ। ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ବିଶେଷ କରି ମୋଟେରା ବିଜୟରେ ମଧ୍ୟ ସୁନ୍ଦର ପ୍ରଭାବୀ ଛାପ ଛାଡ଼ିଥିଲେ।
ଅକ୍ଷର ପଟେଲ୍ (ଟେଷ୍ଟ୍ ପଦାର୍ପଣରେ ୭/୧୦୦)
ଆହତ ରବୀନ୍ଦ୍ର ଜାଦେଜାଙ୍କ ବିକଳ୍ପ ଭାବେ ଉଭା ହୋଇଥିବା ଅକ୍ଷର ପଟେଲ୍ ଟେଷ୍ଟ୍ ପଦାର୍ପଣ କରିବା ପୂର୍ବରୁ ଜଣେ ଧଳାବଲ୍ ସ୍ପେଶାଲିଷ୍ଟ୍ (ସୀମିତ ଓଭର କ୍ରିକେଟ୍) ଭାବେ ବିବେଚିତ ହେଉଥିଲେ। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ବିପଜ୍ଜନକ ବାଉଁସ୍ ଏବଂ ଟର୍ନ କରି ଏହି ଗୁଜୁରାଟୀ ବାମହାତୀ ସ୍ପିନର୍ ଦଖଲ କରିଥିଲେ ୭/୧୦୦ ବୋଲିଂ ଚିତ୍ର (୨/୪୦ ଓ ୫/୬୦)। ମୋଟେରା ପହଞ୍ଚିବା ପରେ ସ୍ଥାନୀୟ ଖେଳାଳି ଅକ୍ଷର ତ ପ୍ରତିଟି ବଲରେ ଅକ୍ଷରେ ଅକ୍ଷରେ ଛାପ ଛାଡ଼ିବା ଭଳି ପ୍ରଦର୍ଶନ କରିଥିଲେ। ନିଜର ଏହି ପଦାର୍ପଣ ଟେଷ୍ଟ୍ ଶୃଙ୍ଖଳାରେ ପ୍ରଶଂସନୀୟ ଭାବେ ୧୦.୫୯ ହାରରେ ୨୭ ୱିକେଟ୍ ନେବା ଅକ୍ଷରଙ୍କୁ ଅପ୍ରତିଦ୍ବନ୍ଦ୍ବୀ ରଖିଛି।
ସୂର୍ଯ୍ୟକୁମାର ଯାଦବ (ଆଇପିଏଲ୍ ମୂଲ୍ୟ)
ଲମ୍ବା ଅପେକ୍ଷା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଜାତୀୟ ଦଳର ଟୋପି ମିଳିଥିଲା। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ପଦାର୍ପଣ କରିଥିଲେ ମଧ୍ୟ ବ୍ୟାଟିଂ ସୁଯୋଗ ପାଇନଥିଲେ। ଦଳୀୟ ରଣନୀତି କାରଣରୁ ସେ ତୃତୀୟ ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ। କିନ୍ତୁ ଈଶାନ୍ କିଶନ୍ଙ୍କ ଆହତ କାରଣରୁ ଚତୁର୍ଥ ମ୍ୟାଚ୍ରେ ସୁଯୋଗ ପାଇଥିବା ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଚୌକା ଓ ଛକା ବର୍ଷା କରି ୩୧ ବଲ୍ରୁ ୫୭ ରନ୍ କରି ୩ ନମ୍ବର ସ୍ଥାନ ବ୍ୟାଟିଂକୁ ରୁଦ୍ଧିମନ୍ତ କରିଥିଲେ। ସୂର୍ଯ୍ୟଙ୍କ ଏଭଳି ତେଜ ଦେଖି ବିରାଟ କୋହଲି ନିଜେ ନିର୍ଣ୍ଣାୟକ ପଞ୍ଚମ ଟ୍ବେଣ୍ଟି-୨୦ରେ ନିଜେ ପାଳି ଆରମ୍ଭ କରିବାକୁ ପସନ୍ଦ କରିଥିଲେ।
ଈଶାନ୍ କିଶନ୍ (୩୨ ବଲ୍ରୁ ୫୬)
ଗତବର୍ଷ ଆଇପିଏଲ୍ରେ ବିଜେତା ମୁ୍ମ୍ବାଇ ପାଇଁ ରେକର୍ଡ ୩୦ ଛକା ମାରିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ ସବୁବେଳେ ଭାରତୀୟ ଦଳର ଦାବିଦାର ରହୁଥିଲେ। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ପଦାର୍ପଣ ସୁଯୋଗ ପାଇବା ମାତ୍ରେ ଏହି ଝାଡ଼ଖୁଣ୍ଡ ଯୁବ ତାରକା ରୋହିତ ଶର୍ମାଙ୍କୁ ପଛରେ ପକାଇ ୩୨ ବଲ୍ରୁ ୫୬ ରନ୍ କରିଥିଲେ। ଏହା ମଧ୍ୟରେ ୫ ଚୌକା ଓ ୪ ଛକା ସାମିଲ ଥିଲା। ଫଳରେ ଭାରତ ୧୬୫ ରନ୍କୁ ପଶ୍ଚାତଧାବନ କରି ବିଜୟୀ ହୋଇଥିଲା।
କ୍ରୁନାଲ୍ ପାଣ୍ଡ୍ୟା (୩୧ ବଲ୍ରୁ ୫୮)
ଭାରତ ପାଇଁ ୧୮ ଟ୍ବେଣ୍ଟି-୨୦ ଖେଳିବା ପରେ ବାଦ୍ ପଡ଼ିଥିବା କ୍ରୁନାଲ୍ ପାଣ୍ଡ୍ୟା ଦିନିକିଆ ପଦାର୍ପଣକୁ ଧମାକାଦାର ଢ଼ଙ୍ଗରେ ଆରମ୍ଭ କରିଛନ୍ତି। ପୁନେରେ ଇଂଲଣ୍ଡ ବିପକ୍ଷରେ ୩୧ ବଲ୍ରୁ ୫୮ ରନ୍ ସଂଗ୍ରହ ଅବସରରେ ଦ୍ରୁତତମ ପଦାର୍ପଣକାରୀ ଅର୍ଦ୍ଧଶତକ ହାସଲ କରିଥିଲେ। ଷଷ୍ଠ ୱିକେଟ୍ ପାଇଁ କେଏଲ୍ ରାହୁଲଙ୍କ ସହ ୫୭ ବଲ୍ରୁ ୧୧୨ ରନ୍ ଯୋଡ଼ି ଭାରତର ବଡ଼ ବିଜୟରେ ପ୍ରମୁଖ ଅବଦାନ ରଖିଥିଲେ। ୭ ଚୌକା ଓ ୨ ଛକା ମାରି ନିଜ ହିଟିଂ କ୍ଷମତାର ଝଲକ ଦେଖାଇଥିଲେ। ଜଣେ ଭଲେ ଫିନିସର୍ ହେବାର କ୍ଷମତା ରଖିଥିବା ପ୍ରମାଣ ବି ଦେଇଛନ୍ତି।
ପ୍ରସିଦ୍ଧ କୃଷ୍ଣ (ଦିନିକିଆ ପଦାର୍ପଣରେ ୪/୫୪)
କର୍ଣ୍ଣାଟକର ୨୫ ବର୍ଷୀୟ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ମଧ୍ୟ ପଦାର୍ପଣରେ ପ୍ରସିଦ୍ଧ ହୋଇଛନ୍ତି। ଶେଷରେ ନୀଳ ଜର୍ସିର ସୁଯୋଗ ପାଇଥିବା ପ୍ରସିଦ୍ଧ ପୁନେରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ପଦାର୍ପଣ କରି ୪/୫୪ ବୋଲିଂ ଚିତ୍ରର ପ୍ରଶଂସନୀୟ ଛାପ ଛାଡ଼ିଛନ୍ତି। ଜନି ବେୟାରଷ୍ଟୋଙ୍କ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ଜାସନ୍ ରୟ, ବେନ୍ ଷ୍ଟୋକ୍ସ, ସାମ ବିଲିଙ୍ଗ୍ସ, ଟମ୍ କରନ୍ଙ୍କ ୱିକେଟ୍ ନେଇଥିଲେ। ଇଅନ ମୋର୍ଗାନଙ୍କ ୱିକେଟ୍ ନେବା ପାଖାପାଖି ହୋଇପାରିଥିଲେ।