କେନ୍ଦୁଝର ପୁଅ କୃଷ୍ଣ: ଜାମାଇକା ସୁଯୋଗ ସ୍ୱପ୍ନ ପରି ଲାଗୁଛି

ଭୁବନେଶ୍ୱର:(ପ୍ରଫୁଲ୍ଲ କିଶୋର ସାହୁ) ଆଉ ମାତ୍ର ୧୫ ଦିନ ପରେ ଜାମାଇକା ଯିବେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ କୃଷ୍ଣ ମୁଣ୍ଡା। ମନରେ କେବେ ବି ଭାବିନଥିଲେ ଜାମାଇକା ଯିବେ, ବିଶ୍ୱର ଦ୍ରୁତତମ ଧାବକ ଉସେନ୍‌ ବୋଲ୍ଟଙ୍କ କ୍ଲବ୍‌ରେ ପ୍ରଶିକ୍ଷଣ ନେବେ। ଜାମାଇକା ଯିବା ମୋ ପାଇଁ ସ୍ୱପ୍ନ ପରି ଲାଗୁଛି ବୋଲି ରବିବାର ସମ୍ବାଦ ସହ କଥା ହେଲାବେଳେ କହିଥିଲେ ଗେଲ୍‌ ରଫ୍‌ତାର ଅନେ୍ଵଷଣ କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ହୋଇଥିବା କୃଷ୍ଣ। ସ୍ୱପ୍ନର ସୁଯୋଗରେ କେନ୍ଦୁଝର ପୁଅ କୃଷ୍ଣ କିଙ୍ଗଷ୍ଟନ୍‌ରେ ଥିବା ପ୍ରସିଦ୍ଧ ରେସର୍ସ ଟ୍ରାକ୍‌ କ୍ଲବ୍‌ରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ। ବଡ଼ କଥା ହେଲା ଏହି କ୍ଲବ୍‌ରେ ବୋଲ୍ଟ ଏବଂ ୟୁହାନ ବ୍ଲାକଙ୍କ ଭଳି ଧାବକ ପ୍ରଶିକ୍ଷଣ ନେଇ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ ହୋଇ ସାରିଛନ୍ତି।
ଆମର ଅତି ଗରିବ ପରିବାର। ପ୍ରତିଦିନ ଠିକ୍‌ରେ ଖାଇବାକୁ ମିଳେନି। ବାପା କାହ୍ନ ମୁଣ୍ଡା ଏବଂ ମା’ ବୁଦିନି ମୁଣ୍ଡା ଚାଷ ସାଙ୍ଗକୁ ପରଘରେ ମୂଲ ଲାଗି ଗୁଜୁରାଣ ମେଣ୍ଟାନ୍ତି। ପରିବାର ବି ବଡ଼ ମୋ ଉପରେ ଗୋଟିଏ ଭାଇ ଏବଂ ଦୁଇ ଭଉଣୀ ତଳେ ୨ ଭାଇ। ୮ ଜଣିଆ ପରିବାର। କିପରି ବି ଭାବିବି ଯେ ମୁଁ ବିଦେଶ ଯିବି। କେନ୍ଦୁଝର ଜିଲ୍ଲାର ଏକ ଛୋଟିଆ ଗାଁ ମିରିଂସିଙ୍ଗା ବାସିନ୍ଦା କୃଷ୍ଣ ଆବେଗପୂର୍ଣ୍ଣ କଣ୍ଠରେ କହିଥିଲେ। ଚିମିରା ମାଧ୍ୟମିକ ଇଂରାଜୀ ବିଦ୍ୟାଳୟରେ ପଢ଼ିଲା ବେଳେ ଦୌଡ଼କୁଦ କ’ଣ ଜାଣି ନଥିଲି। ସାଙ୍ଗ ସାଥୀଙ୍କ ସହ ଫୁଟ୍‌ବଲ୍‌ ଖେଳୁଥିଲି। ଆମ ବିଦ୍ୟାଳୟର ସୁବ୍ରତ ମହାନ୍ତି ସାର୍‌ କହିଲେ ତୁ ଭଲ ଦୌଡ଼ୁଛୁ। କ୍ରୀଡ଼ା ଛାତ୍ରାବାସରେ ଟ୍ରଏଲ୍ସ ବାହାରିଛି ତୁ ଭୁବନେଶ୍ୱର ଯାଇ ସେଠାରେ ଟ୍ରାଏଲ୍ସ ଦେ। ତାଙ୍କ କଥାରେ ମୁଁ ଭୁବନେଶ୍ୱର ଆସିଲି। ଟ୍ରାଏଲ୍ସ ଦେଲି ଏବଂ ଛାତ୍ରାବାସ ଲାଗି ଚୟନ ମଧ୍ୟ ହେଲି। ଗୋଟିଏ ବର୍ଷ ନୀଳମାଧମ ଦେଓ ସାର୍‌ ଏବଂ ସିଂହ ସାର୍‌ଙ୍କ ତତ୍ୱାବଧାନରେ ଦୌଡ଼ିବା ଆରମ୍ଭ କଲି। ୨୦୧୩ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ଭାଗନେଇ ୨୦୦ ଏବଂ ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ଜିତିନେଲି। ଏହାପରେ ଦୌଡ଼ିବା ମୋର ନିଶା ହୋଇଗଲା ବୋଲି ସେ କହିଥିଲେ।
୨୦୧୬ରେ ଗେଲ୍‌ ପକ୍ଷରୁ ଆୟୋଜିତ ପ୍ରତିଭା ଅନେ୍ଵଷଣରେ ଭାଗନେଇ ସଫଳ ହେଲି। ଏହି ସଫଳତା ମୋତେ ଜାମାଇକା ଯିବା ଲାଗି ସୁଯୋଗ ଦେଲା। ଏହି ସୁଯୋଗକୁ ହାତ ଛଡ଼ା ନକରି ଭଲ ଅଭ୍ୟାସ କରିବି। ଏଠାରୁ ଯେଉଁ ଅଭିଜ୍ଞତା ପାଇବି ତାକୁ କାମରେ ଲଗାଇ ଆଗକୁ ବଢ଼ିବି। ମୁଁ ଅମିୟ ମଲ୍ଲିକ ଭାଇଙ୍କ ଭଳି ଦେଶ ପାଇଁ ଦୌଡ଼ିବାର ଲକ୍ଷ୍ୟ ରଖିଛି ବୋଲି କହିଥିଲେ କୃଷ୍ଣ। ମୁଁ ଛାତ୍ରାବାସରେ ଥିବାରୁ ସବୁ ସୁବିଧା ମିଳିଯାଉଛି। କିନ୍ତୁ ପରିବାର କଥା ଭାବିଲେ ମୋତେ ଭାରି କଷ୍ଟ ଲାଗେ। ଇନ୍ଦିରା ଆବସ ହୋଇଥିଲା କିନ୍ତୁ ମିଳିଲାନି। ବାପା, ମା ଓ ଭାଇ ଭଉଣୀ ଆଗ ଭଳି ସେଇ ଝାଟିମାଟି ଘରେ ରହୁଛନ୍ତି। ପୂର୍ବରୁ ରାସନ କାର୍ଡ ଥିଲା। କିନ୍ତୁ ନୂଆ ଗଣତି ବେଳେ କଟି ଯାଇଛି। ଏଭଳି ଅଭାବ ଅନଣ୍ଟନ ଭିତରେ ବାପା ତାଙ୍କ ସ୍ୱଳ୍ପ ରୋଜଗାରରୁ ମୁଁ ରାଜଧାନୀରେ ରହୁଥିବାରୁ ହାତ ଖର୍ଚ ପାଇଁ କିଛି ଟଙ୍କା ପଠାନ୍ତି ବୋଲି ଲୁହ ଭରା କଣ୍ଠରେ କହିଥିଲେ କୃଷ୍ଣ। ବାପା ମୋତେ ସବୁବେଳେ କୁହନ୍ତି ତୁ ଖେଳରେ ମନ ଦେ ଦେଶର ନାଁ ରଖ।

ସମ୍ବନ୍ଧିତ ଖବର