ରିଚାର୍ଡସଙ୍କୁ ଟପିଲେ ଜମନ

ଦ୍ରୁତତମ ୧,୦୦୦ ରନ୍‌, ଫକର୍‌ ଜମନ୍‌ (୧୮ ପାଳି)

ବୁଲାଓ୍ଵାଓ: ପାକିସ୍ତାନ ରନ୍‌ ମେସିନ୍‌ ଫକର୍‌ ଜମନ ରବିବାରର ଜିମ୍ବାେଓ୍ଵ ବିପକ୍ଷ ପଞ୍ଚମ ଦିନିକିଆରେ ୮୫ ରନ୍‌ କରି େଓ୍ଵଷ୍ଟଇଣ୍ଡିଜ୍‌ର ମହାନ ଖେଳାଳି ଭିଭିଆନ୍‌ ରିଚାର୍ଡସଙ୍କୁ ଟପି ଯାଇଛନ୍ତି। ରିଚାର୍ଡସଙ୍କୁ ପଛରେ ପକାଇ ଦିନିକିଆରେ ୧,୦୦୦ ରନ୍‌ କରିବାରେ ସେ ବିଶ୍ୱର ଦ୍ରୁତତମ କ୍ରିକେଟର ହୋଇଛନ୍ତି। ଏହି ୨୮ ବର୍ଷୀୟ ବାମହାତୀ ତାରକା ମାତ୍ର ୧୮ ପାଳିରେ ୧,୦୦୦ ଦିନିକିଆ ରନ୍‌ର ମାଇଲଖୁଣ୍ଟ ଛୁଇଁଛନ୍ତି। ଏହା କରି ସେ କେବଳ ରିଚାର୍ଡସ ନୁହେଁ କେଭିନ ପିଟରସନ୍‌, ୟୋନାଥନ ଟ୍ରଟ୍‌, କ୍ୱିଣ୍ଟନ୍‌ ଡି’ କକ୍‌ ଓ ବାବର ଆଜମଙ୍କ ଭଳି ଖେଳାଳିଙ୍କୁ ଅତିକ୍ରମ କରିଛନ୍ତି। ଏମାନେ ସମସ୍ତେ ୨୧ ପାଳିରେ ୧,୦୦୦ ରନ୍‌ କରିଥିଲେ। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି ୨୪ ପାଳିରେ ଏହି ସଂଖ୍ୟାରେ ପହଞ୍ଚିଥିଲେ। ଜମନ ଜିମ୍ବାେଓ୍ଵ ବିପକ୍ଷ ପ୍ରଥମ ୪ ମ୍ୟାଚ୍‌ରେ ୪୩୦ ରନ୍‌ କରିଥିଲେ। ଏଣୁ ଦ୍ରୁତତମ ୧,୦୦୦ ପାଇଁ ତାଙ୍କୁ ରବିବାର ମାତ୍ର ୨୦ ରନ୍‌ର ଦରକାର ଥିଲା। ହେଲେ ସେ ୮୫ ରନ୍‌ କରି ଏହାକୁ ସହଜରେ ହାସଲ କରି ନେଇଥିଲେ। ଜିମ୍ବାେଓ୍ଵ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାରେ ଜମନ ଏକାକି ୫୧୫ ରନ୍‌ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଦିନିକିଆରେ ଦ୍ୱିଶତକ ଅର୍ଜନ କରିବାରେ ଶୁକ୍ରବାର ସେ ପ୍ରଥମ ପାକିସ୍ତାନୀ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର