ଖ୍ରିଷ୍ଟଚର୍ଚ୍ଚ : ୬ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦ୍ରୁତ ବୋଲର କାଇଲ ଜାମିସନ୍ଙ୍କ ୫ ୱିକେଟ୍ ସଫଳତା ବଳରେ ନ୍ୟୁଜିଲାଣ୍ଡ୍ ରବିବାରଠୁ ସ୍ଥାନୀୟ ହଗ୍ଲେ ଓଭାଲ୍ରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିବସରେ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ପାଳିକୁ ୨୯୭ ରନ୍ରେ ସଫା କରିଦେଇଛି। ଟସ୍ ଜିତି ନ୍ୟୁଜିଲାଣ୍ଡ୍ ପ୍ରଥମେ ବ୍ୟାଟିଂ ପାଇଁ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲା। ଆଝାର ଅଲ୍ଲୀ (୯୩) ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲା ବେଳେ ଅଧିନାୟକ/ୱିକେଟ୍ରକ୍ଷକ ମହମ୍ମଦ ରିଜ୍ୱାନ୍ (୬୧) ଅର୍ଧଶତକ ଜମାଇଥିଲେ। ଫହିମ ଅସ୍ରଫ୍ ୪୮, ଜାଫର ଗୋହର ୩୪ ଓ ଆବିଦ୍ ଅଲ୍ଲୀ ୨୫ ରନ୍ କରି ଖୁବ୍ ଲଢ଼ିଥିଲେ। ହେଲେ ଜାମିସନ୍ଙ୍କ ସହିତ ଟିମ୍ ସାଉଦି, ଟ୍ରେଣ୍ଟ୍ ବୋଲ୍ଟ ଓ ମ୍ୟାଟ୍ ହେନ୍ରି ମିଳିତ ଭାବେ ୧୦ ୱିକେଟ୍ ବାଣ୍ଟିନେବାରୁ ପାକିସ୍ତାନ ୩୦୦ ଛୁଇଁବାରୁ ବଞ୍ଚିତ ହୋଇଥିଲା। ବିଶେଷକରି ପାକିସ୍ତାନ ୬୬/୧ ଥିଲା ବେଳେ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଜାମିସନ୍ ତାଙ୍କ ୩ ଓଭର ମଧ୍ୟରେ ପ୍ରତ୍ୟେକ ଓଭରରେ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିବାରୁ ଭ୍ରମଣକାରୀ ଦଳ ୮୪/୪ରେ ସଂଘର୍ଷ କରିଥିଲା। ଜାମିସନ୍ ପ୍ରଥମ ପାଳିର ୨୦, ୨୨ ଓ ୨୪ତମ ଓଭରରେ ଆବିଦ ଅଲ୍ଲୀ, ହାରିସ୍ ସୋହେଲ (୧) ଓ ଫୱାଦ ଆଲମ୍ (୨)ଙ୍କୁ ଶିକାର କରି ପାକିସ୍ତାନ ମେରୁଦଣ୍ଡ ଦୋହଲାଇ ଦେଇଥିଲେ। ନିଜର ମାତ୍ର ଷଷ୍ଠ ଟେଷ୍ଟ୍ରୁ ଜାମିସନ୍ଙ୍କର ଏହା ତୃତୀୟ ୫ ୱିକେଟ୍ ସଫଳତା।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ପ୍ରଥମ ପାଳି ୮୩.୫ ଓଭରରେ ୨୯୭ (ଆଝାର ଅଲ୍ଲୀ-୯୩, ମହମ୍ମଦ ରିଜ୍ୱାନ-୬୧, ଫହିମ ଅସ୍ରଫ୍-୪୮, ଜାଫର ଗୋହର-୩୪, କାଇଲ ଜାମିସନ୍-୫/୬୯, ଟିମ୍ ସାଉଦି-୨/୬୧, ଟ୍ରେଷ୍ଟ୍ ବୋଲ୍ଟ-୨/୮୨, ମ୍ୟାଟ୍ ହେନ୍ରି-୧/୬୮)।