ଜାମିସନ୍‌ ଓ ସାଉଦିଙ୍କ ଘାତକ ବୋଲିଂ: ୱେଷ୍ଟଇଣ୍ଡିଜ୍‌ ୧୨୪/୮, ନ୍ୟୁଜିଲାଣ୍ଡ୍‌ ୪୬୦, ୩୩୬ ରନ୍‌ରେ ଆଗୁଆ

ୱେଲିଂଟନ୍: ହେନ୍‌ରି ନିକୋଲ୍‌ସଙ୍କ ଶତକ ଏବଂ ନିଲ୍‌ ୱାଗ୍‌ନରଙ୍କ ଅପରାଜିତ ଅର୍ଧଶତକୀୟ ପାଳି ପ‌ରେ କେଲି ଜାମିସନ୍‌ ଓ ଟିମ୍‌ ସାଉଦିଙ୍କ ଘାତକ ବୋଲିଂ ଯୋଗୁଁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ପୁଣି ଏକ ପରାଜୟ ଆଶଙ୍କାରେ ପଡ଼ିଯାଇଛି। ଘରୋଇ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିରେ ୪୬୦ ରନ୍‌ କରିବା ପ‌ରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳିର ୮ ୱିକେଟ୍‌ ଝଡ଼ାଇ ଦେଇଛି। ଫଳରେ ହାତରେ ୨ ୱିକେଟ୍‌ ଥାଇ ଇଣ୍ଡିଜ୍‌ ଦଳ ଏବେ ବି ୩୩୬ ରନ୍‌ ପଛରେ ରହିଛି। ଦ୍ବିତୀୟ ଦିବସରେ ମୋଟ ୧୨ ୱିକେଟ୍‌ର ପତନ ଘଟିଛି।

ଶୁକ୍ରବାରଠାରୁ ବେସିନ୍‌ ରିଜର୍ଭରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ୨୯୪/୬ କରିଥିବା ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଦିବସରେ ଅବଶିଷ୍ଟ ୪ ୱିକେଟ୍‌ ହରାଇବା ପୂର୍ବରୁ ଆଉ ୧୬୬ ରନ୍ ଯୋଡ଼ିଥିଲା। ନିକୋଲ୍‌ସ (୧୭୪) ଏବଂ ୱାଗ୍‌ନର (୬୬*) ନିଜ ନିଜର ଶ୍ରେଷ୍ଠ ଟେଷ୍ଟ୍‌ ସ୍କୋର୍‌ କରିନେଇଥିଲେ। ପ୍ରଥମ ଦିବସରେ ୩ଟି ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିବା ନିକୋଲ୍‌ସ ନବମ ୱିକେଟ୍‌ରେ ୱାଗ୍‌ନରଙ୍କୁ ସାଥୀ କରି ୯୫ ରନ୍ ଯୋଡ଼ିବାରୁ ଘରୋଇ ଦଳ ୪୫୦ ଟପି ଯାଇଥିଲା। ବିଶେଷକରି ନିଜର ପ୍ରଥମ ଅର୍ଧଶତକୀୟ ପାଳି ଖେଳି ୱାଗ୍‌ନର ୫୦ତମ ଟେଷ୍ଟ୍‌କୁ ସ୍ମରଣୀୟ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ସଫଳ ବୋଲର ଭାବେ ସାନନ୍‌ ଗାବ୍ରିଏଲ୍‌ ଓ ଅଲ୍‌ଜେରି ଜୋସେଫ୍‌ ୩-୩ ଏବଂ ଚେମାର ହୋଲ୍‌ଡର ଓ ରସ୍ତନ ଚେଜ୍‌ ୨-୨ ୱିକେଟ୍‌ ବାଣ୍ଟି ନେଇଥିଲେ।

ଜବାବରେ ଇଣ୍ଡିଜ୍‌ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍‌ନା କରିଥିଲା। ଉଭୟ ଜାମିସନ୍‌ ଓ ସାଉଦି ହିଁ ଘାତକ ସାବ୍ୟସ୍ତ ହୋଇଥିଲେ। ଜାମିସନ୍‌ ୫ ଓ ସାଉଦି ୩ ୱିକେଟ୍‌ ଦଖଲ କରିନେଇ ଭ୍ରମଣକାରୀ ଦଳକୁ ୧୨୪/୮ରେ ସଂଘର୍ଷ କରିବାକୁ ବାଧ୍ୟ କରିଛନ୍ତି। କେବଳ ଜର୍ମେନ୍‌ ବ୍ଲାକ୍‌ଉଡ୍‌ (୬୯) ଅର୍ଧଶତକ ହାସଲ କରି କିଛି ସମୟ ଲଢ଼ିଥିଲା ବେଳେ ୫ ଜଣ ଏକ ଅଙ୍କ ଟପି ପାରିନଥିଲେ। ଜନ୍‌ କ୍ୟାମ୍ପବେଲ୍‌ ଓ ସମରା ବ୍ରୁକ୍‌ସ ଦୁଇ ଅଙ୍କ ଛୁଇଁଥିଲେ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୧୧୪ ଓଭରରେ ୪୬୦ (ହେନ୍‌ରି ନିକୋଲ୍‌ସ-୧୭୪, ନିଲ୍‌ ୱାଗ୍‌ନର-୬୬*, ୱିଲ୍‌ ୟଙ୍ଗ୍‌-୪୩, ଡାରିଲ ମିଚେଲ-୪୨, ସାନନ୍ ଗାବ୍ରିଏଲ୍‌-୩/୯୩, ଅଲ୍‌ଜେରି ଜୋସେଫ୍‌-୩/୧୦୯, ଚେମାର ହୋଲ୍‌ଡର-୨/୧୧୦, ରସ୍ତନ ଚେଜ୍‌-୨/୫୪)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୫୨ ଓଭରରେ ୧୨୪/୮ (ବ୍ଲାକ୍‌ଉଡ୍‌-୬୯, ଟିମ୍‌ ସାଉଦି-୩/୨୯, କେଲି ଜାମିସନ୍‌-୫/୩୪)।

ସମ୍ବନ୍ଧିତ ଖବର