ଜାମସେଦପୁରର ସେମି ଆଶା ଝୁଲିଲା

ଭୁବନେଶ୍ୱର: ଚଳିତ ଆଇସିଏଲ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଲାଗି ଜାମସେଦ୍‌ପୁର ଏଫସିକୁ ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ଭୁବନେଶ୍ୱର ମ୍ୟାଚ୍‌କୁ ଅପେକ୍ଷା କରିବାକୁ ପଡ଼ିଛି। ରବିବାର ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳା ଯାଇଥିବା ଚେନ୍ନାଇନ୍‌ ଏଫ୍‌ସି ଶେଷ ମିନିଟ୍‌ରେ ଜାମସେଦପୁର ବିଜୟକୁ ଅଟକାଇ ଦେଇଛି। ୩୨ତମ ମିନିଟ୍‌ରେ ଓ୍ଵିଲିଂଟନ୍‌ ପ୍ରିଓରି ଗୋଲ୍‌ରେ ଜାମସେଦ୍‌ପୁର ଅଗ୍ରଣୀ ପାଇଥିଲା। ଚେନ୍ନାଇନ୍‌ର ମହମ୍ମଦ ରଫି (୮୯ ମିନିଟ୍‌)ଙ୍କ ଗୋଲ୍‌ରେ ମ୍ୟାଚ୍‌କୁ ଅମୀମାଂସିତ ରଖି ପଏଣ୍ଟ୍‌ ଭାଗ କରିଥିଲା। ଏହି ମ୍ୟାଚ୍‌ରୁ ପୂର୍ଣ୍ଣ ୩ ପଏଣ୍ଟ୍‌ ସହ ସେମିଫାଇନାଲ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ଥିବା ଜାମସେଦ୍‌ପୁର ଅଟକି ଯାଇଥିଲା। ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌ ଖେଳୁଥିବା ଏହି ଦଳକୁ ଶେଷ ୨ ମ୍ୟାଚ୍‌କୁ ଆପେକ୍ଷା କରିବାକୁ ପଡ଼ିଛି। ସଂପ୍ରତି ବେଙ୍ଗାଲୁରୁ ୩୩ ପଏଣ୍ଟ୍‌ ସହ ଏକମାତ୍ର ଦଳ ଭାବେ ସେମିଫାଇନାଲ୍‌ରେ ପହଞ୍ଚି ସାରିଛି। ପୁନେ ୧୬ ମ୍ୟାଚ୍‌ରୁ ସିଟି ୨୯ ପଏଣ୍ଟ୍‌, ଚେନ୍ନାଇନ୍‌ ୧୬ରୁ ୨୮ ପଏଣ୍ଟ୍‌ ଏବଂ ଜାମସେଦପୁର ୧୬ରୁ ୨୬ ପଏଣ୍ଟ୍‌ ସହ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ସେମିଫାଇନାଲ୍‌ ସ୍ଥାନ ପକ୍କା କରି ପାରି ନାହାନ୍ତି। କେରଳ ୧୬ରୁ ୨୪, ଗୋଆ ୧୪ରୁ ୨୦, ମୁମ୍ବାଇ ୧୫ରୁ ୨୦ ପଏଣ୍ଟ୍‌ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ରବିବାର କୋଲ୍‌କାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ମୁମ୍ବାଇ ସିଟି ୨-୧ ଗୋଲ୍‌ରେ ଘରୋଇ ଏଟିକେକୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ମାର୍ସିଓ ରୋଜାରିଓ (୩୨ ମିନିଟ୍‌) ଓ ରାଫା ଜୋର୍ଦା (୫୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଏଟିକେ ପକ୍ଷରୁ ବିପିନ୍‌ ସିଂହ (୪୭ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର