ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅଧୀନ ଫତେଗଡ଼ ନାଲିସାଗର ପଡ଼ିଆରେ ଫତେଗଡ଼ ଯୁବକ ସଂଘ ଆନୁକୁଲ୍ୟରେ ତ୍ରୟୋଦଶ ସଦାଶିବ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମୁକାବିଲାରେ ଭଦ୍ରକ ୟୁନିକ୍ କ୍ରିକେଟ୍ ଏକାଡେମୀ ୪୩ ରନ୍ରେ କଟକ ରାଇଜିଂ ଷ୍ଟୁଡେଣ୍ଟ୍କୁ ପରାସ୍ତ କରିଛି। ଟସ ଜିତି ଭଦ୍ରକ ଦଳ ଟୁକୁନା ସାହୁ (୫୭ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା। ଜବାବରେ କଟକ ଦଳ ୮ ୱିକେଟ୍ ହରାଇ ୧୫୧ ରନ୍ କରିବାକୁ ସମର୍ଥ ହୋଇଥିଲା। ଟୁକୁନା ସାହୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ଅତିଥି ପୂର୍ବତନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ ପୁରସ୍କୃତ କରିଥିଲେ।
ଫତେଗଡ଼ ଯୁବକସଂଘର ସଭାପତି ତଥା ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ପୌରାହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ଲୋକନାଥ ଆଚାର୍ଯ୍ୟ, ଫତେଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ସାହୁ, ସମାଜସେବୀ ଚକ୍ରଧର ପ୍ରଧାନ, ପଦ୍ମାବତୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟାଚ୍କୁ ଦୁର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଆଶୁତୋଷ ପାଣି ପରିଚାଳନା କରିଥିଲେ।