ମିଷ୍ଟର ୟୁନିଭର୍ସ ପାଇଁ ଲଢ଼ିବେ ଜନ୍ମେଜୟ

ଭୁବନେଶ୍ବର: ଜାତୀୟ ଏବଂ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାଗୁଡ଼ିକରେ ନିଜର କରିସ୍ମା ଦେଖାଇ ସାରିଥିବା ଓଡ଼ିଆ ପୁଅ ଜନ୍ମେଜୟ ମହାନ୍ତି ଏବେ ମିଷ୍ଟର ୟୁନିଭର୍ସ ମୁକୁଟ ପାଇଁ ଲଢ଼ିବେ। ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନିର ହମ୍‌ବର୍ଗରେ ହେବାକୁଥିବା ‘ମିଷ୍ଟର ୟୁନିଭର୍ସ’ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତି‌ଯୋଗିତାରେ ଭାଗ ନେବା ଲାଗି ସେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ। ଏହି ପ୍ରତିଯୋଗିତାରେ ୨୮-୨୯ ଦେଶରୁ ପାଖାପାଖି ୨୦୦ରୁ ୨୫୦ ପ୍ରତିଯୋଗୀ ଭାଗନେବାର ସମ୍ଭାବନା ରହିଛି। ଭାରତରୁ ୯ ପ୍ରତିଯୋଗୀଙ୍କ ସହ ପ୍ରଶିକ୍ଷକ ଓ ଅଧିକାରୀଙ୍କୁ ମିଶାଇ ୧୯ ଜଣ ଭାଗନେବେ। ଗତ ମାସରେ ଭାରତୀୟ ସୁନ୍ଦର ସ୍ବାସ୍ଥ୍ୟ ମହାସଂଘ ପକ୍ଷରୁ ଆୟୋଜିତ ଟ୍ରାଏଲ୍ସରେ ଜନ୍ମେଜୟ ଭଲ ପ୍ରଦର୍ଶନ କରି ଏଥି ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ‌ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ସରକାର କି ବେସରକାରୀ ତରଫରୁ ତାଙ୍କୁ କୌଣସି ସହଯୋଗ ମିଳିନି। ଭାରତୀୟ ଡାକ ବିଭାଗରେ ଚାକିରି କରିଥିବା ଏହି ବଡି ବିଲ୍ଡର ନିଜସ୍ବ ଉଦ୍ୟମରେ ପ୍ରଥମ ଥର ଲାଗି ଅନ୍ତର୍ଜାତୀୟ ସ୍ତରରେ ଭାଗନେବାକୁ ଯାଉଛନ୍ତି। ପୂର୍ବରୁ ମଧ୍ୟ ସେ ଦୁଇ (୨୦୦୯ ଆମେରିକା ଏବଂ ୨୦୧୧ ସ୍ପେନ୍) ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଭିସା, ଅର୍ଥାଭାବ ଏବଂ ବିଭିନ୍ନ କାରଣ ପାଇଁ ଅଂଶଗ୍ରହଣ କରି ପାରିନଥିଲେ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜନ୍ମେଜୟ ପ୍ରକାଶ କରିଛନ୍ତି। ଭଲ କରି ଶ୍ରେଷ୍ଠ ୫ରେ ରହିବାକୁ ଚେଷ୍ଟା କରିବି। ଚଳିତ ବର୍ଷର ଏହା ପ୍ରଥମ ପ୍ରତିଯୋଗିତା ହୋଇଥିବାରୁ ନିଶ୍ଚିତ ଭଲ କରିବି ବ‌ୋଲି ଆଶା ରଖିଛି। ପ୍ରତି ପ୍ରତିଯୋଗିତା ଭଳି ସମାନ ଭାବରେ ଖାଦ୍ୟ ଓ ମାନସିକ ସ୍ତରରେ ପ୍ରସ୍ତୁତ ରହିଛି। କେବଳ ଅଧିକ ଟିକେ ପରିଶ୍ରମ କରୁଛି ବୋଲି ସେ କହିଛନ୍ତି। ଅନ୍ୟ କ୍ରୀଡ଼ା ପରି ସୁନ୍ଦର ସ୍ବାସ୍ଥ୍ୟ କ୍ରୀଡ଼ାରେ ଯଦି ସରକାର ସହଯୋଗ କର‌ନ୍ତେ ଏହା ମଧ୍ୟ ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ। ଜନ୍ମେଜୟ ସଂପ୍ରତି ଲଲାଟ କେଶରୀ ପଟ୍ଟନାୟକଙ୍କ ଅଧିନରେ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର