ଓବିବିଏ ବିରୋଧରେ ଜନ୍ମେଜୟଙ୍କ ବିଷୋଦ୍‌ଗାର

ରାଜ୍ୟ ସମ୍ପାଦକଙ୍କ ଖଣ୍ଡନ

ଭୁବନେଶ୍ବର : ଏକଦା ରାଜ୍ୟ ଛାଡ଼ି ବେଙ୍ଗଲ୍‌ ପାଇଁ ଖେଳିଥିବା ଓଡ଼ିଶାର ଆଗଧାଡ଼ିର ବଡି ବିଲ୍ଡର ଜନ୍ମେଜୟ ମହାନ୍ତି ପୁଣି ଥରେ ନିଜ ରାଜ୍ୟ ସଂଘ ଓବିବିଏ (ଓଡ଼ିଶା ବଡି ବିଲ୍‌ଡିଂ ସଂଘ) ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ମୁଁ ଜଣେ ଉତ୍ସର୍ଗୀକୃତ ବଡି ବିଲ୍ଡଡର ହୋଇଥିଲେ ମଧ୍ୟ ମୋତେ ଓବିବିଏ କୌଣସି ରାଜ୍ୟ ପ୍ରତିଯୋଗିତାକୁ ଉଦ୍ଦେଶ୍ୟମୂଳକ ଭାବେ ନିମନ୍ତ୍ରଣ କରୁନାହିଁ। ଏଥିପାଇଁ ମୁଁ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିପାରୁନାହିଁ। ମୋ ଖେଳ ଜୀବନକୁ ନଷ୍ଟ କରିଦେବାକୁ ଓବିବିଏ ଚକ୍ରାନ୍ତ କରୁଛି ବୋଲି ଶ୍ରୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏଥି ସହ ରାଜ୍ୟ ସଂଘରେ ଅଣ‌ ବଡିବିଲଡର କର୍ମକର୍ତା, ବିଚାରକଙ୍କ ଉପସ୍ଥିତି କାରଣରୁ ଏହି ଖେଳ ପ୍ରଭାବିତ ହେଉଛି। ଓବିବିଏରେ ମଧ୍ୟ ଆର୍ଥିକ ଅନିୟମିତତା ଲାଗି ରହିଛି ଏବଂ ଖେଳାଳିମାନଙ୍କଠାରୁ ଏବେ ବି ବିନା ରସିଦ୍‌ରେ ଅର୍ଥ ଆଦାୟ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ଏହା ବିରୋଧରେ ମୁଁ ଲଢ଼େଇ ଜାରି ରଖିବି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ବେଙ୍ଗଲ୍ ପାଇଁ ୩ ବର୍ଷ ଖେଳିବା ପରେ ଓଡ଼ିଶା ପାଇଁ ଖେଳିବାକୁ ଉପଲବ୍ଧ ବୋଲି ରାଜ୍ୟ ସଂଘକୁ ସୂଚନା ଦେବା କି ପ୍ରସ୍ତାବ ଦେଇନଥିବା କଥାକୁ ମଧ୍ୟ ସ୍ବୀକାର କରିଥିଲେ ଏହି ପୂର୍ବତନ ଡାକଶ୍ରୀ ମୁକୁଟ ବିଜେତା। ଜନ୍ମେଜୟଙ୍କ ସମସ୍ତ ଅଭିଯୋଗକୁ କିନ୍ତୁ ଓବିବିଏ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ‘କିଛି ବର୍ଷ ପୂର୍ବରୁ ବେଙ୍ଗଲ୍ ପାଇଁ ଖେଳିବାକୁ ଘୋଷଣା କରିବା ପରଠାରୁ ଜନ୍ମେଜୟ ଆଉ ଓଡ଼ିଶା ପାଇଁ ଉପଲବ୍‌ଧ ଥିବା କଥା କେବେ ଜଣାଇନାହାନ୍ତି। ତା’ ଛଡ଼ା ଓବିବିଏ କାହାରିକୁ ବ୍ୟକ୍ତିଗତ ଭାବେ ପ୍ରତିଯୋଗିତାକୁ ନିମନ୍ତ୍ରଣ କରେନାହିଁ। ରାଜ୍ୟ ସଂଘ ସହ ଅନୁବଂଧିତ ୨୫ ଜିଲ୍ଲା ଓ ୨ ବୃତ୍ତିଗତ ସଂସ୍ଥା ପୋଷ୍ଟାଲ୍‌ ଓ ପୁଲିସ୍‌କୁ ଆମେ ପତ୍ର ଲେଖି ସେମାନଙ୍କ ଯୋଗ୍ୟ‌ ଖେଳାଳିଙ୍କୁ ପଠାଇବାକୁ ଅନୁରୋଧ କରିଥାଉ। ଚଳିତ ମାସ ୧୨ ଓ ୨୩ ତାରିଖରେ ଅନୁଷ୍ଠିତ ୧୮ତମ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଜନ୍ମେଜୟଙ୍କ ସଂସ୍ଥା ପୋଷ୍ଟାଲ୍‌ରୁ ମଧ୍ୟ ଦୁଇ ଜଣ ଭାଗ ନେଇଥିଲେ। ସେ ଅଂଶଗ୍ରହଣ କରିପାରିବେ କି ନା ଡାକ ବିଭାଗର ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏଥିରେ ରାଜ୍ୟ ସଂଘର କିଛି ଅଭିସନ୍ଧି ନାହିଁ’ ବୋଲି ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ କହିଥିଲେ ପ୍ରସନ୍ନ ମହାସୁଆର।

ସମ୍ବନ୍ଧିତ ଖବର