ଫିଫା ବିଶ୍ବକପରେ ଆଉ ଏକ ବଡ଼ ବିପର୍ଯ୍ୟୟ : ଜର୍ମାନିକୁ ହରାଇଲା ଜାପାନ

ଦୋହା : ଚଳିତ ବିଶ୍ବକପ ଫୁଟବଲରେ ଆଉ ଏକ ବିପର୍ଯ୍ୟୟ ହୋଇଛି । ଏସୀୟ ଦେଶ ଜାପାନ ପୂର୍ବତନ ବିଶ୍ବ ଚାମ୍ପିଅନ ଜର୍ମାନିକୁ ୨-୧ରେ ହରାଇଦେଇଛି । ସାଉଦି ଆରବ ଆର୍ଜେଣ୍ଟିନାକୁ ହରାଇବା ପରେ ଜାପାନ ଜର୍ମାନକୁ ହରାଇବା ଫୁଟବଲପ୍ରେମୀଙ୍କୁ ଚକିତ କରିଛି ।

ଏହି ମ୍ୟାଚରେ ଜର୍ମାନୀ ଆରମ୍ଭରୁ ଗୋଟିଏ ଗୋଲ ଦେଇ ଅନେକ ସମୟ ପର୍ଯ୍ୟନ୍ତ ୧-୦ରେ ଆଗୁଆ ଥିଲା । ମ୍ୟାଚର ୩୩ତମ ମିନିଟରେ ମିଡଫିଲଡର ଗୁଣ୍ଡୋଗାନ ଏହି ଗୋଲ ଦେଇଥିଲେ ।

କିନ୍ତୁ ମ୍ୟାଚର ୨ୟ ଭାଗରେ ଜାପାନ ଦଳ ଏକ ନୂଆ ଉତ୍ସାହ ସହ ଖେଳିଥିଲା । ଦଳ ପକ୍ଷରୁ ଜର୍ମାନ ଉପରେ ଘନ ଘନ ଆକ୍ରମଣ କରାଯାଇଥିଲା । ଜାପାନ ପକ୍ଷରୁ ଡୋଆନ ଜର୍ମାନୀ ଉପରେ ପ୍ରଥମ ଗୋଲ ଦେଇ ସ୍କୋରକୁ ୧-୧ ସ୍ତରକୁ ଆଣିଥିଲେ । ଏହାର ୮ ମିନିଟ ପରେ ଟାକୁମା ଆସାନୋ ୨ୟ ଗୋଲ ଦେଇ ଜାପାନକୁ ୨-୧ରେ ଆଗୁଆ କରିଥିଲେ । ଏହି ସ୍କୋରକୁ ବରାବର କରିବାକୁ ଜର୍ମାନୀ ପକ୍ଷରୁ ପ୍ରବଳ ଉଦ୍ୟମ କରାଯାଇଥିଲେ ବି ଆଉ ଗୋଲ ଦେଇପାରିନଥିଲା ।

ତେବେ ବିଶ୍ବକପରେ ନିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିବା ଜର୍ମାନି ପାଇଁ ପ୍ରଥମ ନୁହେଁ । ଗତ ବିଶ୍ବକପ ଅର୍ଥାତ ୨୦୧୮ ବିଶ୍ବକପରେ ଜର୍ମାନୀ ଅପେକ୍ଷାକୃତ ଦୁର୍ବଳ ଦଳ ମେକ୍ସିକୋଠାରୁ ହାରିଯାଇଥିଲା ।

 

 

ସମ୍ବନ୍ଧିତ ଖବର