ଭୁବନେଶ୍ୱର: ଏସିଆର ସର୍ବୋଚ୍ଚ କ୍ରୀଡ଼ା ମହୋତ୍ସବ ଏସିଆଡ୍ ତଥା ଏସୀୟ କ୍ରୀଡ଼ାର ତୃତୀୟ ସଂସ୍କରଣ ଖେଳାଯାଇଥିଲା ଟୋକିଓ ସହର ଅଲିମ୍ପିକ୍ ଷ୍ଟାଡିୟମ୍ରେ। ପ୍ରଥମ ଥର ଆୟୋଜକ ହୋଇଥିଲେ ମଧ୍ୟ ତୃତୀୟ ଥର ଦଳଗତ ବିଜେତା ହୋଇ ଜାପାନ ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ୨୦ଟି ଦେଶ ତଥା ଜାତୀୟ ଅଲିମ୍ପିକ୍ ସମିତିରୁ ଆସିଥିବା ୧୮୨୦ ଖେଳାଳି ୯ ଦିନିଆ ଏହି କ୍ରୀଡ଼ା ମହୋତ୍ସବରେ ଭାଗ ନେଇଥିଲେ। ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି କ୍ରୀଡ଼ା ମହୋତ୍ସବକୁ ଜାପାନ ସମ୍ରାଟ ହିରୋହିତୋ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ନୂଆଦିଲ୍ଲୀ (୧୯୫୧) ଏବଂ ମାନିଲା (୧୯୫୪) ପରେ ଆୟୋଜକ ଜାପାନ ନିଜ ମାଟିରେ ପଦକ ସଂଖ୍ୟାକୁ ଶତକୀୟ ସ୍ପର୍ଶ ଦେଇ ବିଜେତା ହୋଇଥିଲା। ୬୭ ସ୍ୱର୍ଣ୍ଣ, ୪୧ ରୌପ୍ୟ, ୩୦ କାଂସ୍ୟ ସହିତ ମୋଟ ୧୩୮ ପଦକ ହାସଲ କରିଥିଲେ ଜାପାନି କ୍ରୀଡ଼ାବିତ୍। ଫିଲିପାଇନ୍ସ (୮+୧୯+୨୧) ମୋଟ ୪୮ ପଦକ ଜିତି ଦ୍ୱିତୀୟରେ ରହିଥିଲା। କମ୍ ରୌପ୍ୟ ପଦକ ଜିତି ଦକ୍ଷିଣ କୋରିଆ (୮+୭+୧୨) ତୃତୀୟରେ ସନ୍ତୁଷ୍ଟ ରହିଥିଲା। ଭାରତ (୫+୪+୪) ମୋଟ ୧୩ ପଦକ ଜିତିଥିଲେ ମଧ୍ୟ ଇରାନ୍, ଚୀନ ଓ ପାକିସ୍ତାନ ପଛକୁ ସପ୍ତମକୁ ଖସି ଆସିଥିଲା। ମୋଟ ୧୬ ଦେଶର ଖେଳାଳି ଅନ୍ୟୁନ ପଦକଟିଏ ଜିତିଥିବା ବେଳେ ୪ ଦେଶ ପଦକ ଶୂନ୍ୟ ରହି ସ୍ୱଦେଶ ଫେରିଥିଲେ। ଏହି ୪ ଦେଶ ଥିଲେ- ଆଫଗାନିସ୍ତାନ, କାମ୍ବୋଡିଆ, ନେପାଳ ଓ ନର୍ଥ ବୋର୍ଣ୍ଣିଓ। ୧୧ଟି ଦେଶ ଅନ୍ୟୁନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଜିତିବା ଏସୀୟ କ୍ରୀଡ଼ାକୁ ପରିବ୍ୟାପ୍ତ କରିଥିଲା। ଜାପାନର ୪ ଗୁଣା ୧୦୦ ମିଟର୍ ମିଡ୍ଲେ ରିଲେ ଦଳ ବିଶ୍ୱ କୀର୍ତିମାନ (୪: ୧୭.୨) ସମୟ ସହିତ ସ୍ୱର୍ଣ୍ଣ ଜିତି ନୂଆ ଫର୍ଦ ଯୋଡ଼ିଥିଲେ। ଟୋକିଓ ଏସିଆଡ୍ରେ ୧୩ ଖେଳର ୯୭ ଇଭେଣ୍ଟ୍ ସାମିଲ ହୋଇଥିଲା। ଜୁଡ଼ୋ, ଟେବୁଲ୍ ଟେନିସ୍, ଟେନିସ୍ ଏବଂ ଭଲିବଲ୍ ସେତେବେଳେ ଆନୁଷ୍ଠାନିକ ଅଲିମ୍ପିକ୍ ଖେଳ ନଥିଲା। ବ୍ୟାଡ୍ମିଣ୍ଟନ୍କୁ ପ୍ରଦର୍ଶନୀ ଖେଳ ଭାବେ ନିଆଯାଇଥିଲା, ଯାହାକି ୧୯୬୨ ମସିହାରୁ ନିୟମିତ ସାମିଲ ରହିଛି। ସର୍ବାଧିକ ଦେଶ (୨୦), ସର୍ବାଧିକ ଖେଳାଳି (୧୮୨୦) ଏବଂ ସର୍ବାଧିକ ପଦକ (୩୫୦) ସହିତ ଟୋକିଓ ସଂସ୍କରଣ ସର୍ବବୃହତ ଏସିଆଡ୍ର ମାନ୍ୟତା ପାଇଥିଲା।