ଫେୟାର ପ୍ଲେରେ ଆଗେଇଲା, ଜାପାନ

ଭଲଗୋଗ୍ରାଡ୍‌/ସମାରା: ମସ୍କୋ ମହାସମରର ଗ୍ରୁପ୍‌-ଏଚ୍‌ରୁ କଲମ୍ବିଆ ଓ ଜାପାନ ପ୍ରି-କ୍ୱାର୍ଟରକୁ ଯାଇଛନ୍ତି। ଗୁରୁବାର କଲମ୍ବିଆ ରୋମାଞ୍ଚକର ଭାବେ ୧-୦ ଗୋଲ୍‌ରେ ସେନେଗାଲ୍‌କୁ ହରାଇ ଗ୍ରୁପ୍‌ ବିଜେତା ଭାବେ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରି ନେଇଛି। ଅନ୍ୟପକ୍ଷରେ ସେନେଗାଲ୍‌ ସହ ପଏଣ୍ଟ୍‌ ଓ ଗୋଲ୍‌ ବ୍ୟବଧାନରେ ସମାନ ସ୍ତରରେ ରହିବା ସତ୍ତ୍ୱେ ଫେୟାର ପ୍ଲେ (କମ୍‌ ସଂଖ୍ୟକ ହଳଦିଆ କାର୍ଡ) ରେ ଆଗୁଆ ରହି ଜାପାନ ପ୍ରି-କ୍ୱାର୍ଟର ଟିକେଟ ହାସଲ କରିଛି। ଦକ୍ଷିଣ କୋରିଆ, ଇରାନ ଓ ସାଉଦି ଆରବ ବିଦାୟ ନେବା ପରେ ଚଳିତ ବିଶ୍ୱକପ୍‌ରେ ପ୍ରି-କ୍ୱାର୍ଟର ଯିବାରେ ଜାପାନ ମଧ୍ୟ ଏକମାତ୍ର ଏସୀୟ ରାଷ୍ଟ୍ର ହୋଇଛି। ଜାପାନ ଗୁରୁବାର ନିଜ ଶେଷ ମ୍ୟାଚ୍‌ରେ କିନ୍ତୁ ପୋଲାଣ୍ଡଠାରୁ ୦-୧ରେ ହାରି ଯାଇଥିଲା। ଫଳରେ ପଏଣ୍ଟ୍‌ ଜରିଆରେ ସିଧାସଳଖ ପ୍ରି-କ୍ୱାର୍ଟରକୁ ଯିବାର ସୁଯୋଗ ହରାଇଥିଲା। ସେପଟେ ପୋଲାଣ୍ଡ ସାନ୍ତ୍ୱନା ମୂଳକ ବିଜୟ ପାଇ ସମ୍ମାନର ସହ ତା ବିଶ୍ୱକପ୍‌ ଅଭିଯାନ ଶେଷ କରିଥିଲା। ହେଲେ ତିନିଟି ଯାକ ମ୍ୟାଚ୍‌ରେ ଲଢ଼ୁଆ ଖେଳ ଖେଳି ଫୁଟବଲ୍‌ ପ୍ରେମୀଙ୍କ ହୃଦୟ ଜିତିଥିବା ସେନେଗାଲ ଦୁର୍ଭାଗ୍ୟଜନକ ଭାବେ ଲିଗ୍‌ ପର୍ଯ୍ୟାୟରେ ଅଟକି ଯାଇଥିଲା। ଏହି ଗ୍ରୁପରେ କଲମ୍ବିଆ ପ୍ରଥମ, ଜାପାନ ଦ୍ୱିତୀୟ, ସେନେଗାଲ ତୃତୀୟ ଏବଂ ପୋଲାଣ୍ଡ ସବାଶେଷ ଚତୁର୍ଥ ସ୍ଥାନରେ ରହିଥିଲା।

ପୋଲାଣ୍ଡ ପାଇଁ ବିଜୟ ସାନ୍ତ୍ୱନା

ପୋଲାଣ୍ଡ ବିଦାୟ ନେଇ ସାରିଥିବାରୁ ପ୍ରି-କ୍ୱାର୍ଟରକୁ ଯିବା ଲାଗି ଜାପାନକୁ କେବଳ ଡ୍ର’ର ଦରକାର ଥିଲା। ହେଲେ ଏଥିରେ ଏହି ଏସୀୟ ଶକ୍ତି ସଫଳ ହୋଇ ନଥିଲା। କାମିଲ ଗ୍ରୋସିକି ୩୨ ମିନିଟ୍‌ରେ ପୋଲାଣ୍ଡକୁ ଆଗୁଆ କରିଦେବାର ଦ୍ୱାର ଦେଶରେ ଥିଲେ। ଜାପାନ ଗୋଲ୍‌ ରକ୍ଷକ ଇଜି କାଓ୍ଵାସିମା ଡାଇଭ୍‌ ମାରି ଏହାକୁ ରୋକିବା ସହ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଧରେ କିନ୍ତୁ ପୋଲାଣ୍ଡ ନିଜ ପ୍ରଶଂସକଙ୍କ ଆଶା ପୂରଣ କରିଥିଲା। ରାଫାଲ କୁରଜାଓ୍ଵାଙ୍କ ଫ୍ରିକିକ୍‌କୁ ଚତୁରତାର ସହ ସଂଗ୍ରହ କରି ଏହାକୁ ଅନାୟସରେ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇଦେବା ସହ ଜାନ୍‌ ବେଡନାରେକ୍‌ ପୋଲାଣ୍ଡକୁ ଆଗୁଆ କରି ଦେଇଥିଲେ। ଷଷ୍ଠ ମ୍ୟାଚ୍‌ରେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଗୋଲ୍‌ ଥିଲା। ଏହାହିଁ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଜାପାନ ଏହି ଗୋଲ୍‌ଟିକୁ ଶୁଝି ନ ପାରିବାରୁ ପୋଲାଣ୍ଡ ସାନ୍ତ୍ୱାନମୂଳକ ବିଜୟ ସହ ବିଦାୟ ନେଇଥିଲା। ଜାପାନ ବିପକ୍ଷରେ ମଧ୍ୟ ପୋଲାଣ୍ଡର ଏହା ପ୍ରଥମ ବିଜୟ ଥିଲା। ଜାପାନ ଗୋଲ୍‌ ରକ୍ଷକ କାଓ୍ଵାସିମା ଆଜି ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ପୋଲାଣ୍ଡର ଏକାଧିକ ପ୍ରୟାସକୁ ସେ ନିଷ୍ଫଳ କରି ଦେଇଥିଲେ। ତାଙ୍କ ପାଇଁ ଜାପାନ ମାତ୍ର ଗୋଟିଏ ଗୋଲ୍‌ରେ ହାରିଥିଲା। ଗୋଲ୍‌ ବ୍ୟବଧାନ ଆଉ ଟିକେ ବଢ଼ିଥିଲେ ସେନେଗାଲ ଗୋଲ୍‌ ବ୍ୟବଧାନରେ ଆଗୁଆ ରହି ପ୍ରି-କ୍ୱାର୍ଟର ଯାଇ ଥାଆନ୍ତା।

ସମ୍ବନ୍ଧିତ ଖବର