ଜାପାନ୍‌ ଓପନ୍‌:ଦ୍ବିତୀୟ ପର୍ଯ୍ୟାୟରେ ସିନ୍ଧୁ

ଶ୍ରୀକାନ୍ତଙ୍କୁ ବିଦା କଲେ ପ୍ରଣୟ

ଟୋକିଓ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ ନିଜ ଦେଶର ଏଚ୍‌ଏସ୍‌ ପ୍ରଣୟଙ୍କଠୁ ହାରି ଜାପାନ୍‌ ଓପନ୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ‌ବୁଧବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ପ୍ରଣୟ ୧୩-୨୧, ୨୧-୧୧, ୨୨-୨୦ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଶ୍ରୀକାନ୍ତକୁ ହରାଇ ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ। ‌ମହିଳା ଏକକରେ ପିଭି ସିନ୍ଧୁ ୨୧-୯, ୨୧-୧୭ରେ ଚୀନ୍‌ର ହାନ୍‌ ୟୁଇଙ୍କୁ ପରାସ୍ତ କରି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସେହିପରି ପୁରୁଷ ଯୁଗଳରେ ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଠୀ ୨୧-୧୬, ୨୧-୧୭ରେ ଇଂଲଣ୍ଡ ଯୋଡ଼ି ମାର୍କସ ଏଲିସ ଓ କ୍ରିସ ଲାଙ୍ଗ୍ରିଜ୍‌ଙ୍କୁ ହରାଇ ଆଗକୁ ବଢ଼ିଥି‌ଲେ। ଅନ୍ୟପକ୍ଷରେ ପୁରୁଷ ଏକକରେ ସମୀର ବର୍ମା ୧୭-୨୧, ୧୨-୨୧ରେ ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟୋନ୍‌ସେନ୍‌ଙ୍କଠୁ, ମିଶ୍ରିତ ଯୁଗଳରେ ପ୍ରଣବ ‌ଜେରି ଚୋପ୍ରା-ଏନ୍‌ ସିକ୍କି ରେଡ୍ଡୀ ୧୧-୨୧, ୧୪-୨୧ରେ ଚୀନର ଝେଙ୍ଗ୍‌ ସି ୱି-ହୁଆଙ୍ଗ ୟା କ୍ବିଙ୍ଗ୍‌ଙ୍କଠୁ ଏବଂ ମହିଳା ଯୁଗଳରେ ଅଶ୍ବିନୀ ପୋନାପ୍ପା-ଏନ୍ ସିକ୍କି ରେଡ୍ଡୀ ୧୬-୨୧, ୧୪-୨୧ରେ କୋରିଆର କିମ୍‌ ‌ସୋ ୟଙ୍ଗ୍‌-କଙ୍ଗ୍‌ ହି ୟଙ୍ଗ୍‌ଙ୍କଠୁ ହାରି ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର