ଜାପାନରେ ଭାଇରସ୍‌ ଇମର୍ଜେନ୍ସି ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ିଲା

ଇମର୍ଜେନ୍ସି ସତ୍ତ୍ବେ ଅଲିମ୍ପିକ୍ସ ହେବ: ଆଇଓସି

ଟୋକିଓ : ଜାପାନ ସରକାର ଶୁକ୍ରବାର ଦେଶରେ କରୋନା ଭାଇରସ୍‌ ଇମର୍ଜେନ୍ସି ଅବଧିକୁ ଟୋକିଓ ଓ ଅନ୍ୟ ସହର ଲାଗି ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏହି ତାରିଖର ମାସକ ପରେ ଟୋକିଓ ଅଲିମ୍ପିକ୍ସ (ଜୁଲାଇ ୨୩) ଆରମ୍ଭ ହେବାକୁ ଯାଉଛି। ଏହ‌ାଦ୍ବାରା ଟୋକିଓ ଅଲିମ୍ପିକ୍ସ ସୁରକ୍ଷିତ ଭାବେ ଅୟୋଜିତ ହେବା ନେଇ ଆଶଙ୍କା ଜାତ ହୋଇଛି। ଟୋକିଓ ଅଲିମ୍ପିକ୍ସକୁ ଜାପାନରେ ପ୍ରବଳ ବିରୋଧ କରାଯାଉଥିଲେ ମଧ୍ୟ ଅୟୋଜକ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି ଦୃଢ଼ମନା ରହିଛନ୍ତି। ବିଦେଶୀ ପ୍ରଶଂସକଙ୍କ ଉପରେ କଟକଣା ଲାଗୁ କରାଯାଇ ସାରିଛି, ଏବେ ଭାଇରସ୍‌ ଇମର୍ଜେନ୍ସି ଅବଧି ବଢ଼ିବା ପରେ ସ୍ଥାନୀୟ ପ୍ରଶଂସକ ଓ ସମର୍ଥକମାନଙ୍କୁ ବି ଅଲିମ୍ପିକ୍ସ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ କି ନା ବିଚାର କରାଯାଉଛି। ଜାପାନରେ ଅପେକ୍ଷାକୃତ କମ୍‌ ସଂକ୍ରମଣ ରହିଛି। ଅଦ୍ୟାବଧି ମାତ୍ର ୧,୨୫,୦୦୦ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ଚତୁର୍ଥ ଲହର କାରଣରୁ ସରକାର ଟୋକିଓ ସମେତ ୧୦ଟି ଅଞ୍ଚଳରେ ଭାଇରସ୍ ଇମର୍ଜେନ୍ସି ଅବଧିକୁ ବଢ଼ାଇ ଦେଇଛନ୍ତି। ବାର ଓ ରେସ୍ତୋରାଁରେ ମଦ ବିକ୍ରିକୁ ଆଗୁଆ ବନ୍ଦ କରିଦିଆଯାଇଛି। ଚଳିତ ମାସ ଅଧାରୁ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ପରିସ୍ଥିତି ଅନିଶ୍ଚିତତା ଭିତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ପ୍ରକାଶ କରିଛନ୍ତି। ସଂକ୍ରମଣ ପରିସ୍ଥିତିରେ ଉନ୍ନତି ଆଣିବାକୁ ଲକ୍ଷ୍ୟରେ ରଖି ଭାଇରସ୍ ଇମର୍ଜେନ୍ସି ଅବଧି ବଢ଼ାଯାଇଛି ବୋଲି କହିଛନ୍ତି ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ମୁଖ୍ୟ ସି‌କୋ ହାସିମୋତୋ। ସୂଚନାଯୋଗ୍ୟ, ଜୁନ୍‌ ପହିଲାରୁ ଜାପାନର ଅଲିମ୍ପିକ୍ କ୍ରୀଡ଼ାବିତ୍‌ ମାନଙ୍କୁ ଟିକାକରଣ କରାଯିବ।

ଇମର୍ଜେନ୍ସି ସତ୍ତ୍ବେ ଅଲିମ୍ପିକ୍ସ ହେବ: ଆଇଓସି
ଟୋକିଓ : ଜାପାନ ସରକାର ଶୁକ୍ରବାର ଦେଶରେ କରୋନା ଭାଇରସ୍‌ ଇମର୍ଜେନ୍ସି ଅବଧିକୁ ଟୋକିଓ ଓ ଅନ୍ୟ ସହର ଲାଗି ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଯାଥାରୀତି ଆୟୋଜିତ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘ (ଆଇଓସି)। ମାତ୍ର ୯ ସପ୍ତାହ ପରେ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ମହାମାରୀ ମୁକ୍ତ କରିବାକୁ ଆୟୋଜକମାନେ ବଦ୍ଧ ପରିକର ରହିଛନ୍ତି। ଭାଇରସ୍ ଇମର୍ଜେନ୍ସି ସତ୍ତ୍ବେ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଓ ଅୟୋଜନ ଠିକଣା ପଥରେ ରହିଛି ବୋଲି ଆଇଓସି ଉପସଭାପତି ଜନ୍ କୋଟ୍ସ ପ୍ରକାଶ କରିଛନ୍ତି। ତ‌େବେ ପ୍ରତି ସପ୍ତାହରେ ‌ହେଉଥିବା ଜନମତ ସର୍ଭେରେ ଜାପାନର ୭୦ରୁ ଊର୍ଧ୍ବ ପ୍ରତିଶତ ଲୋକ ଟୋକିଓ ଅଲିମ୍ପିକ୍ସକୁ ପୁନଃସ୍ଥଗିତ କିମ୍ବା ବାତିଲ ପାଇଁ ଦାବି କରି ଆସୁଛନ୍ତି। ଡାକ୍ତରମାନେ ମଧ୍ୟ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ଏବଂ ବ୍ୟବସାୟୀ ଗୋ‌ଷ୍ଠୀ ମଧ୍ୟ ବିରୋଧ କରି ଆସୁଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ କରୋନା ପରିସ୍ଥିତି କାରଣରୁ ସ୍ଥଗିତ ରଖାଯାଇଥିଲା। ଏଥର ମଧ୍ୟ ସମାନ ପରିସ୍ଥିତି ରହିଛି। କିନ୍ତୁ ଜାପାନ ଓ ‌ଆୟୋଜକମାନେ ବିପୁଳ କ୍ଷତି ସହିବାକୁ ନାରାଜ ରହିଛନ୍ତି। ଜାପାନ ସରକାର ମଧ୍ୟ ଏହି ଐତିହାସିକ କ୍ରୀଡ଼ା ମହୋତ୍ସବକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ସମ୍ବନ୍ଧିତ ଖବର