ପୁଣି ହାରିଲା ଦକ୍ଷିଣ ଆଫ୍ରିକା, ଜାପାନ୍‌ ୨-୦ରେ ଜିତିଲା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଚାଲିଥିବା ପୁରୁଷ ଏଫ୍‌ଆଇଏଚ୍‌ ସରିଜ୍‌ ଫାଇନାଲ୍ସରେ ପ୍ରତିଯୋଗିତାର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଦଳ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପରାଜୟ ବରଣ କରିଛି। ଶନିବାର ମ୍ୟାଚ୍‌ରେ ଜାପାନ୍‌ ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଆମେରିକା ସହ ଦ୍ବିତୀୟ ଦଳ ଭାବେ ନକ୍‌ଆଉଟ୍‌ ସ୍ଥାନ ନିଶ୍ଚିତ କରିଛି। ସୋମବାର ଆମେରିକା ଓ ଜାପାନ୍‌ ମ୍ୟାଚ୍‌ ପରେ କେଉଁ ଦଳ ଗ୍ରୁପ୍‌-ବିର ବିଜେତା ହୋଇ ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚିବ ତାହା ଥୟ ହେବ। ‌ସେହିପରି ଦକ୍ଷିଣ ଆଫ୍ରିକ‌ା ଓ ମେକ୍ସିକୋ ମ୍ୟାଚ୍‌ ପରେ ତୃତୀୟ ଦଳ ଭାବେ କିଏ ନକ୍‌ଆଉଟ୍‌ରେ ପ୍ରବେଶ କରିବ ନିଶ୍ଚିତ ହେବ।

ଶନିବାର ଦ୍ବିତୀୟ ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟର୍‌ରେ ଜାପାନ୍‌ ପକ୍ଷରୁ କେଣ୍ଟାରୋ ଫୁକୁଡ଼ା (୨୬ ମନିଟ୍‌) ପ୍ରଥମ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିଲେ। ପ୍ରଥମାର୍ଧ ୧-୦ରେ ଶେଷ ହେବାପରେ ତୃତୀୟ କ୍ବାର୍ଟରର ଶେଷ ମିନିଟ୍‌ରେ ଜାପାନାର କାଜୁମା ମୁରାତା (୪୫ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଦଳ ୨-୦ରେ ଆଗୁଆ ‌ରହିଥିଲା। ଶେଷ କ୍ବାର୍ଟର୍‌ରେ ଉଭୟ ଦଳ ଜୋରଦାର ଲଢ଼ିଥିଲେ ମଧ୍ୟ ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଥିଲା। କିନ୍ତୁ ଏହି କ୍ବାର୍ଟର୍‌ରେ ଜାପାନ୍‌ର କାଜୁମା ମୁରାତା (୫୬ ମିନିଟ୍‌) ଏବଂ ଦକ୍ଷିଣ ଆଫ୍ରିକର ମାଥ୍ୟୁ ଡି’ସୌସା (୫୭ ମିନିଟ୍‌) ହଳଦିଆ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଶେଷ ପର୍ଯ୍ୟନ୍ତ ଉଭୟ ଦଳ ୧୦ ଜଣଙ୍କୁ ନେଇ ଖେଳିଥିଲେ। ଜାପାନ୍‌ର କେଣ୍ଟା ତାନାକା ମ୍ୟ‌ାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆରମ୍ଭରୁ ଅଲିମ୍ପିଆନ୍‌ ଲାଜରୁସ ବାର୍ଲା ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର