ସୁଜୁକା: ବ୍ରିଟେନ୍ ଡ୍ରାଇଭର୍ ଲୁଇସ୍ ହାମିଲଟନ୍ ଚଳିତ ଫର୍ମୁଲା ଓ୍ଵାନ୍ ଋତୁରେ ଦବ୍ଦବା ଜାରି ରଖିଛନ୍ତି। ରବିବାର ଏଠାରେ ଆୟୋଜିତ ଜାପାନିଜ୍ ଗ୍ରାଁ ପ୍ରି ରେସ୍ରେ ପୋଲ୍ ପୋଜିସନ୍ରୁ ଆଧିପତ୍ୟ ଜାହିର କରିଚାଲିଥିବା ହାମିଲଟନ୍ ରେଡ୍ବୁଲ୍ର ମାକ୍ସ ଭର୍ଷ୍ଟାପେନ୍ ଓ ଡାନିଏଲ୍ ରିକାର୍ଡୋଙ୍କୁ ପଛରେ ପକାଇ ଟ୍ରଫି କରାୟତ କରିଥିଲେ। ଜାପାନରେ ଏହା ମଧ୍ୟ ହାମିଲଟନ୍ଙ୍କ ଚତୁର୍ଥ ଟ୍ରଫି ବିଜୟ ଥିଲା। ଏଥି ସହିତ ହାମିଲଟନ୍ ଚଳିତ ଋତୁରେ ତାଙ୍କ ମର୍ସିଡେଜ୍କୁ ଅଷ୍ଟମ ଫର୍ମୁଲା ଓ୍ଵାନ୍ ବିଜୟ ଭେଟି ଦେଇଥିଲା ବେଳେ ବ୍ୟକ୍ତିଗତ ଭାବେ ପ୍ରତିଯୋଗିତାର ଅଗ୍ରଣୀ ଚାଳକ ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସେବାସ୍ତିଆନ୍ ଭିଟେଲ୍ଙ୍କଠାରୁ ପଏଣ୍ଟ୍ ବ୍ୟବଧାନକୁ ୫୯ରେ ପହଞ୍ଚାଇଛନ୍ତି। ଚଳିତ ଋତୁରେ ଆଉ ୪ ରେସ୍ ବାକିଥିବାରୁ ଭିଟେଲ୍ଙ୍କ ବିଶ୍ୱ ବିଜେତା ଆଶା ଆଶଙ୍କା ଭିତରେ ପଡ଼ିଯାଇଛି। ଏହି ରେସ୍ରେ ସେବାସ୍ତିଆନ୍ ଭିଟେଲ୍ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମାତ୍ର ୪ ଲ୍ୟାପ୍ ପରେ ଓହରିଯାଇଥିବାରୁ ହାମିଲଟନ୍ ମଧ୍ୟ ଚତୁର୍ଥ ଥର ଲାଗି ବିଶ୍ୱ ବିଜେତା ହେବାର ନିକଟତର ହୋଇଛନ୍ତି। ଜାପାନିଜ୍ ଗ୍ରାଁ ପ୍ରିରେ ହାମିଲଟନ୍ ମଧ୍ୟ ଭର୍ଷ୍ଟାପେନ୍ଙ୍କଠାରୁ ଗତ ସପ୍ତାହରେ ମାଲେସିଆ ପରାଜୟର ପ୍ରତିଶୋଧ ନେଇଛନ୍ତି। ମାଲେସିଆରେ ହାମିଲଟନ୍ଙ୍କୁ ପଛରେ ପକାଇ ଭର୍ଷ୍ଟାପେନ୍ ଟ୍ରଫି ଜିତି ନେଇଥିଲେ। ହେଲେ ସୁଜୁକାରେ ସେ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଅନ୍ୟପକ୍ଷରେ ରିକାର୍ଡୋ କ୍ରମାଗତ ଦ୍ୱିତୀୟ ରେସ୍ରେ ପ୍ରଥମ ତିନି ସ୍ଥାନ ମଧ୍ୟରେ ରହି ପୁରସ୍କୃତ ହୋଇଛନ୍ତି। ଏଠାରେ ରିକାର୍ଡୋ ତୃତୀୟ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ହାମିଲଟନ୍ଙ୍କ ମର୍ସିଡେଜ୍ ସାଥୀ ଡ୍ରାଇଭର ଭାଲ୍ଟେରି ବୋଟ୍ଟାସ୍ ଚତୁର୍ଥ ଏବଂ ଫେରାରି ଡ୍ରାଇଭର କିମି ରାଇକୋନେନ୍ ପଞ୍ଚମ ସ୍ଥାନରେ ରେସ୍ ଶେଷ କରିଥିଲା ବେଳେ ଫୋର୍ସ ଇଣ୍ଡିଆର ଦୁଇ ଡ୍ରାଇଭର ଇଷ୍ଟବନ୍ ଓକନ୍ ଏବଂ ସର୍ଗିଓ ପେରେଜ୍ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହି ପଏଣ୍ଟ୍ ମୂଲ୍ୟବାନ ଅକ୍ତିଆର କରିଛନ୍ତି। ଏମାନଙ୍କ ପଛକୁ କେଭିନ୍ ମାଗ୍ନୁସେନ୍, ରୋମାଇଁ ଗ୍ରୋଜେନ୍ ଯଥାକ୍ରମେ ଅଷ୍ଟମ ଓ ନବମ ସ୍ଥାନ ପାଇଥିଲା ବେଳେ ଫେଲିପ୍ ମାସା ଓ ଫର୍ନାଣ୍ଡୋ ଆଲୋଁସୋ ମିଳିତ ଭାବେ ଦଶମ ସ୍ଥାନରେ ରହିଥିଲେ।
ଜାପାନିଜ୍ ଗ୍ରାଁ ପ୍ରି ଜିତିଲେ ହାମିଲ୍ଟନ: ଭିଟେଲଙ୍କ ବିଶ୍ୱ ବିଜେତା ଆଶା ମଉଳିଲା
/sambad/media/post_attachments/wp-content/uploads/2017/10/2-Lewis-Hamilton-celebrates-on-the-podium-after-winning-the-Japanese-F1-Grand-Prix..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)