ବୁମରାଙ୍କ ଏସୀୟ କୀର୍ତ୍ତିମାନ

ଆଣ୍ଟିଗୁଆ: ତାରକା ବୋଲର ଯଶପ୍ରୀତ୍ ବୁମରାଙ୍କ ଘାତକ ବୋଲିଂ (୮-୪-୭-୫) ରବିବାର ରାତିରେ ଭାରତକୁ ଆଣ୍ଟିଗୁଆ ଟେଷ୍ଟ୍‌ରେ ବୃହତ୍ ବିଜୟ ପ୍ରଦାନ କରିଥିଲା। ଏହି ଅବସରରେ ବୁମରା ନିଜ ଖେଳ ଜୀବନର ଚତୁର୍ଥ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ବୁମରାଙ୍କ ସମସ୍ତ ୫ ୱିକେଟ୍ ସଫଳତା ବିଦେଶ ମାଟିରେ ପାଇଛନ୍ତି। ଏ କ୍ଷେତ୍ରରେ ସେ ଏକ ଏସୀୟ କୀର୍ତ୍ତିମାନକୁ ନିଜ ନାମରେ କରି ନେଇଛନ୍ତି। ନିଜର ପ୍ରଥମ ଗସ୍ତରେ ସେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍‌ରେ ଏଭଳି ସଫଳତା ଅର୍ଜନ କରିଥିବାର ପ୍ରଥମ ଏସୀୟ ବୋଲର ହୋଇଛନ୍ତି। ବୁମରାଙ୍କ ୫/୭ ମଧ୍ୟ ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠାରୁ ସ୍ବଳ୍ପ ରନ୍‌ ବ୍ୟୟ ୫ ୱିକେଟ୍‌ ସଫଳତା। ରବିବାର ବୁମରାଙ୍କ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ସୌଖିନ୍ ଖେଳାଳିଙ୍କ ପ୍ରଦର୍ଶନ ଭଳି ପାଲଟିଯାଇଥିଲା। ‘ଭଲ ଲାଗୁଛି, ଆମ ବୋଲିଂ ୟୁନିଟ୍‌ ଚାପ ପକାଇ ପାରୁଛୁ। ଆଣ୍ଟିଗୁଆରେ ବହୁଥିବା ପବନରୁ ଫାଇଦା ଉଠାଇ ଆମେ ନିଜ ଯୋଜନାକୁ ସଫଳ ରୂପାୟନ କରିଛୁ। ଆଉଟ୍ ସୁଇଙ୍ଗର ପାଇଁ ଅନେକ ପରିଶ୍ରମ ଏବଂ ଅଭ୍ୟାସ କରିବାକୁ ପଡ଼ିଥିଲା। ମୋ ନିକଟରେ ଇନ୍‌ସୁଇଙ୍ଗର ଥିଲା, କିନ୍ତୁ ଯେତେ ଅଧିକ ଖେଳୁଛି ଆଉଟ୍ ସୁଇଙ୍ଗର ପାଇଁ ଆତ୍ମବିଶ୍ବାସ ପାଇଛି’ ବୋଲି ବୁମରା ମ୍ୟାଚ୍‌ ପରବର୍ତୀ ଉତ୍ସବରେ କହିଥିଲେ। ଇଂଲଣ୍ଡରେ ଡ୍ୟୁକ୍ ବଲରେ ଖେଳିବା ମୋତେ ସହାୟକ ହୋଇଛି, ସବୁବେଳେ ନୂଆ କରିବାକୁ ଚାହେଁ ବୋଲି ମଧ୍ୟ ବୁମରା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଶୁକ୍ରବାରଠାରୁ କିଙ୍ଗଷ୍ଟନ୍‌ର ସାବିନା ପାର୍କରେ ଦ୍ବିତୀୟ ଟେଷ୍ଟ୍ ଖେଳାଯିବ।

ସମ୍ବନ୍ଧିତ ଖବର