ଟ୍ବେଣ୍ଟି-୨୦ରେ ବୁମ୍‌ରା ସର୍ବାଧିକ ୱିକେଟ୍‌ ଦଖଲକାରୀ ଭାରତୀୟ

ପୁଣେ: ଆହତ ପରେ ପ୍ରତ୍ୟାବର୍ତନ କରିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ। ଆଉ ଏହା ହିଁ ତାଙ୍କୁ ଏକ ଭାରତୀୟ କୀର୍ତ୍ତିମାନର ଅଧିକାରୀ କରିଦେଇଛି। ସେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତୀୟ ବୋଲର ଭାବେ ସର୍ବାଧିକ ୱିକେଟ୍‌ ଦଖଲକାରୀ ହୋଇଛନ୍ତି। ପୁଣେ ମ୍ୟାଚ୍‌ ପୂର୍ବରୁ ଉଭୟ ବୁମ୍‌ରା ଓ ସ୍ପିନର୍ ୟୁଜବେନ୍ଦ୍ର ଚହଲ ୫୨ ଲେଖାଏଁ ୱିକେଟ୍‌ ନେଇ ଯୁଗ୍ମ ଭାବେ ଶୀର୍ଷରେ ରହିଥିଲେ। ଉଭୟ ମଧ୍ୟ ପୁଣେ ମ୍ୟାଚ୍‌ ଖେଳିଥିଲେ। ତେବେ ଚହଲ୍‌ ୱିକେଟ୍‌ଶୂନ୍ୟ ରହିଥିଲା ବେଳେ ବୁମ୍‌ରା ଗୋଟିଏ ୱିକେଟ୍‌ ପାଇଥି‌ଲେ। ଫଳରେ ଚହଲ୍‌ଙ୍କୁ ପଛରେ ପକାଇ ବୁମ୍‌ରା (୫୩) ଏହି ଫର୍ମାଟ୍‌ (ଆନ୍ତର୍ଜାତିକ)ରେ ଭାରତର ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ବିବେଚିତ ହୋଇଛନ୍ତି। ୪୫ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ବୁମ୍‌ରା ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲା ବେଳେ ଚହଲ୍‌ (୩୭ ମ୍ୟାଚ୍‌, ୫୨ ୱିକେଟ୍‌) ପଛରେ ପଡ଼ିଗଲେ। ଅନ୍ୟ ଭାରତୀୟ ବୋଲର ଭାବେ ୪୬ ମ୍ୟାଚ୍‌ରୁ ୫୨ ୱିକେଟ୍‌ ନେଇଥିବା ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବେ ଚହଲ୍‌ଙ୍କ ସହ ଯୁଗ୍ଗ ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର