ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ଆରମ୍ଭ ହେବା ପୂର୍ବରୁ କ୍ରିକେଟପ୍ରେମୀଙ୍କୁ ଏକ ଭଲ ଖବର ମିଳିଛି। ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଇତିହାସ ରଚିଛନ୍ତି। ତାଙ୍କୁ ଆଇସିସି, ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବରେ ମନୋନୀତ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପର୍ଯ୍ୟନ୍ତ ମୋଟ ୬ଜଣ ଖେଳାଳି ଦେଶ ପାଇଁ ଏହି ବିଶେଷ ସମ୍ମାନ ପାଇଛନ୍ତି। ଯେଉଁଥିରେ ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହୱାଗ, ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲିଙ୍କ ନାମ ରହିଛି। ବୁମରାହ ଭାରତର ପ୍ରଥମ ଦ୍ରୁତ ବୋଲର ଯିଏ ଟେଷ୍ଟ ଫର୍ମାଟରେ ଏହି ବିଶେଷ ସମ୍ମାନ ପାଇଛନ୍ତି।
ଭାରତରୁ ପ୍ରଥମ ଥର ପାଇଁ ରାହୁଲ ଦ୍ରାବିଡଙ୍କୁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ପୁରସ୍କାର ପ୍ରଦାନ କରିଥିଲା ଆଇସିସି । ସେ ୨୦୦୪ ମସିହାରେ ଚମତ୍କାର ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଥିଲେ। ଏହା ପରେ, ୨୦୦୯ରେ ଗୌତମ ଗମ୍ଭୀର, ୨୦୧୦ରେ ବୀରେନ୍ଦ୍ର ସେହୱାଗ, ୨୦୧୬ରେ ରବିଚନ୍ଦ୍ରନ ଅଶ୍ୱିନ, ୨୦୧୮ରେ ବିରାଟ କୋହଲି ଏବଂ ଏବେ ୨୦୨୪ରେ ଜସପ୍ରୀତ ବୁମରାହ ଏହି ପୁରସ୍କାର ଜିତିଛନ୍ତି।
୨୦୨୪ ମସିହାରେ, ଜସପ୍ରୀତ ବୁମରାହ ଟେଷ୍ଟ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ଭାରତୀୟ ଦଳ ପାଇଁ ରେଡ୍ ବଲ୍ କ୍ରିକେଟରେ ମୋଟ ୧୩ଟି ମ୍ୟାଚ୍ ଖେଳିଥିଲେ। ଏହି ସମୟରେ, ସେ ୧୪.୯୨ ହାରରେ ୭୧ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। କେବଳ ଏତିକି ନୁହେଁ, ସଦ୍ୟ ସମାପ୍ତ ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ତାଙ୍କର ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେ ଦଳ ପାଇଁ ୩୨ଟି ୱିକେଟ ନେଇଥିଲେ।