ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟ୍ବେଣ୍ଟି-୨୦ରେ ୪ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ମାତ୍ର ୧୨ ରନ୍ ଦେଇ ୩ ୱିକେଟ୍ କରାୟତ୍ତ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଏକ ନିଆରା ବିଶ୍ବ କୀର୍ତ୍ତିମାନ କରିଛନ୍ତି। ରବିବାର ସେ ଟ୍ବେଣ୍ଟି-୨୦ରେ ପ୍ରଥମ ବୋଲର ଭାବେ ସର୍ବାଧିକ (୭) ମେଡେନ୍ ଓଭର ବୋଲିଂ କରିଛନ୍ତି। ଏହି କ୍ରମରେ ସେ ଶ୍ରୀଲଙ୍କାର ନୂଆନ କୁଳସେକରାଙ୍କୁ ଟପିଛନ୍ତି। କୁଳସେକରା ୫୮ ଟ୍ବେଣ୍ଟି-୨୦ ଖେଳି ୬ ମେଡେନ୍ ଓଭର ପକାଇଥିଲେ। ବୁମ୍ରା ମଧ୍ୟ ସପ୍ତମ ଭାରତୀୟ ଭାବେ ଆଜି ୫୦ତମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ସେ ଏହାକୁ ସ୍ମରଣୀୟ କରି ଦେଇଛନ୍ତି।
ରୋହିତଙ୍କ ୧୦୦ ପାଳି, ଟେଲରଙ୍କ ୧୦୦ ମ୍ୟାଚ୍
ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଟ୍ବେଣ୍ଟି-୨୦ ଅବସରରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଓ ଭାରତୀୟ କାମଚଳା ଅଧିନାୟକ ରୋହିତ ଶର୍ମା ସଫଳତାର ନୂଆ ସ୍ତର ଛୁଇଁଥିଲେ। ଟେଲର ନ୍ୟୁଜିଲାଣ୍ଡର ପ୍ରଥମ ପୁରୁଷ କ୍ରିକେଟର ଭାବେ ନିଜ ଶତକୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ। ସେପଟେ ରୋହିତ ରବିବାର ତାଙ୍କ ୧୦୦ତମ ଟ୍ବେଣ୍ଟି-୨୦ ପାଳି ଖେଳିଥିଲେ। ଟେଲରଙ୍କ ଛଡ଼ା ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର ସୁଜି ବେଟ୍ସ (୧୧୨) ମଧ୍ୟ ୧୦୦ କିମ୍ବା ତା’ଠାରୁ ଅଧିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପାକିସ୍ତାନର ସୋଏବ ମଲ୍ଲିକ (୧୧୩) ଓ ରୋହିତ ଶର୍ମା (୧୦୭)ଙ୍କ ପରେ ୧୦୦ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାରେ ଟେଲର ତୃତୀୟ ଖେଳାଳି ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ରେ ବିଶ୍ରାମ ନେଇଥିବା ରୋହିତ ପଞ୍ଚମ ମ୍ୟାଚ୍ର ଅଧିନାୟକ ନିଯୁକ୍ତ ହେବା ପରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ୧୦୦ ଟ୍ବେଣ୍ଟି-୨୦ ପାଳି ଖେଳିବାର ଗୌରବ ଅର୍ଜନ କରିଥିଲେ। ଏହି କ୍ଷେତ୍ରରେ ଏବେ କେବଳ ମଲ୍ଲିକ (୧୦୫) ତାଙ୍କ ଆଗରେ ରହିଛନ୍ତି।