ସୁମୋ ରିଙ୍ଗ୍‌ରେ ଜୋକୋଭିକ, ଜାପାନର ପାରମ୍ପିକ ଖେଳ ‘ସୁମୋ କୁସ୍ତି’ର ଆଖଡ଼ା ବୁଲିବାକୁ ଯାଇଥିଲେ ରିଙ୍ଗ୍‌ରେ ସୁମୋ ‌ଖେଳିଥିଲେ

ଟୋକିଓ: ଟେନିସ୍‌ କୋର୍ଟରେ ସବୁବେଳେ ଚମକ ଦେଖାଉଥିବା ନୋଭାକ ଜୋକୋଭିକଙ୍କୁ ସୋମବାର ସୁମୋ ରିଙ୍ଗ୍‌ରେ ଦେଖିବାକୁ ମିଳିଛି। ଜାପାନ୍‌ ଓପନ୍‌ ଖେଳିବା ଲାଗି ୩୨ ବର୍ଷୀୟ ଜୋକୋଭିକ ସଂପ୍ରତି ଟୋକିଓରେ ଅଛନ୍ତି। ଏହି ସମୟରେ ସେ ପାରମ୍ପିକ ଜାପାନି ଖେଳ ‘ସୁମୋ କୁସ୍ତି’ର ଆଖଡ଼ା ବୁଲିବାକୁ ଯାଇଥିଲେ। ‌ସକାଳ ଅଭ୍ୟାସ ବେଳେ ସେ ରିଙ୍ଗ୍‌ରେ ପହଞ୍ଚି ସୁମୋ ଯୋଦ୍ଧାଙ୍କ ସହ ଭାବବିନିମୟ କରିଥିଲେ। ଜଣେ ବିଶାଳକାୟ ଯୋଦ୍ଧାଙ୍କ ସହ ଲଢ଼ିବାର ମଜା ମଧ୍ୟ ନେଇଥିଲେ। ଏହାର ଭିଡିଓକୁ ଜୋକୋଭିକ ନିଜ ଟ୍ବିଟ୍‌ର ପୃଷ୍ଠାରେ ପ୍ରକାଶ କରିଥିଲେ। ଏବେ ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ମୋତେ ଲାଗିଲା ମୁଁ ଆକାରରେ ସେମାନଙ୍କଠୁ କମ୍‌ ଅଛି, କିଛି କିଲୋ ମାତ୍ର। କିନ୍ତୁ ମୁଁ ସେମାନଙ୍କ ସହ ଲଢ଼ିବାକୁ ପୂରା ମାତ୍ରାରେ ପ୍ରସ୍ତୁତ ବୋଲି ସେ କହିଥିଲେ। ଏମାନଙ୍କ ସହ ସମୟ କାଟି ଭଲ ଅଭିଜ୍ଞତା ପାଇଲି। ଏହା ଜାପାନର ଲୋକପ୍ରିୟ ଖେଳ ମଧ୍ୟରେ ଗଣାଯାଉଛି। ମୁଁ ଆଜି ରାତିରେ ମୋ ବାପାଙ୍କ ସହ କଥା ହେବା ବେଳେ ସୁମୋ ତାରକାଙ୍କ ସହ ଭେଟିବା ବିଷୟ‌ରେ ଜଣାଇବାକୁ ଭୁଲି ନଥିଲି ବୋଲି ୧୬ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଜୋକୋଭିକ କହିଛନ୍ତି।

ସମ୍ବନ୍ଧିତ ଖବର