ସଚିନଙ୍କୁ ପୂଜା କରୁଥିଲେ ଯଶସ୍ବୀ, ତମ୍ବୁତଳ ଜୀବନରୁ ଭାରତୀୟ ଡ୍ରେସିଂ ରୁମ୍
ମୁମ୍ବାଇ: ଗତ ଅକ୍ଟୋବର ମାସରେ ମାତ୍ର ୧୭ ବର୍ଷ ବୟସରେ ଲିଷ୍ଟ୍ ‘ଏ’ କ୍ରିକେଟ୍ରେ ଦ୍ବିଶତକ ହାସଲ କରିଥିବା ପ୍ରତିଭାବାନ ଯଶସ୍ବୀ ଜୟସ୍ବାଲଙ୍କ ବଂଧୁର କ୍ରିକେଟ୍ ଜୀବନର ଅନ୍ୟ ଏକ ଦିଗ ମଧ୍ୟ ପଦାକୁ ଆସିଛି। ଅକ୍ଟୋବରରେ ଝାଡ଼ଖଣ୍ଡ ବିପକ୍ଷ ବିଜୟ ହାଜରେ ଟ୍ରଫିରେ ଯଶସ୍ବୀ ୨୦୩ ରନ୍ ପାଳି ଖେଳି ଚର୍ଚାକୁ ଆସିଥିଲେ। ଏହି ପ୍ରଦର୍ଶନ ଆଧାରରେ ସେ ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ ଲାଗି ଭାରତୀୟ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି। କିନ୍ତୁ ଏହି ଯୁବ ପ୍ରତିଭାଙ୍କ କ୍ରିକେଟ୍ ଯାତ୍ରା ଯେ କେତେ କଷ୍ଟକର ଥିଲା ତା’ ସେ ପୁଣି ଥରେ ଖୋଲି କହିଛନ୍ତି। ‘କେବଳ କ୍ରିକେଟ୍ ଏବଂ ସଚିନ ତେନ୍ଦୁଲକର’ଙ୍କୁ ଅନୁସରଣ କରି ଆଗକୁ ବଢ଼ିଥିବା ଏହି କ୍ରିକେଟ୍ ପାଗଳ ଏବେ ଦେଶର ଭବିଷ୍ୟତ ତାରକା ହେବାର ସମ୍ଭାବନା ଦେଖାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶ ବାରଣାସୀ ନିକଟସ୍ଥ ବଦୋନି ନାମକ ଏକ ଛୋଟିଆ ଗାଁରେ ଯଶସ୍ବୀଙ୍କ ଜନ୍ମ। ଅନେକ ପ୍ରତିକୂଳ ପରିସ୍ଥିତି ଓ ପରିବେଶ ଦେଇ ଜୀବନ ବିତାଇଥିବା ଏହି କ୍ରିକେଟ୍ ପ୍ରତିଭା ଶେଷରେ ନିଜ କଠିନ ପରିଶ୍ରମର ମୂଲ୍ୟ ପାଇଛନ୍ତି। ଏକଦା ମୁମ୍ବାଇର ଆଜାଦ ମୈଦାନ ପାର୍ଶ୍ବ ଏକ ତମ୍ବୁ ତଳେ ରହୁଥିଲେ। ସେଠାରେ ନା ଥିଲା ବିଦ୍ୟୁତ, ନା ଥିଲା ଶୌଚାଳୟ। ନିଜର ଦୈନନ୍ଦିନ ଖର୍ଚ୍ଚ ପାଇଁ ସେ ଗଳିକନ୍ଦିରେ ପାଣିପୁରୀ ମଧ୍ୟ ବିକ୍ରି କରିଥିଲେ। ‘ମୁଁ କ୍ରିକେଟ୍କୁ ଭଲ ପାଏ ଏବଂ ଏହି ଖେଳକୁ ଖେଳିବା ଦ୍ବାରା ମୋତେ ଅତି ଖୁସି ଓ ଆନନ୍ଦ ମିଳେ। ମୁଁ ସଚିନ ସାର୍ଙ୍କ ବ୍ୟାଟିଂ ଦେଖିବା ଦିନଠାରୁ ମୁମ୍ବାଇରେ ରହିବା ଏବଂ ମୁମ୍ବାଇ ପାଇଁ ଖେଳିବାକୁ ଚାହିଁଥିଲି’ ବୋଲି ଯଶସ୍ବୀ କହିଛନ୍ତି। ମୁଁ ଯେତେବେଳେ ପିତାଙ୍କ ସହ ମୁମ୍ବାଇ ଆସିଥିଲି ନିୟମିତ ଭାବେ ଆଜାଦ ମୈଦାନ ଯାଉଥିଲି। ମୁଁ ସେଠାରେ କ୍ରିକେଟ୍ ଖେଳିବାକୁ ଭଲ ପାଉଥିଲି। କିନ୍ତୁ ପିତା ମୋତେ ଘରକୁ (ଉତ୍ତରପ୍ରଦେଶ) ଫେରିଯିବାକୁ କହିଥିଲେ। ମୁଁ କିନ୍ତୁ କହିଥିଲି ‘ଏଠି ରହିବି ଏବଂ ମୁମ୍ବାଇ ପାଇଁ ଖେଳିବି’। ଜଣେ ଦୋକାନବାଲା ଭାବେ ପିତାଙ୍କ ପାଖରେ ଏତେ ପଇସା ନ ଥିଲା ମୁମ୍ବାଇରେ ରହିବା ପାଇଁ। ସେ ଉତ୍ତରପ୍ରଦେଶ ଫେରି ଯାଇଥିଲେ, କିନ୍ତୁ ମୁଁ ରହି ଯାଇଥିଲି। ଏକମାତ୍ର ଏକାଗ୍ରତା ଥିଲା କ୍ରିକେଟ୍ ଖେଳିବା ଏବଂ ସଚିନ ତେନ୍ଦୁଲକରଙ୍କ ଆଦର୍ଶ ମାନିବା।
ଦିନେ ପପୁ ସାର୍ ମୋତେ କହିଥିଲେ ଯଦି ତୁମେ ଏହି ମ୍ୟାଚ୍ରେ ଭଲ କରିବ ତେବେ ପଡ଼ିଆ ପାର୍ଶ୍ବ ତମ୍ବୁରେ ରହିପାରିବ। ମୁଁ ସୌଭାଗ୍ୟବଶତଃ ଭଲ କରିଥିଲି ଏବଂ ରହିବାର ସୁଯୋଗ ପାଇଥିଲି। ସେଠାରେ କିନ୍ତୁ ବିଦ୍ୟୁତ ନ ଥିଲା, ଶୌଚ ହେବା ଲାଗି ବ୍ୟବସ୍ଥା ମଧ୍ୟ ନ ଥିଲା। ଖରାଦିନେ ଅସହ୍ୟ ଗରମ ଏବଂ ବର୍ଷା ଦିନେ ତମ୍ବୁ ଭିତରକୁ ପାଣି ପସି ଆସୁଥିଲା। ପରିବାରଠାରୁ ମଧ୍ୟ ଆର୍ଥିକ ସହାୟତା ମିଳୁନଥିଲା। ଖେଳି ସାରିବା ପରେ ମୁଁ ପାଣି ପୁରୀ ବିକି ଗୁଜରାଣ ମେଣ୍ଟାଉଥିଲି। ସାଥି ଖେଳାଳିମାନେ କେବେ କେବେ ପାଣି ପୁରୀ ଖାଇବାକୁ ଆସିଯାଉଥିଲେ ମୁଁ ଅପ୍ରୀତିକର ପରିସ୍ଥିତିରେ ପଡ଼ିଯାଉଥିଲି। ସକାଳେ ଶତକ ହାସଲ କରି ସନ୍ଧ୍ୟାରେ ପାଣିପୁରୀ ବିକିବା ମୋତେ ଖରାପ ଲାଗୁଥିଲା। ତଥାପି ଏହା ଏକ ଛୋଟ କାମ ବୋଲି ମୁଁ ଭାବୁନଥିଲି, କାରଣ ଏହା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ତାହାରି ଭିତରେ ମୋ ଏକାଗ୍ରତା କିନ୍ତୁ କ୍ରିକେଟ୍ ଉପରୁ ହଟିନଥାଏ। ଏସବୁ କରିବା ଭିତରେ ବି ମୁଁ ବିରକ୍ତ ହୋଇଯାଉଥିଲି। ଜ୍ବାଳା ସାର୍ଙ୍କୁ ଭେଟିବା ପରେ ମୋ ଜୀବନରେ ବଡ଼ ପରିବର୍ତନ ଘଟିଥିଲା। କ୍ରିକେଟ୍ ଛଡ଼ା ଅନ୍ୟ କିଛି କଥା ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଥିଲେ। ମୋ ପାଖରେ ଖାଇବାକୁ ଖାଦ୍ୟ କି ରହିବାକୁ ଘର ନଥିଲା, କିନ୍ତୁ କ୍ରିକେଟ୍କୁ ନ ଛାଡ଼ିବାକୁ ସେ ବାରମ୍ବାର କହୁଥିଲେ। ମୁଁ ଯେତେବେଳେ ଚଳିତ ବର୍ଷ ମୁମ୍ବାଇ ବିଜୟ ହଜାରେ ଟ୍ରଫି ଦଳରେ ସ୍ଥାନ ପାଇଲି ଏବଂ ସର୍ବକନିଷ୍ଠ ଖେଳାଳିଭାବେ ଲିଷ୍ଟ୍ ‘ଏ’ ଦ୍ବିଶତକ ଜମାଇଲି ସବୁ ପରିଶ୍ରମର ମୂଲ୍ୟ ମିଳିଯାଇଥିଲା ବୋଲି କହିଥିଲେ ୧୭ ବର୍ଷୀୟ ଯଶସ୍ବୀ।