ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଜଉନା ଓ ପୂର୍ଣ୍ଣିମା

ଭୁବନେଶ୍ୱର: ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ୍‌ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏବଂ ଜଉନା ମୁର୍ମୁ ଆସନ୍ତା ମାସର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ଦଳରେ ସ୍ଥାନ ପାଇଛନ୍ତି। ଶନିବାର ପାତିଆଲାରେ ଭାରତୀୟ ଦୌଡ଼କୁଦ ସଂଘ ଆନୁଷ୍ଠାନିକ ଘୋଷଣା କରିବା ପରେ ଏହି ଦୁଇ ଜଣ ଏପ୍ରିଲ୍‌ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟ୍‍ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ। ଏଥି ସହିତ ପୂର୍ଣ୍ଣିମା ଏବଂ ଜଉନାଙ୍କ ଖେଳ ଜୀବନ ନୂଆ ଶିଖର ଛୁଇଁଛି। ଏସୀୟ ଦୌଡ଼କୁଦରେ ଦୁଇ ଦୁଇ ଥର କାଂସ୍ୟ ପଦକ ବିଜୟିନୀ ପୂର୍ଣ୍ଣିମା ହେପ୍ଟାଥଲନରେ ଏବଂ ଜଉନା ଭାରତର ୪ ଗୁଣା ୪୦୦ ମିଟର୍‌ ରିଲେ ଦଳରେ ପ୍ରତିନିିଧିତ୍ୱ କରିବେ। ମାର୍ଚ ୮ ତାରିଖରେ ପାତିଆଲାରେ ଅନୁଷ୍ଠିତ ଚୟନ ସମିତି ବୈଠକରେ ଏହି ଖେଳାଳିମାନଙ୍କୁ ଚୟନ କରାଯାଇଥିଲା। ପୂର୍ଣ୍ଣିମା ଚଳିତ ସପ୍ତାହରେ ପାତିଆଲାଠାରେ ଅନୁଷ୍ଠିତ ଫେଡେରେସନ୍‌ କପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ରାଜ୍ୟଗୋଷ୍ଠୀ ପାଇଁ ଧାର୍ଯ୍ୟ ଯୋଗ୍ୟତାଠାରୁ ୧୧ ପଏଣ୍ଟ୍‌ କମ୍‌ ପାଇଥିଲେ। ଏହା ସତ୍ତ୍ୱେ ତାଙ୍କ ବିଚାରକୁ ନିଆଯାଇଥିଲା। ସେହିଭଳି ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ୪୦୦ ମିଟର୍‌ ରିଲେ ଦଳ ପଠାଇବାକୁ ନିଷ୍ପତି ନେବା ପରେ ଜଉନାଙ୍କୁ ସୁଯୋଗ ମିଳିଛି। ଭାରତୀୟ ଦୌଡ଼କୁଦ ସଂଘ ଶନିବାର ଘୋଷଣା କରିଥିବା ୩୧ ଜଣିଆ ଦଳରୋ ମୋଟ ୧୩ ଜଣ ମହିଳା ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର