ଜଉନାଙ୍କୁ ‌‌‌ରୌପ୍ୟ, ରେଳବାଇ ବିଜେତା, ସର୍ଭିସେସ୍ ଉପବିଜେତା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ୫୮ତମ ଜାତୀୟ ଓପନ ଦୌଡ଼କୁଦରେ ରେଳବାଇ ଓଭରଅଲ୍ ବିଜେତା ହୋଇଥିଲା ବେଳେ ସର୍ଭିସେସ୍ ଉପବିଜେତା ଆଖ୍ୟା ଅର୍ଜନ କରିଛି। ଏହି ଚାରି ଦିନିଆ ପ୍ରତିଯୋଗିତାରେ ରେଳବାଇ ମୋଟ ୩୦୦ ପଏଣ୍ଟ ଅର୍ଜନ କରିଥିଲା। ଅନ୍ୟ ପକ୍ଷରେ ସର୍ଭିସେସ୍ ୧୯୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ୬୪ ପଏଣ୍ଟ ଅର୍ଜନ କରି ପଂଜାବ ତୃତୀୟ ସ୍ଥାନରେ ଅଭିଯାନ ଶେଷ କରିଥିଲା। କ୍ରୀଡ଼ା ପାୱାର ହାଉସ୍ ହରିଆଣା ୫୯ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ଥିଲା। ତାମିଲନାଡୁ (୫୭), ଓଏନଜିସି (୫୩), କର୍ଣ୍ଣାଟକ (୨୮), କେରଳ (୨୪), ମହାରାଷ୍ଟ୍ର (୧୯), ରାଜସ୍ଥାନ (୧୮) ପଞ୍ଚମରୁ ଦଶମ ସ୍ଥାନରେ ରହିଥିଲେ। ରାଜ୍ୟ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା ମୁଖ୍ୟ ଅତିିଥି, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା , ଏଏଫଆଇ ସଂପାଦକ ସିକେ ଭାଲସାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କୃତ ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ସରକାର ଘୋଷଣା କରିଥିବା ଆର୍ଥିକ ପୁରସ୍କାର ମଧ୍ୟ ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କୁ ପ୍ରଦାନ କରାଯାଇଥିଲା। ତଦନୁଯାୟୀ ସ୍ବର୍ଣ୍ଣ ପଦକ ବିଜେତା ୧୦,୦୦୦, ରୌପ୍ୟ ପଦକ ବିଜେତା ୭,୫୦୦ ଏବଂ କାଂସ୍ୟ ପଦକ ହାସଲକାରୀ ୫,୦୦୦ ଟଙ୍କାର ଚେକ୍ ପାଇଥି‌େଲ।

ଅଞ୍ଜଳି ଓ ଶ୍ରୀଶଙ୍କର ଶ୍ରେଷ୍ଠ ଖେଳାଳି
ଭୁବ‌େନଶ୍ବରର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ୫୮ତମ ଜାତୀୟ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତା‌େର କେରଳର ଲମ୍ବ ଡିଆଁ ତାରକା ଏମ୍ ଶ୍ରୀଶଙ୍କର ଏବଂ ହରିଆଣାର ଅଞ୍ଜଳି ଦେବୀ କୁଣ୍ଡୁ ଯଥାକ୍ରମେ ପୁରୁଷ ଏବଂ ମହିଳା ବର୍ଗର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଶ୍ରୀଶଙ୍କର ଗୁରୁବାର ତୃତୀୟ ଦିବସରେ ୮.୨୦ ଦୂରତା‌କୁ ଲମ୍ଫ ମାରି ନୂଆ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ମହିଳା ୪୦୦ ମିଟରରେ ଅଞ୍ଜଳି ୫୧.୭୯ ସେକେଣ୍ଡ୍‌ ସମୟ ସହ ଜାତୀୟ କୀର୍ତ୍ତିମାନର ନିକଟତର ହୋଇ ପାରିଥିଲେ।

ଶୁକ୍ରବାର ବିଭିନ୍ନ ଖେଳର ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଜିତିଥିବା ଖେଳାଳିମାନେ ହେଲେ
ମହିଳା ହାମର ଥ୍ରୋ- ସରିତା ପି ସିଂହ, ଜ୍ୟୋତି, ପୂନମ ଦେବୀ। ମହିଳା ଉଚ୍ଚ ଡିଆଁ- ଜ୍ୟୋତି, ଆଞ୍ଜେଲ୍‌ ପି ଦେବାସିଆ, ଜିନୁ ମାରିଆ ମୁନୁଏଲ୍‌। ପୁରୁଷ ଜାଭେଲିନ୍‌- ଅଭିଷେକ ସିଂହ, ବିପିନ କାସାନା, ସାହିଲ ସିଲୱାଲ୍‌। ୨୦୦ ମିଟର ଦୌଡ଼- ରୀନା ଜର୍ଜ, ଚାଭି ଶାରାବତୀ, ରୋଜାଲିନ ଲିୱିସ୍‌ (ମହିଳା) ଏବଂ ସଂଜୀତ, ଗୁରଲା‌ଲ ସିଂହ, କେ ଅଶୋକ (ପୁରୁଷ)। ପୁରୁଷ ଟ୍ରିପଲ୍‌ ଜମ୍ପ୍‌- ଅର୍ପିନ୍ଦର ସିଂହ, ଆରିଭୁ ସେଲ୍‌ଭାମ ଡି, ନବଜିତ ସିଂହ। ୮୦୦ ମିଟର ଦୌଡ଼- ଟ୍ବିଙ୍କିଲ୍‌ ଚୌଧୁରୀ, ଅର୍ଚନା ଆଧବ, ଗୋମତୀ ଏମ୍‌ (ମହିଳା ଏବଂ ମହମ୍ମଦ ଆଫ୍‌ସାଲ୍‌ ପି, ବିଶ୍ବମ୍ବର କୋଲେକର, ବିଅନ୍ତ ସିଂହ (ପୁରୁଷ)। ମହିଳା ହେପ୍ଟାଥଲନ- ଲିକ୍ସ ଯୋ‌ଶେଫ, ମାରୀନା ଜର୍ଜ, ସୋମିଆ। ୩୦୦୦ ମିଟର ‌ଟ୍ରିପଲ୍‌ଚେଜ୍‌- ସାବଲେ ଅଭିନିଷ, ରାକେଶ କୁମାର ସ୍ବାମୀ, ଦୁର୍ଗା ବାହାଦୂର ବୁଧା (ପୁରୁଷ) ଏବଂ ଚିନ୍ତା ଯାଦବ, ସୁଗନ୍ଧା ଗୁର୍ଜାର, ରିଚା ଭଦୌରିୟା (ମହିଳା)। ୪ଗୁଣା ୪୦୦ ରିଲେ: ରେଳବାଇ, ଓଏନ୍‌ଜିସି, ଦିଲ୍ଲୀ (ମହିଳା) ଏବଂ ସଭିର୍ସେସ୍‌, ରେଳବାଇ, ମଣିପୁର (ପୁରୁଷ)।

ଅଭିନାଶଙ୍କ ଜାତୀୟ କୀର୍ତ୍ତିମାନ
୫୮ତମ ଜାତୀୟ ଓପନ ଦୌଡ଼କୁଦର ଶେଷ ଦିନରେ ସର୍ଭିସେସର ଅଭିନାଶ ସାବଲେ ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୮ ମିନିଟ୍ ୨୯.୮୦ ସେକେଣ୍ଡ ସମୟ ସହ ସେ ୧୯୮୧ ମସିହାରେ ଟୋକିଓରେ ଗୋପାଳ ସାଇନି (୮ ମିନିଟ୍ ୩୦.୮୮) ଜାତୀୟ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ସେ ମଧ୍ୟ ୨୦୧୦ରେ ଇଲମ ସିଂହ କୋଚି (୮ ମିନିଟ୍ ୩୯.୧୮ ସେକେଣ୍ଡ୍‌)କରିଥିବା ମିଟ୍ ରେକର୍ଡକୁ ଟପି ଯାଇଥିଲେ। ଏହି ଇଭେଣ୍ଟ୍‌ରେ ସର୍ଭିସେସ୍ ପ୍ରଥମ ତିନି ସ୍ଥାନରେ ରହି ସବୁ ପଦକ ପୋଛି ନେଇଥିଲା। ଅଭିନାଶ ଦୀର୍ଘ ୩୭ ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିବା ଶେଷ ଦିନର ଅନ୍ୟତମ ଆକର୍ଷଣ କରିଥିଲା।

ଓଡ଼ିଶା ହାତ ଖାଲି
ଦୁଇ ତାରକା ଖେଳାଳି ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଭିନ୍ନ ଭିନ୍ନ କାରଣ ପାଇଁ ଓହରି ଯିବା ପରେ ଘରୋଇ ପରିବେଶ ସତ୍ତ୍ବେ ୫୮ତମ ଜାତୀୟ ଓପନ ଦୌଡ଼କୁଦରେ ଆୟୋଜକ ଓଡ଼ିଶା ଗୋଟିଏ ହେଲେ ବି ପଦକ ଜିତି ପାରି ନାହିଁ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୬ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲେ। ହେଲେ କେହି ପଦକ ଜିତିବାକୁ ସକ୍ଷମ ହୋଇ ନଥିଲେ। ଅମିୟ ୧୦୦ ମିଟରରେ ସେମିଫାଇନାଲ୍ ଆଗକୁ ବଢ଼ି ପାରି ନଥିଲେ। ୨୦୦ ମିଟର ଫାଇନାଲରେ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। ୧୦୦ ମିଟରରେ ଅଭିଜିତ ସାହୁ ପ୍ରଥମ ପର୍ଯ୍ୟାୟ ଆଗକୁ ବଢ଼ି ପାରି ନଥିଲେ। ଲମ୍ବ ଡିଆଁରେ ଆଶିଷ କୁମାର ପାତ୍ର ନବମ ସ୍ଥାନ‌େର ରହିଥିଲା। ଅନ୍ୟ ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ଫାଇନାଲ୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନଥିଲେ।

ଅମିୟ ଅଯୋଗ୍ୟ
ପ୍ରଥମ ତିନି ଦିନରେ ଓଡ଼ିଶା ଖେଳାଳିମାନେ ଜଣକ ପରେ ଜଣେ ନିରାଶ କରିବା ପରେ ଶେଷ ଦିନରେ ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକ ରାଜ୍ୟ ପାଇଁ ପଦକ ଖାତା ଖୋ‌ଲିବେ ବୋଲି ଆଶା କରାଯାଉଥିଲା। ହେଲେ ସେ ୧୦୦ ଭଳି ୨୦୦ ମିଟରରେ ମଧ୍ୟ ନିରାଶ କରିଥିଲେ। ୨୦୦ ମିଟର ଫାଇନାଲର ସବର୍ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ଦିଆଯାଇଥିବା ପ୍ରଥମ ଫଳାଫଳ ତାଲିକାରେ ୨୧.୭୯ ସେକେଣ୍ଡ ସମୟ ସହ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ହେଲେ ଦ୍ବିତୀୟ ତାଲିକାରେ ବୈଷୟିକ କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ଖେଳରେ ସର୍ଭିସେସର ସଂଜିତ (୨୧.୩୦) ପ୍ରଥମ, ପଂଜାବର ଗୁରଲାଲ ସିଂହ (୨୧.୬୬) ଦ୍ବିତୀୟ ଏବଂ ସର୍ଭିସେସର କେ ଅଶୋକ (୨୧.୬୬) ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଓଡ଼ିଶା କୌଣସି ପଦକ ଜିତି ପାରି ନଥିଲେ ମଧ୍ୟ ନିଜ ନିଜ ବୃତ୍ତିଗତ ସଂସ୍ଥାର ପ୍ରତିନିଧିତ୍ବ କରି ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁ ଦୁଇଟି ପଦକ ଜିତିଛନ୍ତି। ରେଳବାଇର ପ୍ରତିନିଧିତ୍ବ କରି ପୂର୍ଣ୍ଣିମା ୧୦୦ ମିଟର ବାଧାଦୌଡ଼ରେ କାଂସ୍ୟ ପଦକ ହାସଲ କରିଥିଲେ। ଶୁକ୍ରବାର ଜଉନା ମୁର୍ମୁ ସାନ୍ତ୍ବନାମୂଳକ ରିଲେ ରୌପ୍ୟ ହାସଲ କରିଛନ୍ତି।। ପ୍ରତିଯୋଗିତାର ଶେଷ ଦିନରେ ଜଉନା ଓଏନଜିସି ତରଫରୁ ୪ଗୁଣା ୪୦୦ ମିଟର ରିଲେ ଦୌଡ଼ରେ ଅଂଶ ଗ୍ରହଣ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ସୋନିଆ ବୈଶ୍ୟ, ରଜନୀ ନାଗର, ଟ୍ବିଙ୍କଲ ଚୌଧୁରୀ ଓ ଜଉନାଙ୍କୁ ଗଠିତ ଓଏନଜିସି ଦଳ ରେଳବାଇ ପଛକୁ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ସୋନିଆ, ରଜନୀ ଓ ଟ୍ବିଙ୍କଲ ଓଏନଜିସିକୁ ଆଗୁଆ ରଖିଥିଲେ। ‌େହଲେ ସପୂର୍ଣ୍ଣ ସୁସ୍ଥ ନଥିବା ଜଉନା ଆଶାଜନକ ଫିନିସିଂ କରି ପାରି ନଥିଲେ। ଫଳରେ ସ୍ବର୍ଣ୍ଣ ପଦକ ହାତଛଡ଼ା କରିଥିଲେ। ପୂର୍ବରୁ ସେ ୪୦୦ ମିଟର ଏବଂ ୪୦୦ ମିଟର ବାଧାଦୌଡ଼ରେ ଅଂଶ ଗ୍ରହଣ କରିବାର ଥିଲା। ତେବେ ଅସୁସ୍ଥତା କାରଣରୁ ଏହି ଦୁଇ ଖେଳରେ ଭାଗ ନେଇ ପାରି ନଥିଲେ ବୋଲି ଜଉନା କହିଥିଲେ।

ସମ୍ବନ୍ଧିତ ଖବର