ଶାସ୍ତ୍ରୀଙ୍କୁ ମିଆଁଦାଦ ସନ୍ତରଣାଗାରକୁ ଫିଙ୍ଗିଥିଲେ

ଭାରତ ଗସ୍ତର ସ୍ମୃତିକୁ ବଖାଣିଲେ

କରାଚି : ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ୍‌ ମିଆଁଦାଦ୍‌ ବିଗତ ବର୍ଷର ଏକ ଘଟଣାକୁ ରୋମନ୍ଥନ କରିଛନ୍ତି। ପାକିସ୍ତାନ ଦଳର ଭାରତ ଗସ୍ତ ବେଳେ କିପରି ରବି ଶାସ୍ତ୍ରୀଙ୍କୁ କିଛି ଖେଳାଳି ମିଶି ସନ୍ତରଣାଗାରକୁ ଫିଙ୍ଗି ଦେଇଥିଲେ, ସେ ସଂପର୍କ ସ୍ମୃତିକୁ ବୁଧବାର ଏକ ୟୁଟ୍ୟୁବ ଚ୍ୟାନେଲକୁ କହିବା ଅବସରରେ ମନେ ପକାଇଛନ୍ତି ସେ। ସେହି ଗସ୍ତରେ ଉଭୟ ଦଳ (ପାକିସ୍ତାନ ଓ ଭାରତ) ବେଙ୍ଗାଲୁରୁର ଏକ ହୋଟେଲରେ ଏକାଠି ହୋଲି ଖେଳିଥିଲେ। ହୋଟେଲ ରୁମ୍‌ରେ ଖଳାଳିମାନଙ୍କ ପାଇଁ ସେମିତି ବିଶେଷ କିଛି କରିବାର ନଥିଲା। ତେଣୁ ସେମାନେ ପରସ୍ପର ସହ ରଙ୍ଗ ବୋଳା‌ବୋଳିରେ ସମୟ ବିତାଇଥିଲା ବେଳେ ଜଣକୁ ଅନ୍ୟଜଣେ ସନ୍ତରଣାଗାର (ସୁଇମିଂ ପୁଲ୍‌)କୁ ଫିଙ୍ଗିଦେବାର ମଜା ଉଠାଉଥିଲେ। ବାଙ୍ଗାଲୋର ଟେଷ୍ଟ୍‌ ବେଳେ ଉଭୟ ଦଳ ଗୋଟିଏ ହୋଟେଲରେ ହିଁ ରହୁଥିଲେ। ସେଠାରେ ଆଉ କିଛି କରିବାର ସୁଯୋଗ ନଥିଲା। ସଂଧ୍ୟାରେ ଆମେ ସମସ୍ତେ ଏକାଠି ସମୟ କଟାଉଥିଲୁ। ଏହା ବୋଧହୁଏ ହୋଲିର ଋତୁ ଥିଲା ବୋଲି ମିଆଁଦାଦ୍‌ ମନେ ପକାଇଥିଲେ। ହୋ‌ଟେଲରେ ସେଥିପାଇଁ ଲୋକମାନେ ରଙ୍ଗ ‌ଖେଳରେ ମାତି ଯାଇଥାନ୍ତି। ମୋର ମନେ ଅଛି, ଆମେ ଇମ୍ରାନ୍‌ ଖାନ୍‌ଙ୍କ କୋଠରୀକୁ ପଶିଗଲୁ ଏବଂ ପରସ୍ପର ରଙ୍ଗ ବୋଳା‌ବୋଳି ହେଲୁ। ଏପରିକି ମୁଁ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଛାଡ଼ିନଥିଲି। ଅବଶ୍ୟ ରଙ୍ଗ ଖେଳିବାରେ ସେମାନଙ୍କର କିଛି ସମସ୍ୟା ନଥିଲା। ସେତେକିବେଳେ ଆମେ ରବି ଶାସ୍ତ୍ରୀଙ୍କୁ ତାଙ୍କ କୋଠରୀରୁ ଧରିଲୁ। ସେ କୁଆଡେ ଲୁଚି ଯାଇଥିଲେ। ଆମେ ତାଙ୍କ କୋଠରୀରେ ପଶି ତାଙ୍କୁ ଖୋଜି ପାଇଗଲୁ। ତାଙ୍କୁ ଧରିଆଣି ସିଧା ସନ୍ତରଣାଗାରକୁ ଫିଙ୍ଗିଦେଲୁ। ଆଉ ସମସ୍ତେ ସେଥିରୁ ମଜା ନେଲୁ ବୋଲି ମିଆଁଦାଦ୍‌ ପୁରୁଣା କଥାକୁ ମନେ ପକାଇଥିଲେ। ତାହାହିଁ ପାକିସ୍ତାନ ଦଳ ପାଇଁ ଶ୍ରେଷ୍ଠ ଗସ୍ତ ଥିଲା ଯେଉଁଥିରେ କି ସମସ୍ତେ ଖୁବ୍‌ ଉପଭୋଗ କରିଥିଲୁ ବୋଲି ମିଆଁଦାଦ୍‌ କହିଥିଲେ। ନିଜ ନିଜ ମଧ୍ୟରେ ଉତ୍ସବ ମନାଇଥିଲୁ। ଏବେ ସେହିପରି ସମସ୍ତେ ପରସ୍ପର ଉତ୍ସବରେ ଯୋଗଦେବା ଉଚିତ ବୋଲି ସେ କହିଛନ୍ତି।

ମିଆଁଦାଦ ବିଦା‌ହେବା ପଛରେ ଇମ୍ରାନଙ୍କ ହାତ ଥିଲା
ଲାହୋର : ଜାଭେଦ ମିଆଁଦାଦ ପାକିସ୍ତାନ କ୍ରିକେଟର ଅନ୍ୟତମ କିଂବଦନ୍ତି ତାରକା। ହେଲେ ୧୯୯୩ ମସିହାରେ ତାଙ୍କୁ ପାକିସ୍ତାନ ଜାତୀୟ ଚୟନକର୍ତ୍ତାମାନେ ଦଳ ବାହାରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମିଆଁଦାଦ ଆଉ ପାକିସ୍ତାନ କ୍ରିକେଟ୍ ଦଳରେ ସ୍ଥାନ ପାଇ ନଥିଲେ। ଏସବୁ ପଛରେ ପାକିସ୍ତାନର ବିଶ୍ବବିଜୟୀ ଅଧିନାୟକ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ହାତ ଥିଲା। ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲ୍ଲୀ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ‘‘୧୯୯୨ ମସିହାରେ ପାକିସ୍ତାନ ବିଶ୍ବକପ୍ ଜିତିବା ପରେ ପରେ ଇମ୍ରାନ କ୍ରିକେଟ୍‌ରୁ ଅବସର ନେଇ ଯାଇଥିଲେ। ତଥାପି ଆମ ଜାତୀୟ ଦଳ ଉପରେ ତାଙ୍କର ବେଶ୍ ପ୍ରଭାବ ରହିଥିଲା। ଇମ୍ରାନ ହିଁ ମିଆଁଦାଦଙ୍କୁ ଦଳରୁ ବାଦ ଦେବା ଲାଗି ଚୟନକର୍ତାଙ୍କ ଉପରେ ଚାପ ପକାଇଥିଲେ। ଇମ୍ରାନଙ୍କ ଷଡ଼ଯନ୍ତ୍ର ପାଇଁ ମିଆଁଦାଦ ଦଳରୁ ବିଦା ହେବା ପରେ ମୁଁ କିଛି ମ୍ୟାଚ୍ ତାଙ୍କ ସ୍ଥାନରେ ଖେଳିଥିଲି।’’ ସୂଚନାଯୋଗ୍ୟ ଯେ ୧୯୯୩ରୁ ୯୬ ମଧ୍ୟରେ ବାସିତ ପାକିସ୍ତାନ ଜାତୀୟ ଦଳରୁ ୧୯ ଟେଷ୍ଟ୍‌ ଓ ୫୦ ଦିନିକିଆ ଖେଳିଥିଲେ।

ସମ୍ବନ୍ଧିତ ଖବର