ଭୁବନେଶ୍ବର: ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ର ଶେଷ ଦିବସରେ ଅର୍ଥାତ୍‌ ରବିବାର ଜାଭଲିନ୍‌ ଫାଇନାଲ୍‌ ଅନୁଷ୍ଠିତ ହେବ। ଶେଷ ଦିନରେ ୮ଟି ଇଭେଣ୍ଟର ଫାଇନାଲ୍‌ ଥିଲେ ବି ସବୁ ଭାରତୀୟଙ୍କ ନଜର ଜାଭଲିନ୍‌ ଉପରେ ରହିବ। ଭାରତରୁ ନୀରଜ ଚୋପ୍ରା, ଡିପି ମନୁ ଓ କିଶୋର କୁମାର ଜେନା ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ପୂର୍ବରୁ ଆମେରିକା, ଫିନ୍‌ଲାଣ୍ଡ ଓ ଜର୍ମାନି ବିଗତ ୧୮ଟି ସଂସ୍କରଣରେ ଏହି ପରି ବିରଳ ମାଇଲଖୁଣ୍ଟ ଛୁଇଁଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ସର୍ବାଧିକ ଦୂରତା ପାଇ ଅଲିମ୍ପିକ୍‌ ଟିକେଟ୍‌ ପାଇସାରିଥିବାରୁ ବୁଦାପେଷ୍ଟରେ ତାଙ୍କଠାରୁ ପଦକ ଆସିବା ସମ୍ଭାବନା ଅଧିକ ରହିଛି। ତେବେ ପ୍ରଥମ ଥର ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଭାଗ ନେଇଥିବା ମନୁ ଓ କିଶୋରଙ୍କ ଉପରେ ନୀରଜଙ୍କ ସହିତ ସମସ୍ତ ଭାରତୀୟ ପ୍ରଶଂସକଙ୍କ ନଜର ରହିବ। ଏହି ଇଭେଣ୍ଟର ଫାଇନାଲ୍‌ ରବିବାର ଭାରତୀୟ ସମୟ ରାତି ୧୧.୪୫ ରେ ଅନୁଷ୍ଠିତ ହେବ।

Advertisment

ଫାଇନାଲ୍‌ର ଷ୍ଟାର୍ଟ ଲିଷ୍ଟରେ ନୀରଜ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ମନୁ ଅଷ୍ଟମ ଓ କିଶୋର ଏକାଦଶ ସ୍ଥାନରେ ରହି ଜାଭଲିନ୍‌ ଫିଙ୍ଗିବେ। ତଥାପି ଫାଇନାଲ୍‌ରେ ନୀରଜଙ୍କ ସହିତ ପାକିସ୍ତାନର ଅର୍ଶଦ ନଦୀମ, ଚେକ୍‌ ଗଣରାଜ୍ୟର ଜାକବ ଭାଦଲେଜକ୍‌, ଜର୍ମାନିର ଜୁଲିଆନ୍‌ ୱେବର, ଲିଥୁଆନିଆର ଇଦିସ୍‌ ମତୁସେଭିସିଅସ୍‌ ଓ ଇଜିପ୍ଟର ଇହାବ ଅବଦେଲରହମାନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ। କିଶୋର ମଧ୍ୟ ଶୁକ୍ରବାର ଇଭେଣ୍ଟ ପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଫାଇନାଲ୍‌‌ରୁ କ’ଣ ପଦକ ମିଳିବ ତାହା ବଡ଼ କଥା ନୁହେଁ, ସେ ତାଙ୍କର ପ୍ରଦର୍ଶନକୁ କେତେ ଉଚ୍ଚକୁ ନେଇପାରିବେ ତାହା ଉପରେ ସେ ଧ୍ୟାନ ଦେବେ। ଯୋଗ୍ୟତା ପର୍ଯ୍ୟାୟର ଦ୍ବିତୀୟ ଓ ତୃତୀୟ ପ୍ରୟାସରେ ଜାଭଲିନ୍‌କୁ ଜୋର୍‌ରେ ଫିଙ୍ଗିବାକୁ ଯାଇ ଯେଉଁ ବୈଷୟିକ ତ୍ରୁଟି କରିଥି‌ଲେ, ତାହାକୁ ଫାଇନାଲ୍‌ରେ ନଦୋହରାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତେଣୁ କିଶୋରଙ୍କ ଏଭଳି ସକରାତ୍ମକ ମନୋଭାବ ନୂଆ ଇତିହାସ ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ପ୍ରଥମ ଓ ଏକମାତ୍ର ପ୍ରୟାସରେ ୮୮.୭୭ ମିଟର ଜାଭଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ। ନିଜ ଗ୍ରୁପ୍‌ର ପ୍ରତିଦ୍ବନ୍ଦ୍ବିତା ଶେଷ ହେବା ପରେ ମଧ୍ୟ ସେ ବୁଦାପେଷ୍ଟର ଜାତୀୟ ଦୌଡ଼କୁଦ କେନ୍ଦ୍ର ନିକଟରେ ଥିବା ଅଭ୍ୟାସ ପଡ଼ିଆରେ ହାଲ୍‌କା ଅଭ୍ୟାସ ଜାରି ରଖିଥିଲେ ଏବଂ ତାଙ୍କର ନଜର ସବୁବେଳେ ଷ୍ଟାଡିୟମ୍‌ର ବଡ଼ ପରଦା ଉପରେ ରହୁଥିଲା। ଗ୍ରୁପ୍‌ ବି’ରେ କିଶୋର କିପରି ପ୍ରଦର୍ଶନ ଦେଉଛନ୍ତି, ତାହା ଉପରେ ତାଙ୍କ ଧ୍ୟାନ କେନ୍ଦ୍ରୀତ ଥିଲା। କିଶୋରଙ୍କ ଥ୍ରୋ ଦେଖିବା ପାଇଁ ସେ ଉଚ୍ଛୁକତାର ସହ ସ୍କ୍ରିନ୍‌କୁ ଅନାଇ ରହିଥିଲେ। ନିଜ ଗ୍ରୁପ୍‌ରୁ ମନୁ ଯୋଗ୍ୟତା ପାଇସାରିଥିବାରୁ କିଶୋର ମଧ୍ୟ ଫାଇନାଲ୍‌କୁ ଆସନ୍ତୁ ବୋଲି ନୀରଜ ଚାହୁଁଥିଲେ। ପ୍ରଥମ ପ୍ରୟାସରେ କିଶୋର ୮୦.୫୫ ମିଟର ଫିଙ୍ଗିବାରୁ ନୀରଜ ଆଶ୍ବସ୍ତି ହୋଇଥିଲେ। ତଥାପି ଯୋଗ୍ୟତା ମାର୍କ ୮୩ ମିଟର ଥିବାରୁ ମନରେ ଶଙ୍କା ମଧ୍ୟ ରହୁଥିଲା। ଶେଷରେ ତିନି ଭାରତୀୟ ଫାଇନାଲ୍‌ରେ ପହଞ୍ଚିପାରିଥିଲେ। ଯାହାକି ଷ୍ଟାଡିୟମ୍‌ରେ ଉପସ୍ଥିତ ଥିବା ଆନ୍ତର୍ଜାତିକ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପୂର୍ବରୁ ଭାରତ ଜାଭେଲିନ୍‌ରେ ବହୁତ ତଳେ ରହିଆସୁଥିଲା ବେଳେ ହଠାତ୍‌ କିପରି ତିନିଜଣ ଫାଇନାଲ୍‌କୁ ଆସିପାରିଲେ ତାହାକୁ ନେଇ ଏକାଧିକ ପ୍ରଶ୍ନ ତିନି କ୍ରୀଡ଼ାବିତ୍‌ଙ୍କୁ ପଚାରିଥିଲେ। ତେଣୁ ରବିବାର ଫାଇନାଲ୍‌ ପରେ ଅନେକ ପ୍ରଶ୍ନର ଉତ୍ତର ମିଳିଯିବ ବୋଲି ଆଶା କରାଯାଇପାରେ।