ଭୁବନେଶ୍ବର: ୟୁନିଟ୍-୧ସ୍ଥିତ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମି ପରିସରରେ ୟୁନିଟ୍-୬ ଦୌଡ଼କୁଦ ସଂଘ ଅନୁକୂଲ୍ୟରେ ଚାଲିଥିବା ୩୩ତମ ଜୟନ୍ତ ମହାପାତ୍ର ସ୍ମାରକୀ ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ମଙ୍ଗଳବାର କ୍ୟାପିଟାଲ୍ ହାଇସ୍କୁଲ୍ ଭେଟିବ କିଟ୍-କିସ୍ ଦଳକୁ। ସୋମବାର ପ୍ରଥମ ସେମିଫାଇନାଲ୍ରେ କିଟ୍-କିସ୍ ଦଳ ୬-୧ ଗୋଲ୍ରେ ଲୟଲା ଓଡ଼ିଆ ସ୍କୁଲ୍କୁ ପରାସ୍ତ କରିଛି। ବିଜୟୀ ଦଳ ପାଇଁ ରାଜୁ ମାର୍ଣ୍ଡି ( ୨୧ ଓ ୨୯ ମିନିଟ୍) ଦୁଇଟି ଗୋଲ୍ ଦେଇଥିବା ବେଳେ ସୋନାରାମ ସୋରେନ୍ (୧୩ ମିନିଟ୍), ମାନୁଏଲ୍ ମୁଣ୍ଡା (୧୯ ମିନିଟ୍), ରାମ ମାଝୀ (୨୩ ମିନିଟ୍), ଦେବାଶିଷ ମୁର୍ମୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ରାଜୁଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ବିତୀୟ ସେମିଫାଇନାଲ୍ରେ କ୍ୟାପିଟାଲ୍ ହାଇସ୍କୁଲ୍ ୩-୧ ଗୋଲ୍ରେ ଆଇଆର୍ସି ଭିଲେଜ୍ ହାଇସ୍କୁଲ୍କୁ ହରାଇଦେଇଛି। କ୍ୟାପିଟାଲ୍ ପକ୍ଷରୁ ଗୁଲସନ୍ ଦିଗଲ୍ (୧୮ ମିନିଟ୍), ସୁରେଶ ମୁର୍ମୁ (୫୭ ମିନିଟ), ବାଇଧର ତିରିଆ (୬୦ ମିନିଟ) ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଆଇଆର୍ସି ଭିଲେଜ୍ ହାଇସ୍କୁଲ୍ ପକ୍ଷରୁ ଏକମାତ୍ର ଗୋଲ୍ଟି ଦେଇଥିଲେ ପ୍ରକାଶ କହଁର (୪୧ ମିନିଟ)। ବିଏଏର ବରିଷ୍ଠ ସଦସ୍ୟ ଗୋବିନ୍ଦ ମହାନ୍ତି ଏବଂ ଫୁଟ୍ବଲ୍ ସମ୍ପାଦକ ଦିଲୀପ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।
ସେମିଫାଇନାଲ୍ ମ୍ୟାଚ୍ ଦ୍ବୟକୁ ଏମ୍ଏସ୍ ବେଗ୍, ଚନ୍ଦ୍ରକାନ୍ତ ବାରିକ, ବିଜୟ ମଙ୍ଗରାଜ, ଶୋଭାଲିନ୍ ପଣ୍ଡା, ଶେଖାୱତ ଖାନ୍, ଅମିତ ନାୟକ, ଆଲୋକ ଦେହୁରୀ ପରିଚାଳନା କରିଥିଲେ। ସୁଦୀପ୍ତା ଦାଶ ମ୍ୟାଚ୍ କମିସନର୍ ଥିଲେ। ମଙ୍ଗଳବାର ପ୍ରଥମ ଥର ପାଇଁ ଏକ ସ୍କୁଲ୍ସ୍ତରୀୟ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଫ୍ଲଡ୍ଲାଇଟ୍ରେ ଖେଳାଯିବ। ଏଥି ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଅନୁମତି ପ୍ରଦାନ କରିଥିବାରୁ ଆୟୋଜକ ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଦିଲୀପ କୁମାର ଦାସ କୃତଜ୍ଞତା ଜଣାଇଛନ୍ତି।