ଭୁବନେଶ୍ବର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଅନୁକୂଲ୍ୟରେ ୟୁନିଟ୍-୧ସ୍ଥିତ ଭୁବନେଶ୍ବର ଫୁଟ୍‌ବଲ୍ ଏକାଡେମି ପରିସରରେ ଚାଲିଥିବା ୩୩ତମ ଜୟନ୍ତ ମହାପାତ୍ର ସ୍ମାରକୀ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ଏଥି‌ରେ କ୍ୟାପିଟାଲ୍‌ ହାଇସ୍କୁଲ୍‌ ବିଜେତା ହୋଇଛି। ପ୍ରଥମ ଥର ଫ୍ଲଡ୍‌ଲାଇଟ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ କ୍ୟାପିଟାଲ୍ ହାଇସ୍କୁଲ୍‌ ୨-୧ ଗୋଲ୍‌‌ରେ ଅପ୍ରତିଦ୍ବନ୍ଦ୍ବୀ କିଟ୍‌-କିସ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ନବମ ମିନିଟ୍‌ରେ ରାମ ମାଝୀଙ୍କ ଗୋଲ୍‌ରେ କିଟ୍‌ ଓ କିସ୍‌ ଦଳ ଆଗୁଆ ହୋଇଥିଲା। ଏହା ପରେ ସୁରେଶ ମୁର୍ମୁ (୨୯, ୩୮ ମିନିଟ୍‌)ଙ୍କ ଦୁଇଟି ଗୋଲ୍‌ ବଳରେ କ୍ୟାପିଟାଲ୍‌ ହାଇସ୍କୁଲ୍‌ ବାଜି ମାରିନେଇଥିଲା।

Advertisment

ଫାଇନାଲ୍‌ ମ୍ୟାଚ୍‌କୁ ଚନ୍ଦ୍ରକାନ୍ତ ବାରିକ, ଏମ୍‌ଏସ୍ ବେଗ୍‌, ଶିବ ସାମନ୍ତରାୟ, ସୁଜିତ କୁମାର ପାତ୍ର ପରିଚାଳନା କରିଥିଲେ। ସୁଦୀପ୍ତା ଦାଶ ମ୍ୟାଚ୍‌ କମିଶନର୍ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଧାୟକ ବାବୁ ସିଂହଙ୍କ ସହ ବିଏଏ ସଭାପତି ସୁରେଶ ରାଉତରାୟ, ଭାଜପା ନେତା ଜଗନ୍ନାଥ ପ୍ରଧାନ, କ୍ରୀଡ଼ା ସଂଗଠକ ଦିଲୀପ କୁମାର ସାମନ୍ତରାୟ, ୟୁନିଟ୍‌-୬ କ୍ରୀଡ଼ା ସଂଘ ସଭାପତି ତପନ ମହାନ୍ତି, ସମ୍ପାଦକ ଦିଲୀପ ଦାସ, ଆୟୋଜନ ସମିତି ମୁଖ୍ୟ ତଥା ଜୟନ୍ତ ମହାପାତ୍ରଙ୍କ ସୁପୁତ୍ର ଜିତେନ ମହାପାତ୍ର, ପ୍ରଶିକ୍ଷକ ରାଜକୁମାର ମଣ୍ଡଳ, ବିଏଏ ସଦସ୍ୟ ରାଧାନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଶୋକ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।