ଟୋକିଓ ପାରାଲିମ୍ପିକ୍ସ କୋଟା କମିବାରୁ ଜୟନ୍ତୀ ବଞ୍ଚିତ

ଭୁବନେଶ୍ବର : ଓଡ଼ିଆ ଝିଅ ଜୟନ୍ତୀ ବେହେରା ଅଳ୍ପକେ ଟୋକିଓ ପାରାଲିମ୍ପିକ୍ସ ଲାଗି ଘୋଷିତ ଭାରତୀୟ ଦୌଡ଼କୁଦ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଅଗଷ୍ଟ ୨୪ରୁ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରେ ଏକମାତ୍ର ଓଡ଼ିଆ ଖେଳାଳି ଭା‌ବେ ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ଦେଖିବାକୁ ମିଳିବେ। ଜୟନ୍ତୀ ଭାରତୀୟ ଦଳରେ ସ୍ଥାନ ନପାଇବା କିନ୍ତୁ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ବହୁ ପରିଶ୍ରମ ପରେ ଗତବର୍ଷ ସେ ସଫଳତାର ସହ ଟୋକିଓ ପାରାଲିମ୍ପିକ୍ସର ଯୋଗ୍ୟତା ସମୟ ଛୁଇଁଥିଲେ। ତେବେ ଏଥର ଭାରତର ମହିଳା ଆଥଲେଟ୍‌ଙ୍କ ସଂଖ୍ୟା ମାତ୍ର ୪ରେ ସୀମିତ ରଖାଯିବାରୁ ଜୟନ୍ତୀ ଭାରତୀୟ ଦଳରେ ସୁ‌ଯୋଗ ପାଇନାହନ୍ତି। ଅବଶ୍ୟ ଏବେ ବି ତାଙ୍କ ପାଇଁ ଟୋକିଓ ଯିବାର ଛୋଟକାଟିଆ ସମ୍ଭାବନା ରହିଛି। ପାରାଲିମ୍ପିକ୍ସରେ ସାରା ବିଶ୍ବର ୧୧୦୦ରୁ ଅଧିକ ଖେଳାଳି ଖେଳିବାର ଥିବାରୁ ଯଦି କୌଣସି ଦେଶର କୋଟା ପୂରଣ ନହୁଏ ଏବଂ ଏଥିପାଇଁ ଜୟନ୍ତୀଙ୍କୁ ଆ‌ୟାଜକ ସ୍ବତନ୍ତ୍ର ଆମନ୍ତ୍ରଣ ଦିଅନ୍ତି ତାହାଲେ ସେ ଟୋକିଓ ଯାଇପାରନ୍ତି। ତେବେ ଏହି ତାଲିକା ଆସନ୍ତା ୭ ତାରିଖରେ କରାଯିବ ଏବଂ ୧୪ ତାରିଖରେ ଫଳାଫଳ ଜଣାପଡ଼ିବ। ଏଣୁ ଜୟନ୍ତୀଙ୍କୁ ଏଥିଲାଗି ୧୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେହିଭଳି ଯଦି କୌଣସି ଖେଳାଳି ଡୋପ୍ ପରୀକ୍ଷଣରେ ବିଫଳ ହୁଅନ୍ତି ତାହାଲେ ବି ସେ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ରହିଛି। ଏହି ଦୁଇ ବିକଳ୍ପର ଲାଭ ମିଳିବା ଲାଗି କିନ୍ତୁ ତାଙ୍କୁ ଭାଗ୍ୟ ଉପରେ ନିର୍ଭରଶୀଳ ରହିବାକୁ ହେବ।

‘‘ଜୟନ୍ତୀ ଭାରତୀୟ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ଥିଲା। ପୂର୍ବରୁ ଏଥିଲାଗି ସେ ଯୋଗ୍ୟତା ହାସଲ କରି ସାରିଥିଲେ। ହେଲେ ଟ୍ରାଏଲ୍ସକୁ ଯିବା ପୂର୍ବରୁ ତାଙ୍କୁ କୋଭିଡ୍ ଟିକାର ଗୋଟିଏ ଡୋଜ୍ ନେବାକୁ ପଡ଼ିଥିଲା। ଆରଟିପିସିଆର ଟେଷ୍ଟ୍ ରିପୋର୍ଟ ବି ଦେଖାଇବାକୁ ପଡ଼ିଥିଲା। ଏହାର ପ୍ରଭାବ ହୁଏତ ତାଙ୍କ ପ୍ରଦର୍ଶନ ଉପରେ ପଡ଼ିଲା। ଫଳରେ ତାଙ୍କ ମାନ୍ୟତା ୧୦ ରହିଲା। ଦୁର୍ଭାଗ୍ୟଜନକ ଭାବେ ଏଥର ଦୌଡ଼କୁଦରେ ଭାରତକୁ ମାତ୍ର ୪ଟି ମହିଳା କୋଟା ମିଳିଲା। ୨୪ ଜଣିଆ ଦଳରେ ୨୦ ଜଣ ପୁରୁଷଙ୍କ ସହ କେବଳ ୪ ଜଣ ମହିଳାଙ୍କୁ ରଖିବାର ନିୟମ ଆୟୋଜକ କଲେ। ଫଳରେ ଜୟନ୍ତୀ ଟୋକିଓ ପାରାଲିମ୍ପିକ୍ସ ଦଳରେ ସ୍ଥାନ ପାଇବାର ସୁ‌ଯୋଗ ହରାଇଲେ। କୋଟା ବଢ଼ିଲେ ହୁଏତ ସେ ଭାରତୀୟ ଦଳରେ ସାମିଲ ହୋଇପାରନ୍ତି। ହେଲେ ଏଥିନେଇ ଏବେ କିଛି କହି ହେବନି’’ ବୋଲି ଜୟନ୍ତୀଙ୍କ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର