କଲମ୍ବୋ : ଶ୍ରୀଲଙ୍କାର ମହାନ୍‌ ବ୍ୟାଟ୍‌ସମ୍ୟାନ୍‌ ମାହେଲା ଜୟବର୍ଦ୍ଧନେ ୟୁଏଇ ଏବଂ ଓମାନ୍‌ରେ ଆୟ‌ୋଜିତ ହେବାକୁ ଯାଉଥିବା ଟି-୨୦ ବିଶ୍ବକପ୍‌ ପାଇଁ ଜାତୀୟ ଦଳର ପରାମର୍ଶଦାତା ହେବେ। ତାଙ୍କୁ ଟି-୨୦ ବିଶ୍ବକପ୍‌ ପ୍ରଥମ ପର୍ଯ୍ୟାୟ ପାଇଁ ଏହି ଦ‌ାୟିତ୍ବ ଦେବାକୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଏକପ୍ରକାର ନିଷ୍ପତ୍ତି ନେଇଛି। ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ସହ ତାଙ୍କର ଚମତ୍କାର ସଫଳତାକୁ ମନରେ ରଖି ଶ୍ରୀଲଙ୍କା ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଏବେ ଆଇପିଏଲ୍‌ ଖେଳାଯାଉଥିବା ୟୁଏଇରେ ମଧ୍ୟ ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ମାହେଲା ଶ୍ରୀଲଙ୍କା ଦଳର ପ୍ରସ୍ତୁତି କ୍ଷେତ୍ରରେ ସହାୟକ ହୋଇପାରିବେ ବୋଲି ସିଂହଳୀ ବୋର୍ଡ ଭାବିନେଇଛି।

Advertisment

ଟି-୨୦ ବିଶ୍ବକପ୍‌ ଦଳର ପରାମର୍ଶଦାତା ବ୍ୟତୀତ ସେ ମଧ୍ୟ ୧୯ ବର୍ଷରୁ କମ୍‌ ଦଳ ପାଇଁ ଅତିରିକ୍ତ ଭାବେ ପରାମର୍ଶଦାତା ଏବଂ ମେଣ୍ଟର ଦାୟିତ୍ବ ତୁଲାଇବେ। ଜାତୀୟ ଦଳ ସହ ତାଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୬ରୁ ୨୩ ପର୍ଯ୍ୟନ୍ତ ମାତ୍ର ୭ ଦିନ ମଧ୍ୟରେ ଶେଷ ହୋଇଯିବା ପରେ ୧୯ ବର୍ଷରୁ କମ୍‌ ଦଳ ସହ ୫ ମାସ ରହିବ। ଚଳିତ ଆଇପିଏଲ୍‌ ସରିବା ମାତ୍ରେ ସେ ଜାତୀୟ ଦଳ ସହ ଯୋଗଦେବେ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ସିଇଓ ଆସ୍‌ଲେ ଡି ସିଲ୍‌ଭା କହିଛନ୍ତି। ମାହେଲା ତାଙ୍କ ଜାଜୁଲ୍ୟମୟ କ୍ରିକେଟ୍‌ ଜୀବନ ମଧ୍ୟରେ ଶ୍ରୀଲଙ୍କା ପାଇଁ ୧୪୯ ଟେଷ୍ଟ୍‌, ୪୪୮ ଦିନିକିଆ ଏବଂ ୫୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟ୍‌ରେ ୩୪ ଶତକ ଓ ୫୦ ଅର୍ଦ୍ଧଶତକ ସହ ୧୧୮୧୪ ରନ୍‌ କରି ମାହେଲା ଶ୍ରୀଲଙ୍କାର ଦ୍ବିତୀୟ ସର୍ବାଧିକ ସ୍କୋରର୍‌ ରହିଛନ୍ତି।