ଦୁବାଇ: ଶ୍ରୀଲଙ୍କାର ମହାନ୍ ବ୍ୟାଟ୍ସମ୍ୟାନ୍ ମାହେଲା ଜୟବର୍ଦ୍ଧନେ, ଦକ୍ଷିଣ ଆଫ୍ରିକା ପୂର୍ବତନ ଦ୍ରୁତ ବୋଲର ତଥା ଅଲ୍ରାଉଣ୍ଡର ସନ୍ ପୋଲକ ଏବଂ ଇଂଲଣ୍ଡର ପୂର୍ବତନ ବ୍ୟାଟର ଜାନେଟି ବ୍ରିଟିନି ସମ୍ମାନଜନକ ଆଇସିସି ହଲ୍ ଅଫ୍ ଫେମ୍ରେ ଯୋଡ଼ି ହୋଇଛନ୍ତି। ଏଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ର ରବିବାର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍ ଫାଇନାଲ୍ ପୂର୍ବରୁ ଏହି ତିନି ମହାନ୍ଙ୍କୁ ବିଦ୍ଧିବଦ୍ଧ ଭାବେ ଅନ୍ୟତମ ଆଇସିସି ହଲ୍ ଅଫ୍ ଫେମର୍ ସାର୍ କ୍ଲାଇବ ଲୟଡ୍ ସାମିଲ କରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଦୁବାଇ ଇଣ୍ଟରନ୍ୟାସ୍ନାଲ ଷ୍ଟାଡିୟମ୍ରେ ଏହି କାର୍ଯ୍ୟକ୍ରମ କରାଯିବ। କ୍ରିକେଟ୍ ପାଇଁ ଲମ୍ବା ସମୟ ଧରି ସେବା କରିବା ଏବଂ ଜାଜୁଲ୍ୟମୟ କ୍ୟାରିୟରକୁ ବିଚାରକୁ ନିଆଯାଇ ମହାନ୍ ତାରକାଙ୍କୁ ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଏ। ୨୦୦୯ରୁ ପ୍ରଚଳିତ ହଲ୍ ଅଫ୍ ଫେମ୍ରେ ଏପର୍ଯ୍ୟନ୍ତ ୧୦୬ ଖେଳାଳି ସାମିଲ ହୋଇସାରିଲେଣି।
ଜୟବର୍ଦ୍ଧନେ ଶ୍ରୀଲଙ୍କାର ଅନ୍ୟତମ ମହାନ୍ ଖେଳାଳି ଭାବେ ଅବସର ନେଇଥିଲେ। ସେ ୨୦୧୪ ଟି-୨୦ ବିଶ୍ବକପ୍ ବିଜେତା ସିଂହଳୀ ଦଳର ପ୍ରମୁଖ ସଦସ୍ୟ ରହିଥିଲା ବେଳେ ଅନ୍ୟ ୪ ଆଇସିସି ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିଥିଲେ। ଦକ୍ଷିଣ ଆଫ୍ରିକୀୟ ପୋଲକ କ୍ରିକେଟ୍ରେ ଜଣେ ମହାନ୍ ବୋଲିଂ ଅଲ୍ରାଉଉଣ୍ଡର ଭାବେ ନାମ କମାଇଥିଲେ। ଉଭୟ ଟେଷ୍ଟ୍ ଏବଂ ଦିନିକିଆ ଆନ୍ତର୍ଜାତିକରେ ସେ ପ୍ରଥମ ଖେଳାଳି ଭାବେ ୩୦୦୦ ରନ୍ ଏବଂ ୩୦୦ ୱିକେଟ୍ ଅକ୍ତିଆର କରିବାର ଯୁଗଳ କୀର୍ତ୍ତିମାନ ବହନ କରିଥିଲେ। ଅନ୍ୟପକ୍ଷରେ ବ୍ରିଟିନି ୨୦୧୭ରେ ମୃତ୍ୟୁ ବରଣ କରିବା ପୂର୍ବରୁ ୧୭ ବର୍ଷ ଧରି ଇଂଲଣ୍ଡ ଟେଷ୍ଟ୍ ଦଳର ପ୍ରମୁଖ ସଦସ୍ୟା ରହିଥିଲେ। ୧୯୭୯ରୁ ୧୯୯୮ ପର୍ଯ୍ୟନ୍ତ ଇଂଲଣ୍ ପାଇଁ ଖେଳିଥିଲେ।