ଜୟସୂରିୟା ଦୁଇ ବର୍ଷ ବାସନ୍ଦ

କଲମ୍ବୋ: ଦୁର୍ନୀତି ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା‌ କିମ୍ବଦନ୍ତୀ କ୍ରିକେଟର ସନତ ଜୟସୂରିଆଙ୍କୁ ଆଇସିସି ଦୁଇ ବର୍ଷ ବାସନ୍ଦ କରିଛି। ଏହି ସମୟ ମଧ୍ୟରେ ସେ କୌଣସି ପ୍ରକାର କ୍ରି‌କେଟ୍ ସହ ସଂପର୍କ ରଖି ପାରିବେ ନାହିଁ। ଶ୍ରୀଲଙ୍କା କ୍ରିକେଟ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ଆଇସିସି ଏଥିନେଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏକଦା ସିଂହଳୀ ଦଳର ମୁଖ୍ୟଚୟନକର୍ତା ଥିବା ୪୯ ବର୍ଷୀୟ ଜୟସୂରିଆ ଏଥିରେ ସହଯୋଗ କରିବାକୁ ମନା କରି ଦେଇଥିଲେ। ଏପରିକି ସେହି ସମୟରେ ସେ ବ୍ୟବହାର କରିଥିବା ମୋବାଇଲ୍ ଫୋନ୍ ତଦନ୍ତକାରୀ ଅଧିକାରୀଙ୍କୁ ଦେବାକୁ ମନା କରି ଦେଇଥିଲେ। ଏଣୁ ଦୁର୍ନୀତି ନିବାରଣ ସଂହିତାର ଧାରା ୨.୪.୬ ଅଧୀନରେ ଆଇସିସି ତାଙ୍କୁ ଦୁଇ ବର୍ଷ ବାସନ୍ଦ କରିଥିବା ମୁଖ୍ୟ ମହାପ୍ରବନ୍ଧକ ଆଲେକ୍ସ ମାର୍ସାଲ କହିଛନ୍ତି। ଜୟସୂରିୟା ଶ୍ରୀଲଙ୍କା ପକ୍ଷରୁ ୧୧୦ ଟେଷ୍ଟ ଖେଳି ୬୯୭୩ ରନ୍ କରିଛନ୍ତି। ସେ ମଧ୍ୟ ୪୪୪ ଦିନିକିଆ ଖେଳି ୧୩,୪୨୮ ରନ୍ ସଂଗ୍ରହ କରିଛନ୍ତି। ୧୯୯୬ ମସିହାରେ ଶ୍ରୀଲଙ୍କାର ବିଶ୍ବକପ୍ ବିଜୟରେ ସେ ନିର୍ଣ୍ଣାୟକ ଭୂମିକା ନେଇଥିଲେ।

ସମ୍ବନ୍ଧିତ ଖବର