ମୁମ୍ବାଇ: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଶୋଧମୂଳକ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି ଭାରତୀୟ ଦଳ। ସାତ ଥର ବିଜେତା ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇ ଭାରତ ତୃତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି। ରବିବାର ହର୍ମନପ୍ରୀତ୍ଙ୍କ ଦଳ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଜେମିମା ରଡ୍ରିଗ୍ସଙ୍କ ପ୍ରଥମ ବିଶ୍ବକପ୍ ଶତକ (୧୨୭*) ମଧ୍ୟ ତାଙ୍କ କ୍ୟାରିୟର୍ ଶ୍ରେଷ୍ଠ ପାଳି ଜରିଆରେ ଆସିଛି। ଲିଗ୍ ପର୍ଯ୍ୟାୟରେ ଭାରତର ୩୩୧ ରନ୍କୁ ପିଛା କରିଥିବା ଅଷ୍ଟ୍ରେଲିଆ ଉପରେ ମଧ୍ୟ ହର୍ମନପ୍ରୀତ୍ଙ୍କ ଦଳ ପ୍ରତିଶୋଧ ନେଇଯାଇଛି। ଅଷ୍ଟ୍ରେଲିଆର ୩୩୮ ରନ୍କୁ ପଛରେ ପକାଇ ଭାରତ ମଧ୍ୟ ମହିଳା ଦିନିକିଆ ଇତିହାସରେ ସର୍ବୋଚ୍ଚ ପଶ୍ଚାତ୍ଧାବନର ରେକର୍ଡ କରିଛି। ଏହି ଖୁସି ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ମନରେ ଅପୂର୍ବ ଶିହରଣ ଖେଳାଇଦେଇଛି।
ଅଷ୍ଟ୍ରେଲିଆ ଦେଇଥିବା ୩୩୯ ରନ୍ ଲକ୍ଷ୍ୟକୁ ପିଛା କରି ଭାରତ ପାୱାର ପ୍ଲେ ଭିତରେ ୨ ୱିକେଟ୍ ହରାଇ ୬୦ ରନ୍ କରିଥିଲା। ଆହତ ପ୍ରତୀକା ରାୱଲଙ୍କ ବଦଳରେ ସ୍ବତନ୍ତ୍ର ଡାକରା ସହ ସୁଯୋଗ ପାଇଥିବା ଶେଫାଳି ବର୍ମା (୫ ବଲ୍ରୁ ୧୦ ରନ୍) ଏବଂ ଅଭିଜ୍ଞା ସ୍ମୃତି ମନ୍ଧାନା (୨୪ ବଲ୍ରୁ ୨୪ ରନ୍) ବଡ଼ ପାଳି ଖେଳିପାରି ନଥିଲେ। ଏହି ସମୟରେ କିନ୍ତୁ ଜେମିମା ରଡ୍ରିଗ୍ସ ଏବଂ ଅଧିନାୟିକା ହର୍ମନପ୍ରୀତ୍ କୌର୍ ତୃତୀୟ ୱିକେଟ୍ ପାଇଁ ୧୬୭ ରନ୍ ଯୋଡ଼ିବା ଭାରତର ବିଜୟ ଆଶା ସଂଚାର କରିଥିଲା। ହର୍ମନପ୍ରୀତ୍ (୮୮ ବଲ୍ରୁ ୮୯ ରନ୍, ୧୦ ଚୌକା, ୨ ଛକା) ଆଉଟ୍ ହୋଇଯିବା ପରେ ଦାୟିତ୍ବକୁ ନିଜ ମୁଣ୍ଡକୁ ନେଇଥିବା ଜେମିମା (୧୩୪ ବଲ୍ରୁ ୧୨୭* ରନ୍, ୧୪ ଚୌକା) ଶେଷ ପର୍ଯ୍ୟନ୍ତ ରହିବା ନିର୍ଣ୍ଣାୟକ ହୋଇଥିଲା। ଦୀପ୍ତି ଶର୍ମା (୧୭ ବଲ୍ରୁ ୨୪ ରନ୍) ଏବଂ ରିଚା ଘୋଷ (୧୬ ବଲ୍ରୁ ୨୬ ରନ୍)ଙ୍କ ଛୋଟ ଛୋଟ ପାଳି ବି ବଡ଼ ଯୋଗଦାନ ରଖିଥିଲା। ଶେଷକୁ ଜେମିମାଙ୍କ ସହ ଯୋଗ ଦୋଇ ଅମନ୍ଜୋତ୍ କୌର୍ (୮ ବଲ୍ରୁ ୧୫* ରନ୍, ୨ ଚୌକା) ମ୍ୟାଚ୍କୁ ଶେଷ କରିଥିଲେ। ୨୦୦୫ ଓ ୨୦୧୭ରେ ଫାଇନାଲ୍ ଖେଳିଥିଲେ ମଧ୍ୟ ଭାରତ ରନର୍ସଅପ୍ ହୋଇଥିବାରୁ ଏଥର ଘରୋଇ ମାଟିରେ ସ୍ବପ୍ନ ସାକାର କରିବାର ସୁଯୋଗ ପାଇବ।
ଟସ୍ ଜିତି ଅଷ୍ଟ୍ରେଲିଆ ୩୩୮ ରନ୍ର ଲଢ଼ୁଆ ସ୍କୋର୍ କରିଥିଲା। ତଥାପି ଭାରତୀୟ ବୋଲର ଶେଷ ୧୬.୧ ଓଭରରେ ୧୧୮ ରନ୍ ଦେଇ ୮ ୱିକେଟ୍ ଦଖଲ କରିବାରୁ ଅଷ୍ଟ୍ରେଲିଆ ବଡ଼ ସ୍କୋର୍ କରିପାରି ନଥିଲା। ଅଧିନାୟିକା ଆଲିସା ହିଲି ମାତ୍ର ୫ ରନ୍ କରି କ୍ରାନ୍ତି ଗୌଡ଼ଙ୍କ ଶିକାର ହୋଇ ସଅଳ ଫେରିଯାଇଥିଲେ। ଅନ୍ୟତମ ଓପନର୍ ଫୋବ୍ ଲିଚ୍ଫିଲ୍ଡ ଏବଂ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶକୁ ଫେରିଥିବା ଏଲିସ୍ ପେରି ଜବରଦସ୍ତ ବ୍ୟାଟିଂ କରିବାରୁ ଏହି ୭ ଥର ବିଜେତା ଦଳ ପ୍ରଥମ ପାୱାର ପ୍ଲେ ୧୦ ଓଭରରେ ୭୨ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲା। ବିଶେଷ କରି ଲିଚ୍ଫିଲ୍ଡଙ୍କ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଅଷ୍ଟ୍ରେଲିଆ ୧୫.୨ ଓଭରରେ ୧୦୦ ରନ୍ ଏବଂ ୩୧.୨ ଓଭରରେ ୨୦୦ ରନ୍ ଅତିକ୍ରମ କରିଯାଇଥିଲା। ଏକଦା ୨୨୦/୨ରେ ଥିବା ଅଷ୍ଟ୍ରେଲିଆ ପାଳିକୁ କିନ୍ତୁ ଭାରତୀୟ ବୋଲରମାନେ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆଣିବାରୁ ସମ୍ଭାବ୍ୟ ୩୫୦ ପୂର୍ବରୁ ଅଟକାଇ ପାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାତ୍ର ୭୭ ରନ୍ରୁ ଶତକ ପୂର୍ଣ୍ଣ କରିଥିବା ଲିଚ୍ଫିଲ୍ଡ (୯୩ ବଲ୍ରୁ ୧୧୯ ରନ୍)ଙ୍କୁ ଅମନ୍ଜୋତ୍ ଏବଂ ଏଲିସ୍ ପେରି (୮୮ ବଲ୍ରୁ ୭୭ ରନ୍)ଙ୍କୁ ରାଧା ଯାଦବ ବୋଲ୍ଡ କରି ଭାରତ ମ୍ୟାଚ୍କୁ ଲେଉଟିଥିଲା। ୱିକେଟ୍ ପତନ ଭିତରେ ଆସ୍ଲେ ଗାର୍ଡନର୍ (୪୫ ବଲ୍ରୁ ୬୩ ରନ୍, ୪ ଚୌକା, ୪ ଛକା) ଅଷ୍ଟ୍ରେଲିଆକୁ ୩୩୮ ରନ୍ରେ ପହଞ୍ଚାଇଥିଲା। ଶେଷ ଓଭରରେ ଦୀପ୍ତି ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବଞ୍ଚିତ ହୋଇଥିଲେ। ଅଷ୍ଟ୍ରେଲିଆ ଗୋଟିଏ ବଲ୍ ପୂର୍ବରୁ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ରେଣୁକା ସିଂହ (୮-୦-୩୯-୦) ଏବଂ ଶ୍ରୀ ଚରଣୀ (୧୦-୦-୪୭-୨) କେବଳ ଓଭର ପିଛା ୫ରୁ ତଳେ ରନ୍ ବ୍ୟୟ କରିଥିଲେ। ଦୀପ୍ତି ଶର୍ମା ୨ ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ୭୩ ରନ୍ ବ୍ୟୟ କରିଥିଲେ। ପ୍ରଥମରୁ ନିରାଶାଜନକ ଫିଲ୍ଡିଂ କରିଥିବା ଭାରତୀୟ ଖେଳାଳି କିନ୍ତୁ ଶେଷ ଭାଗରେ ୩ଟି ରନ୍ଆଉଟ୍ କରି କିଛିଟା ଭରଣା କରିଥିଲେ।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୩୮/୧୦ (ଫୋବ୍ ଲିଚ୍ଫିଲ୍ଡ-୧୧୯, ଏଲିସ୍ ପେରି-୭୭, ଆସ୍ଲେ ଗାର୍ଡନର୍-୬୩, ଶ୍ରୀ ଚରଣୀ-୨/୪୭, ଦୀପ୍ତି ଶର୍ମା-୨/୭୩, ଅମନଜୋତ୍ କୌର-୧/୫୧, କ୍ରାନ୍ତି ଗୌଡ଼-୧/୫୮, ରାଧା ଯାଦବ-୧/୬୬)। ଭାରତ ୪୮.୩ ଓଭରରେ ୩୪୧/୫ (ଜେମିମା ରଡ୍ରିଗ୍ସ-୧୨୭*, ହର୍ମନପ୍ରୀତ୍ କୌର୍-୮୯, ରିଚା ଘୋଷ-୨୬, ଦୀପ୍ତି ଶର୍ମା-୨୪, ଅମନ୍ଜୋତ୍ କୌର-୧୫*, କିମ୍ ଗାର୍ଥ-୨/୪୬, ଆନାବେଲ୍ ସଦରଲାଣ୍ଡ୍-୨/୬୯)।
ବିଜୟଧାରାରେ ବ୍ରେକ୍
ମୁମ୍ବାଇ: ମହିଳା ଦିନିକିଆ ବିଶ୍ବକପ୍ରେ ଅପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆର ବିଜୟ ଧାରାରେ ବ୍ରେକ୍ ଲଗାଇଛି ଭାରତ। ଅଷ୍ଟ୍ରେଲିଆ ୨୦୨୨ରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ କ୍ରମାଗତ ୧୫ ମ୍ୟାଚ୍ ଜିତି ଆସିଥିବାବେଳେ ଭାରତ କଙ୍ଗାରୁ ଦଳକୁ ହରାଇଛି। ୧୯୯୭ରୁ ୨୦୦୦ ବିଶ୍ବକପ୍ରେ ମଧ୍ୟ ଅଷ୍ଟ୍ରେଲିଆ କ୍ରମାଗତ ୧୫ ମ୍ୟାଚ୍ ଜିତିବା ପରେ ହାରିଥିଲା। ଅଷ୍ଟ୍ରେଲିଆର ଶେଷ ବିଶ୍ବକପ୍ ପରାଜୟ ମଧ୍ୟ ଭାରତ ହାତରୁ ଥିଲା। ୨୦୧୭ ସେମିଫାଇନାଲ୍ରେ ଭାରତ ଏହି ଦଳକୁ ହରାଇଥିଲା। ୬ ଥର ସେମିଫାଇନାଲ୍ ଖେଳିଥିବା ଅଷ୍ଟ୍ରେଲିଆ ୪ ଥର ଜିତିଥିବାବେଳେ ଭାରତ ନିକଟରୁ ହିଁ ଅବଶିଷ୍ଟ ୨ ମ୍ୟାଚ୍ ହାରିଛି। ଗୁରୁବାର ଭାରତ ୩୩୮ ରନ୍କୁ ସଫଳ ପଶ୍ଚାତ୍ଧାବନ କରି ମହିଳା ଦିନିକିଆ କ୍ରିକେଟ୍ରେ ବିଶ୍ବ ରେକର୍ଡ କରିଛି। ଏହା ପୂର୍ବରୁ ଭାରତ ବିଶ୍ବକପ୍ରେ କେବେ ବି ୨୦୦ରୁ ଊର୍ଧ୍ବ ରନ୍କୁ ସଫଳ ପଶ୍ଚାତଧାବନ କରିନଥିଲା। ଚଳିତ ବିଶ୍ବକପ୍ରେ ବିଶାଖାପାଟଣାରେ ଭାରତ ୩୩୧ ରନ୍ କରିବା ପରେ ଅଷ୍ଟ୍ରେଲିଆଠାରୁ ହାରିଥିଲା। ବିଶ୍ବକପ୍ ଇତିହାସରେ କିନ୍ତୁ ପ୍ରଥମ ଥର ପାଇଁ ଏକ ନକ୍ ଆଉଟ୍ ମ୍ୟାଚ୍ରେ ପଶ୍ଚାତ୍ଧାବନରେ ୩୦୦+ ସ୍କୋର୍ ପଛରେ ପଡ଼ିଛି। ନିଜ ଘରୋଇ ପଡ଼ିଆ, ପ୍ରଶିକ୍ଷକ ଓ ପିତାମାତାଙ୍କ ସମ୍ମୁଖରେ ତୃତୀୟ ଦିନିକିଆ ଶତକ ତଥା ପ୍ରଥମ ବିଶ୍ବକପ୍ ଶତକ ମାରିଥିବା ଜେମିମା ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ ଖେଳିବାକୁ ଯାଉଥିବାରୁ ବିଶ୍ବ କ୍ରିକେଟ୍ ନୂଆ ବିଶ୍ବ ବିଜେତା ପାଇବା ନିଶ୍ଚିତ ହୋଇଛି। ଉଭୟ ପୂର୍ବରୁ କେବେ ବି ବିଶ୍ବକପ୍ ଜିତିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/31/dgdagdazccvcv-2025-10-31-01-59-53.jpg)