ଅଭ୍ୟାସ ଆରମ୍ଭ କଲା ଜେଏଫ୍‌ସି

ଭୁବନେଶ୍ୱର: ଚଳିତ ମାସ ୨୫ ତାରିଖ ଅର୍ଥାତ୍‌ ଆସନ୍ତା ରବିବାର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଲାଗି ମଙ୍ଗଳବାରଠାରୁ ଜାମସେଦପୁର ଏଫ୍‌ସି (ଜେଏଫସି) ଆନୁଷ୍ଠାନିକ ଭାବେ ଅଭ୍ୟାସ ଆରମ୍ଭ କରିଛି। ମୁଖ୍ୟ ପ୍ରଶିିକ୍ଷକ ଷ୍ଟିଭ୍‌ ପୋଲେଲଙ୍କ ତୀକ୍ଷ୍ଣ ନଜର ତଳେ ଖେଳାଳିମାନେ ଆଜି ସକାଳେ ସାଢ଼େ ୧୦ଟାରୁ ଅଭ୍ୟାସ ଆରମ୍ଭ କରି ସାଢ଼େ ବାରଟା ପର୍ଯ୍ୟନ୍ତ ଏହାକୁ ଜାରି ରଖିଥିଲେ। ଏପରିକି ନିର୍ଧାରିତ ସମୟ ପରେ ମଧ୍ୟ କିଛି ଖେଳାଳି ଅଭ୍ୟାସ ଜାରି ରଖିଥିବା ଦେଖିବାକୁ ମିଳିଥିଲା। କଳିଙ୍ଗ ଷ୍ଟାଡିୟମକୁ ଘରୋଇ ପଡ଼ିଆ କରିଥିବା ଜେଏଫସି ସୋମବାର ଭୁବନେଶ୍ୱର ପହଞ୍ଚି ଥିଲା। ଆଉ କାଳ ବିଳମ୍ବ ନ କରି ମଙ୍ଗଳବାର ତା’ର ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି।

ପ୍ଲେ ଅଫ୍‌ ପ୍ରବେଶ ପାଇଁ ରବିବାର ମ୍ୟାଚ୍‌ ଏହି ଦଳ ପାଇଁ କର ବା ମର ହୋଇଥିବାରୁ ଦଳ ନୂଆ ରଣନୀତି ଏବଂ ନୂତନ ଉତ୍ସାହ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ବି ଅଧିକ ରହିଛି। ମଙ୍ଗଳବାରର ଅଢ଼େଇ ଘଣ୍ଟିଆ ଅଭ୍ୟାସ ଅଧିବେସନରେ ଖେଳାଳିମାନେ ଗୋଲ୍‌ ପୋଷ୍ଟ ଉପରକୁ ଟାର୍ଗେଟ, କିକ୍‌ ଓ ଥ୍ରୋଇଂ ଉପରେ ଅଧିକ ଜୋର ଦେଇଥିଲେ। ସେହିଭଳି କିଛି ସମୟ ଶାରୀରିକ ବ୍ୟାୟାମ ବି କରିଥିଲେ। ଦଳର ସମସ୍ତ ୨୪ ଜଣ ଖେଳାଳି ଏହି ଅବସରରେ ଉପସ୍ଥିତ ଥିଲେ। ବୁଧବାର ମଧ୍ୟ ଖେଳାଳିମାନେ ଅଭ୍ୟାସ କରିବେ। ତେବେ ସକାଳ ପରିବର୍ତେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମକୁ ଆସିବେ ବୋଲି ଦଳର ଅଧିକାରୀମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର