ଭୁବନେଶ୍ବର: ଆଉ ଏକ ପରାଜୟ ସହିତ ଓଡ଼ିଶା ରଣଜୀ ଦଳ ୨୦୨୫-୨୬ ଋତୁ ଶେଷ କରିଛି। ଜାମସେଦପୁରର କିନାନ ଷ୍ଟାଡିୟମ୍ରେ ଏଲିଟ୍ ଗ୍ରୁପ୍-ଏ’ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶାକୁ ଘରୋଇ ଝାଡ଼ଖଣ୍ଡ ଅପ୍ରତ୍ୟାଶିତ ଭାବେ ୪ ୱିକେଟ୍ରେ ହରାଇ ଦେଇଛି। ପ୍ରଥମ ପଦାର୍ପଣରେ ୧୮ ବର୍ଷୀୟ ବାମହାତୀ ସ୍ପିନର୍ ସୟଦ ତୁଫୈଲ ଅହମଦ ଉଭୟ ପାଳିରୁ ୮ ୱିକେଟ୍ ଦଖଲ କରିବା ସତ୍ତ୍ବେ ଓଡ଼ିଶାକୁ ପରାଜୟ ବରଣ କରିବାକୁ ପଡ଼ିଛି। ଫଳରେ ପ୍ରଥମ ପାଳିରେ ୧୯ ରନ୍ ଅଗ୍ରଣୀ ନେଇଥିଲେ ମଧ୍ୟ ଏହାକୁ ସୁରକ୍ଷିିତ ରଖିନପାରି ଶୂନ୍ୟ ହସ୍ତରେ ଫେରିଛି। ଓଡ଼ିଶା ୭ ମ୍ୟାଚ୍ରୁ ଗୋଟିଏ ବିଜୟ, ୫ ପରାଜୟ ସହିତ ୭ ପଏଣ୍ଟ୍ ପାଇ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛି। ଏହି ମ୍ୟାଚ୍ ହାରିଯାଇଥିଲେ ଝାଡ଼ଖଣ୍ଡ କ୍ବାର୍ଟରଫାଇନାଲ୍ରୁ ବଞ୍ଚିତ ହୋଇଥା’ନ୍ତା। ତେବେ ସଫଳତାର ସହ ଏଭଳି ବିପଦକୁ ଟାଳି ରୋମାଞ୍ଚକ ବିଜୟ ସହ ଗ୍ରୁପ୍ ବିଜେତା ହୋଇ ନକ୍ ଆଉଟ୍ ଯୋଗ୍ୟତା ଅର୍ଜନ କରି ନେଇଛି।
ରବିବାର ଓଡ଼ିଶା ଏହାର ଦ୍ବିତୀୟ ପାଳିକୁ ୨୦୨/୮ରୁ ଖେଳି ଗୋବିନ୍ଦ ପୋଦ୍ଦାର (୩୧) ଓ ସୁନିଲ ରାଉଳ (୧୨)ଙ୍କୁ ହରାଇ ୨୨୬ ରନ୍ରେ ଅଟକିଯାଇଥିଲା। ଏହି ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଝାଡ଼ଖଣ୍ଡକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା। ଗୋବିନ୍ଦ ପୋଦ୍ଦାର ପ୍ରଥମ ୨ ୱିକେଟ୍ ଦଖଲ ପରେ ସୟଦ ତୁଫୈଲ ଅହମଦ ୪ ୱିକେଟ୍ ଦଖଲ କରି କିଛିଟା ଆଶା ସଂଚାର କରିଥିଲେ। କିନ୍ତୁ ଶରଣଦୀପ ସିଂହ, ରବିନ ମିଞ୍ଚ୍, ଅନୁକୁଲ ରାୟଙ୍କ ଲଢ଼ୁଆ ପାଳି ବଳରେ ଝାଡ଼ଖଣ୍ଡ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଉଭୟ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବାରୁ ରବିନ୍ ମିଞ୍ଜ୍ (୫୨ ଓ ୬୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଆହୁରି ପଢ଼ନ୍ତୁ: Cricket: ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଭାରତୀୟ ଦଳ
ସଂକ୍ଷିପ୍ତ ସ୍କୋର୍: ଓଡ଼ିଶା ପ୍ରଥମ ପାଳି-୨୮୨ (ସ୍ବସ୍ତିକ ସାମଲ ୭୯, ଗୋବିନ୍ଦ ପୋଦ୍ଦାର ୬୪, ସୌରଭ ଶେଖର ୩/୪୩, ଆଦିତ୍ୟ ସିଂହ ୩/୩୫)। ଝାଡ଼ଖଣ୍ଡ ପ୍ରଥମ ପାଳି: ୨୬୩ (ଶିଖର ମୋହନ ୮୦, ରବିନ ମିଞ୍ଜ ୫୨, ସୟଦ ତୁଫୈଲ ଅହମଦ ୪/୭୮, ଗୋବିନ୍ଦ ପୋଦ୍ଦାର ୩/୭୧, ରାଜେଶ ମହାନ୍ତି ୨/୩୭)। ଓଡ଼ିଶା ଦ୍ବିତୀୟ ପାଳି: ୭୬.୫ ଓଭରରେ-୨୨୬ (ଶୁଭ୍ରାଂଶୁ ସେନାପତି ୭୩, ଗୋବିନ୍ଦ ପୋଦ୍ଦାର ୩୧, ଅନୁକୁଲ ରୟ ୫/୭୨, ଆଦିତ୍ୟ ସିଂହ ୪/୭୭)। ଝାଡ଼ଖଣ୍ଡ ଦ୍ବିତୀୟ ପାଳି: ୭୧.୩ ଓଭରରେ ୨୪୯/୬ (ଶରଣଦୀପ ସିଂହ-୬୪, ରବିନ୍ ମିଞ୍ଚ୍-୬୩, ଅନୁକୂଳ ରୟ-୪୫, ଆଦିତ୍ୟ ସିଂହ-୨୨*, ସୟଦ ତୁଫୈଲ ଅହମଦ-୪/୧୦୧,ଗୋବିନ୍ଦ ପୋଦ୍ଦାର-୨/୯୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/01/cricket1-2026-02-01-21-47-28.jpg)