ଝିଲିଙ୍କୁ ଏସୀୟ ରୌପ୍ୟ

ଭୁବନେଶ୍ବର: ଶୁଭ ରବିବାରରେ ଓଡ଼ିଶା କ୍ରୀଡ଼ା ଜଗତକୁ ଏକାଥରକେ ଦୁଇଟି ଖୁସି ଖବର ମିଳିଛି। କାତାରର ଦୋହାରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିଭଳି ଚୀନ୍‌ର ନିଙ୍ଗବୋଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଝିଲି ଦଳବେହେରା ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମହିଳା ୪୫ କିଲୋଗ୍ରାମ ବର୍ଗରେ ଝିଲି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ମହିଳା ‘ଏ’ ବର୍ଗରେ ସେ ୧୬୨ କିଲୋଗ୍ରାମ ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ହାସଲ କରି ନେଇଥିଲେ। ସେ ସ୍ନାଚରେ ୭୧ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୯୧ କିଲୋଗ୍ରାମ ଭା‌ର ଉତ୍ତୋଳନ କରିଥିଲେ। ଭିଏତନାମର ଥାଇ ଭିଜୋଙ୍ଗ (୧୬୮ କିଲୋଗ୍ରାମ, ୭୬ ଓ ୯୨ କିଲୋଗ୍ରାମ) ଏହି ବର୍ଗର ସ୍ବର୍ଣ୍ଣ ପଦକ ଜିତିଥିଲେ। ଫିଲିପାଇନ୍ସର ମାରି ଫ୍ଲୋର ଡିଆଜ୍ (୧୫୮ କିଲୋଗ୍ରାମ, ୬୯ କିଲୋଗ୍ରାମ, ୮୯ କିଲୋଗ୍ରାମ)ଙ୍କୁ କାଂସ୍ୟ ପଦକ ମିଳିଥିଲା। ଏହା ପୂର୍ବରୁ ଝିଲି ଆଇଡବ୍ଲ୍ୟୁ କନିଷ୍ଠ ବିଶ୍ବ ଭାରୋତ୍ତୋଳନ ପ୍ରତିଯୋଗିତାର ୪୮ କିଲୋଗ୍ରାମରେ ଗତବର୍ଷ କାଂସ୍ୟ ପଦକ ଜିତିଥିଲେ। ଚଳିତ ବର୍ଷର ଏସୀୟ କନିଷ୍ଠ ଭାରୋତ୍ତୋଳନ (୪୮ କିଲୋଗ୍ରାମ)ରେ ମଧ୍ୟ ଝିଲି ରୌପ୍ୟ ପଦକ ପାଇଥିଲେ। ଗତବର୍ଷର ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଝିଲି ମଧ୍ୟ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ପୂର୍ବରୁ ୪୮ କିଲୋଗ୍ରାମରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଝିଲି ଚଳିତ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ୪୫ କିଲୋଗ୍ରାମ ବର୍ଗରେ ଅଂଶ ଗ୍ରହଣ କରିଥିଲେ।

ଝିଲିଙ୍କ ପଦକ ମଧ୍ୟ ଚଳିତ ଏସୀୟ ଭା‌ରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ପଦକ ହୋଇଛି। ସେପଟେ ମି‌ଜୋରାମର ୧୬ ବର୍ଷୀୟ ଭାରୋତ୍ତୋଳକ ଜେରେମି ଲାଲରିନୁଆଙ୍ଗା ନୂଆ ଯୁବ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୬୭ କିଲୋଗ୍ରାମର ତିନିଟି ଯାକ ବର୍ଗ ଯଥା ସ୍ନାଚ୍ (୧୩୪ କିଲୋଗ୍ରାମ), କ୍ଲିନ୍ ଆଣ୍ଡ ଜର୍କ (୧୬୩ କିଲୋଗ୍ରାମ) ଓ ମୋଟ (୨୯୭ କିଲୋଗ୍ରାମ)ରେ ସେ ଏହି ସଫଳତା ଲାଭ କରିଛନ୍ତି। ତାରକା ଭାରୋତ୍ତୋଳକ ତଥା ପୂର୍ବତନ ବିଶ୍ବ ବିଜୟିନୀ ମୀରାବାଇ ଚାନୁ କିନ୍ତୁ ନିରାଶ କରିଛନ୍ତି। ସେ ନିଜ ବର୍ଗର ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୧୧ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରୁଛି।

ସମ୍ବନ୍ଧିତ ଖବର