ଜିନାନ ଓପନ୍‌ ପ୍ରି-କ୍ବାର୍ଟର୍‌ରେ ପ୍ରଜ୍ଞେଶ

ଜିନାନ (ଚୀନ୍‌) : ଭାରତୀୟ ତାରକା ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ପ୍ରଜ୍ଞେଶ ଗୁଣେଶ୍ବରନ ଏବଂ ସାକେତ ମିନେନି ଓ ଜୀବନ ନେଦୁଚେଝିଆନ୍‌ ଯୋଡ଼ି ଜିନାନ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରି-କ୍ବାର୍ଟ‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ପୁରୁଷ ଏକକ ମୁକାବିଲାରେ ପ୍ରଜ୍ଞେଶ ୬-୨, ୬-୨ ‌‌ସେଟ୍‌ରେ ଜାପାନ୍‌ର ରେଣ୍ଟା ତୋକୁଦାଙ୍କୁ ପରାସ୍ତ କରିଥିଲେ। ପ୍ରି-କ୍ବାର୍ଟର୍‌ରେ ସେ ତାଇୱାନ୍‌ର ଉ ତୁଙ୍ଗ-ଲିନ୍‌ଙ୍କୁ‌ ଭେଟିବେ। ପୁରୁଷ ଯୁଗଳରେ ସାକେତ-ଜୀବନ ଯୋଡ଼ି ୬-୪, ୬-୩ ସେଟ୍‌ରେ ଜାପାନ୍‌ ଯୋଡ଼ି ସିନ୍ତାରୋ ଇମାଇଓ ତୋସିହିଦେ ମାସୁଇଙ୍କୁ ହରାଇଥିଲେ। ଏହି ଯୋଡ଼ି କ୍ବାର୍ଟର ଫାଇନାଲ୍‌ରେ ହିରୋକି ମୋରିୟା ଓ ଗୋନକାଲୋ ଓଲିଭେରାଙ୍କୁ ଭେଟିବେ। ମୋରିୟା-ଓଲିଭେରା ୩-୬, ୭-୬, ୧୦-୭ ସେଟ୍‌ରେ ଭାରତୀୟ ଯୋଡ଼ି ଏନ୍‌ ଶ୍ରୀରାମ ବାଲାଜୀ ଓ ବିଷ୍ଣୁ ବର୍ଦ୍ଧନଙ୍କୁ ହରାଇ ଏହି ପର୍ଯ୍ୟାୟରେ ପହଞ୍ଚିଥିଲେ। ପୂର୍ବରୁ ‌ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତ-ଅଷ୍ଟ୍ରେଲିଆ ଯୋଡ଼ି ଦିଭିଜ ସରଣ ଓ ମାଥ୍ୟୁ ବଦେନ ୬-୨, ୬-୭, ୧୧-୯ ସେଟ୍‌ରେ ଷ୍ଟିଭେନ୍‌ ଦିଏଜ ଓ ଏନ୍‌ରିକ ଲୋପେଜ ପେରେଜଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଏହି ଯୋଡ଼ି କ୍ବାର୍ଟର ଫାଇନାଲ୍‌ରେ ସର୍ବିଆ-ଅଷ୍ଟ୍ରେଲିଆ ଯୋଡ଼ିଙ୍କ ଭେଟ ପେଡା କେର୍ସ୍ତିନ ଓ ଅକିରା ଶାନ୍ତିଲେନଙ୍କ ସହ ହେବ।

ସମ୍ବନ୍ଧିତ ଖବର