ଭୁବନେଶ୍ବର: ଭାରତର ଘରୋଇ ଫୁଟ୍‌ବଲ୍ ପ୍ରତିଯୋଗିତା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍ ସୁପର୍ ଲିଗ୍‌)ରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ‘ଓଡ଼ିଶା ଏଫ୍‌ସି’ ସହ ଯୋଡ଼ି ହୋଇଯାଇଛି ରାଜ୍ୟର ବୃହତ୍‌ ଷ୍ଟିଲ୍ ପ୍ଲାଣ୍ଟ୍‌ ‘ଜିନ୍ଦଲ୍‌ ଷ୍ଟିଲ୍ ଆଣ୍ଡ୍ ପାୱାର’ର ରିଟେଲ୍ ବ୍ରାଣ୍ଡ୍‌ ଜିନ୍ଦଲ୍ ପାନ୍ଥର। ଓଡ଼ିଶା ଏଫସିର ବ୍ରାଣ୍ଡ୍‌ ପାର୍ଟନର ହୋଇଛି ଜେଏସ୍‌ପି। ଓଡ଼ିଶାରେ ଫୁଟ୍‌ବଲ୍‌ର ସ୍ତରକୁ ଆଗକୁ‌ ‌ନେବା ଅଭିଳାଷ ରଖି ପରସ୍ପର ସହ ‌ହାତ ମିଳାଇଛନ୍ତି ଏହି ଦୁଇ ସଂସ୍ଥା। ହିରୋ ଆଇଏସ୍‌ଏଲ୍‌ର ଗୋଟିଏ ଋତୁ ପାଇଁ ଯୋଡ଼ି ହୋଇଥିଲେ ମଧ୍ୟ ଭବିଷ୍ୟତରେ ଲମ୍ବା ଯାତ୍ରାରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ‘‘ଜିନ୍ଦଲ ପାନ୍ଥରର ସହଭାଗିତା ପାଇ ଆମେ ଉଲ୍ଲସିତ।

Advertisment

ଏହା ଓଡ଼ିଶା ଏଫ୍‌ସିକୁ ଅଧିକ ସଫଳତା ଦେବ ଏବଂ ଓଡ଼ିଶାରେ ଫୁଟ୍‌ବଲ୍‌କୁ ନୂଆ ଦିଶା ଦେଖାଇବ। ମହିଳା ଦଳ ମଧ୍ୟ ଗଠନ କରିଛୁ, ସିଏସ୍‌ଆର୍‌ ଜରିଆରେ ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ର ବିକାଶ କରୁଛୁ’’ ବୋଲି କ୍ଲବ୍ ସଭାପତି ରାଜ ଅଥୱାଲ୍ ପ୍ରକାଶ କରିଥିଲେ। ଓଡ଼ିଶା ଏଫ୍‌ସି ସହିତ ଯୋଡ଼ି ହୋଇଥିବାରୁ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ଜିନ୍ଦିଲ ଷ୍ଟିଲ୍‌ର ସିଏମ୍‌ଓ ସୁଶୀଲ କୁମାର ପ୍ରଧାନ। ଫୁଟ୍‌ବଲ୍‌, କବାଡ଼ି, କ୍ରିକେଟ୍‌ ଭଳି ଜିନ୍ଦଲ ପାନ୍ଥର ମଧ୍ୟ ଭବିଷ୍ୟତରେ ଅନ୍ୟ ଖେଳ ସହ ଯୋଡ଼ି ହେବ ଏବଂ ଓଡ଼ିଶାର କ୍ରୀଡ଼ା ବିକାଶରେ ପ୍ରମୁଖ ଭୂମିକା ତୁଲାଇବ ବୋଲି ‌ସେ ପ୍ରଧାନ ପ୍ରକାଶ କରିଥିଲେ। ୨୦୧୯ରେ ଓଏଫ୍‌ସିର ଗଠନ ପରଠାରୁ ଏହି ଦଳ ଆଇଏସ୍‌ଏଲ୍‌ରେ ସ୍ଥିର ପ୍ରଦର୍ଶନ ଦେଇ ଆସିଛି। ସେହି ଦୃଷ୍ଟିରୁ ଓଏଫ୍‌ସି ସହ ଯୋଡ଼ି ହେବା ଏକ ସୌଭାଗ୍ୟ ବୋଲି ସେ କହିଥିଲେ। ଫୁଟ୍‌ବଲ୍ ଓ ଷ୍ଟିଲ୍‌ର ସମ୍ପର୍କ ଭଳି ଏହା ଶକ୍ତ, ନମନୀୟତା ଓ ଗତିଶୀଳ ବୋଲି ସେ ପ୍ରକାଶ କରିଥିଲେ। ଜିନ୍ଦଲ୍ ଷ୍ଟିଲ୍ ଓଏଫ୍‌ସିର ମୁଖ୍ୟ ପ୍ରାୟୋଜକ ହେବା ବାସ୍ତବିକ ଏକ ସୁନ୍ଦର ବିବାହ ଭଳି ବୋଲି ଅଭିହିତ କରିଥିଲେ କମ୍ପାନିର କାର୍ଯ୍ୟନିର୍ବାହୀ ସଭାପତି (ସିସି ଓ ସିଏସ୍‌ଆର) ପ୍ରଶାନ୍ତ ହୋତା।

ଚଳିତ ଋତୁରେ ଅଦ୍ୟାବଧି ୭ ମ୍ୟାଚ୍‌ରୁ ୫ ବିଜୟ ହାସଲ କରିଥିବା ଓଡ଼ିଶା ଏଫ୍‌ସିର ସ୍ଥିର ପ୍ରଦର୍ଶନ ଓ ପ୍ଲେ ଅଫ୍‌ ଯୋଗ୍ୟତା ସମ୍ପର୍କରେ ପ୍ରଶ୍ନ ହେବାରୁ ସହକାରୀ ପ୍ରଶିକ୍ଷକ ଜ୍ୟାକବ୍ ରାମାଲୋ କହିଥିଲେ ‘ଏତେ ଆଗୁଆ ଦଳର ସମ୍ଭାବନା କଥା କହିବା କଷ୍ଟକର, ଫେବ୍ରୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ’। ଓଡ଼ିଶା ଏଫ୍‌ସିର‌ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ସାାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ଷ୍ଟିଲ୍‌ର ଅନ୍ୟ ୩ ପ୍ରମୁଖ ଅଧିକାରୀ ଆଲୋକ ମିଶ୍ର (ଏସ୍‌ବିୟୁ ହେଡ୍‌ ଟିଏମ୍‌ଟି), ଆନନ୍ଦ ପ୍ରକାଶ (ପୂର୍ବାଞ୍ଚଳ ବିକ୍ରି ମୁଖ୍ୟ), ରୋହିତ ଲାମ୍ବା (ବ୍ରାଣ୍ଡିଂ ହେଡ୍‌) ପ୍ରମୁଖ ଉପସ୍ଥିତ ଥିଲେ।