ମୁମ୍ବାଇ: କାତାର-୨୦୨୨ ଫିଫା ବିଶ୍ବକପ୍‌ରେ ଭାରତ ଅଂଶଗ୍ରହଣ କରିନଥିଲା, କିନ୍ତୁ ଭାରତୀୟ ଦର୍ଶକମାନେ ଢେର ଉପଭୋଗ କରିଛନ୍ତି ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ। ପ୍ରଥମ ଥର ପାଇଁ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଟିଭି ଦର୍ଶକଙ୍କୁ ଡିଜିଟାଲ୍ ଦର୍ଶକ ଟପି ଯାଇଛନ୍ତି। ଟିଭିର ସିଧା ପ୍ରସାରଣ ସ୍ପୋର୍ଟସ୧୮ ଚାନେଲରେ ହେଉଥିବା ବେଳେ ଡିଜିଟାଲ୍ ପ୍ଲାଟଫର୍ମରେ ଏହାର ପ୍ରସାରଣ ହୋଇଥିଲା ଜିଓ ସିନେମାରେ। ରବିବାରର ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ୍‌କୁ ଦେଖିବାକୁ ଜିଓ ସିନେମାରେ ୩୨୦ ଲକ୍ଷ ଟ୍ୟୁନ୍ କରିଥିଲେ। ସ୍ପୋର୍ଟସ୧୮ ଏବଂ ଜିଓ ସିନେମା ମଧ୍ୟ ବିଶ୍ବକପ୍‌ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ ଓ ତଥ୍ୟଭିତ୍ତିକ ସମୀକ୍ଷା କରି ଲୋକପ୍ରିୟତା ଅର୍ଜନ କରିଛି। ବିଶ୍ବସ୍ତରୀୟ ଷ୍ଟୁଡିଓରେ ୱେନି ରୁନି, ଲୁଇସ ଫିଗୋ, ରବର୍ଟ ପାଇରେସ୍‌, ଗିଲବର୍ଟ ସିଲଭା, ସୋଲ୍ କ୍ୟାମ୍ପବେଲ୍‌ ମଧ୍ୟ ଏହି ଦୁଇ ପ୍ରସାରଣକାରୀ ସଂସ୍ଥାର ମର୍ଯ୍ୟଦା ବଢ଼ାଇପାରିଛି।