ଧୋନିଙ୍କ ଜନ୍ମଦିନରେ ଜିଭା ଆକର୍ଷଣ

ଲିଡ୍ସ: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରବିବାର ତାଙ୍କ ୩୮ତମ ଜନ୍ମ ଦିବସ ସାଥୀ ଖେଳାଳି ହାର୍ଦିକ ପାଣ୍ଡ୍ୟା, କେଦାର ଯାଦବ, ଋଷବ ପନ୍ତ, ପତ୍ନୀ ସାକ୍ଷୀ ଏବଂ ଝିଅ ଜିଭା ସହ ପାଳନ କରିଛନ୍ତି। ଏହି ଅବସରରେ ଜିଭା ହିଁ ମୁଖ୍ୟ ଆକର୍ଷଣ ଥିଲେ। ଜିଭା ଓ ଧୋନି ଏକାଠି ଡେଉଁ ଥିବାର ଏକ ଭିଡିଓ ମଧ୍ୟ ସାକ୍ଷୀ ତାଙ୍କ ଟ୍ବିଟର ପୃଷ୍ଠାରେ ଛାଡ଼ିଥିଲେ। ଏଥିରେ ଧୋନିଙ୍କ ମୁହଁରେ ‌କେକ୍ ବୋଳା ହୋଇଥିଲା ବେଳେ ସେ ଜିଭାଙ୍କ ସହ ଖେଳୁଥିବା ଦେଖିବାକୁ ମିଳୁଛି। ଧୋନିଙ୍କ ସହ ପାଣ୍ଡ୍ୟା ଏବଂ ପନ୍ତ ମଧ୍ୟ ଖୁସିରେ ଡେଉଁ ଥିବାର ଭିଡିଓ ସାକ୍ଷୀ ସେୟାର କରିଥିଲେ।

ସେପଟେ ଅଧିନାୟକ ବିରାଟ କୋହଲିଙ୍କ ସହ ବହୁ ବର୍ତ୍ତମାନ ଏବଂ ପୂବର୍ତନ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ସାରା ବିଶ୍ବରୁ ଧୋନିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। କୋହଲି ଲେଖିଛନ୍ତି, ଜନ୍ମ ଦିନର ଶୁଭେଚ୍ଛା ମାହି ଭାଇ। ବହୁତ କମ୍ ଲୋକ ଭରସା ଏବଂ ସମ୍ମାନର ମାନେ ବୁଝନ୍ତି। ତୁମ ସହ ଏତେ ବର୍ଷ ଧରି ଥିବା ବନ୍ଧୁତ୍ବ ନେଇ ମୁଁ ଗର୍ବିତ। ତୁମେ ଆମ ସମସ୍ତଙ୍କର ବଡ଼ ଭାଇ ହୋଇ ରହିଛ। ମୁଁ ଆଗରୁ କହିଛି, ଏବେ ବି କହୁଛି ତୁମେ ସବୁବେଳେ ‌ମୋ ଅଧିନାୟକ ହୋଇ ରହିବ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୁଭେଚ୍ଛା ବାର୍ତା ଦେଇ ଲେଖିଥିଲେ ଯେ ଧୋନି ତୁମକୁ ଜନ୍ମଦିନର ଅଶେଷ ଅଭିନନ୍ଦନ। ଆଗାମୀ ବର୍ଷ ବେଶ୍ ଚମତ୍କାର ହେଉ। ବିଶ୍ବକପ୍‌ର ପରବର୍ତୀ ଦୁଇଟି ମ୍ୟାଚ୍ ଲାଗି ଅଭିନନ୍ଦନ। ବୀରେନ୍ଦ୍ର ସେହବାଗ, ଋଷବ ପନ୍ତ, ‌କେଦାର ଯାଦବ, ରବିଚନ୍ଦ୍ରନ୍‌ ଅଶ୍ବିନ, ଓଡ଼ିଆ ତାରକା ପ୍ରଜ୍ଞାନ ଓଝା, ଭିଭିଏସ୍ ଲକ୍ଷ୍ମଣ, ଋଦ୍ଧିମାନ ସାହ, ରୁଦ୍ର ପ୍ରତାପ ସିଂହ, ରସେଲ ଆର୍ନୋଲ୍ଡ, ଆକାଶ ଚୋପ୍ରା ପ୍ରମୁଖ ଟ୍ବିଟ୍ କରି ଧୋନିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

ସମ୍ବନ୍ଧିତ ଖବର