ବ୍ରାଭୋଙ୍କୁ ଟୋପି ପିନ୍ଧା ଶିଖାଇଲେ ଜିଭା

କୋଲକାତା: ଚେନ୍ନାଇ ସୁପରକିଙ୍ଗ୍ସ ଅଲ୍‌ରାଉଣ୍ଡର ଡ୍ବେନ୍ ବ୍ରାଭୋଙ୍କୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଧୋନି ଟୋପି ପିନ୍ଧାଇବା ଶିଖାଇଲେ। ଚେନ୍ନାଇ ସୁପରକିଙ୍ଗ୍ସର ଟ୍ବିଟର ପୃଷ୍ଠାରେ ପ୍ରକାଶ କରାଯାଇଥିବା ଏଭଳି ଏକ ଭିଡିଓକୁ କ୍ରିକେଟ୍ ପ୍ରେମୀ ଢେର ପସନ୍ଦ କରୁଛନ୍ତି। ଏଥିରେ ରବିବାରର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ପରେ ଜିଭା ଐତିହାସିକ ଇଡେନ୍ ଗାର୍ଡେନ୍ସ ପଡ଼ିଆ ଭିତରେ ବ୍ରାଭୋଙ୍କ ସହ କିଛି ସମୟ ଖେଳାଖେଳି କରିଥିଲେ। ଏହି ସମୟରେ ବ୍ରା‌ଭୋ ନିଜ ଟୋପିର ଆଗକୁ ପଛ ଏବଂ ପଛକୁ ଆଗ କରି ପିନ୍ଧିଥିଲେ। ସେ ଯେତେ‌ଥର ଏଭଳି କରିଥିଲେ ଜିଭା ତାକୁ ସେତେଥର ଠିକ୍ କରିଥିଲେ। ଶେଷରେ ବ୍ରାଭୋ ତାଙ୍କୁ ଉପରକୁ ଉଠାଇ ସ୍ନେହରେ ଗେଲ କରୁଥିବା ଦେଖିବାକୁ ମିଳିଥିଲା।
ଗତବର୍ଷ ଭଳି ଚଳିତ ବର୍ଷର ଆଇପିଏଲରେ ଜିଭା ଅନ୍ୟତମ ଆକର୍ଷଣ ପାଲଟିଛନ୍ତି। ମ୍ୟାଚ୍ ପରେ ସେ ଧୋନିଙ୍କ ସହ ପଡ଼ିଆ ଭିତରେ ଖେଳୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ଗତବର୍ଷ ଆଇପିଏଲ୍ ବେଳେ ଧୋନି ଓ ଜିଭା ଭୋଜପୁରୀ ଏବଂ ତାମିଲରେ ପରସ୍ପରକୁ ଅଭିବାଦନ ଜଣାଉଥିବାର ଭିଡିଓ ବେଶ୍ ଚର୍ଚିତ ହୋଇଥିଲା।

ସମ୍ବନ୍ଧିତ ଖବର