ଜେକେ ବୋଷ ଟ୍ରଫି: ସୁକେଶଙ୍କ ଅପରାଜିତ ୫୨: ଜିତିଲା ପୂର୍ବାଞ୍ଚଳ

ବାଙ୍ଗାଲୋର: ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ବାର୍ଷିକ ଅଧିବେଶନ ଅବସରରେ ଶନିବାରଠୁ ଆରମ୍ଭ ହୋଇଥିବା ଜେକେ ବୋଷ ଅନ୍ତଃଜୋନ୍‌ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ଦିନ ପୂର୍ବାଞ୍ଚଳ ବୃହତ୍‌ ବିଜୟ ପାଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଅଲ୍‌ରାଉଣ୍ଡର ସୁକେଶ ବେହେରା (୫୨)ଙ୍କ ଅପରାଜିତ ଅର୍ଧଶତକ ବଳରେ ପୂର୍ବାଞ୍ଚଳ ୯ ଓ୍ଵିକେଟ୍‌ରେ ଉତ୍ତରାଞ୍ଚଳକୁ ପରାସ୍ତ କରିଦେଇଛି। ୧୯ ଓଭରରେ ୧୧୩ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ପୂର୍ବାଞ୍ଚଳ ଦଳ ୧୫.୫ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ପାଳି ଆରମ୍ଭ କରିଥିବା ସୁକେଶ ୫୫ ବଲ୍‌ରୁ ୨ ଛକା ଓ ୩ ଚୌକା ସହାୟତାରେ ଅପରାଜିତ ୫୨ ରନ୍‌ କରିଥିଲେ। କୋଲ୍‌କାତା କ୍ରୀଡ଼ା ସାମ୍ବାଦିକ ସଂଘର ଆଲାପନ ଶାହା ୩୨ ବଲ୍‌ରୁ ୨୫ ରନ୍‌ କରି ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ପୂର୍ବରୁ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଉତ୍ତରାଞ୍ଚଳ ଦଳ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୧୨ ରନ୍‌ କରିଥିଲା। ତ୍ରିପୁରାର କ୍ରୀଡା ସାମ୍ବାଦିକ ଅନିର୍ବାଣ ୧୯ ରନ୍‌ ଦେଇ ୨ ଓ୍ଵିକେଟ୍‌ ପାଇଥିଲା ବେଳେ ସୁକେଶ ନିଜ ୩ ଓଭରରେ ୧୪ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ପାଇଥିଲେ। ଓସ୍‌ଜାର ଜଗଦୀଶ୍ୱର ଦାସ ଭଲ ବୋଲିଂ କରିଥିଲା ବେଳେ ସମ୍ବିତ ମହାପାତ୍ର ବଢ଼ିଆ କ୍ଷେତ୍ରରକ୍ଷଣ କରିଥିଲେ। ଶନିବାର ଅନ୍ୟ ଏକ ମ୍ୟାଚ୍‌ରେ ଦକ୍ଷିଣାଞ୍ଚଳ ପାଖରୁ ପଶ୍ଚିମାଞ୍ଚଳ କେବଳ ୩ ରନ୍‌ରେ ହାରିଯାଇଥିଲା।

ଦ୍ରାବିଡ୍‌ କଲେ ଉଦ୍‌ଘାଟନ
ପୂର୍ବତନ ଭାରତୀୟ ଅଧିନାୟକ ତଥା ମିଷ୍ଟର ୱାଲ ଭାବେ ଭାରତୀୟ କ୍ରିକେଟ୍‌ରେ ପରିଚିତ ରାହୁଲ ଦ୍ରାବିଡ୍‌ ଶନିବାର ଜେକେ ବୋଷ ଟ୍ରଫିର ଶୁଭ ଉଦ୍‌ଘାଟନ କରିଥିଲେ। କର୍ଣ୍ଣାଟକ କ୍ରିକେଟ୍‌ ସଂଘର ଆଲୋରରେ ଥିବା ଆକର୍ଷଣୀୟ କ୍ରିକେଟ୍‌ ଗ୍ରାଉଣ୍ଡରେ ଦ୍ରାବିଡ ଶନିବାର ସକାଳେ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ କରିବା ସହ ସବୁ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ। ସେ ୪ ଦଳର ଅଧିନାୟକଙ୍କୁ ଟୋପି ପ୍ରଦାନ କରିଥିଲେ। ମଙ୍ଗଳବାର ଯାଏ ଚାଲିବାକୁ ଥିବା ଏସ୍‌ଜେଏଫ୍‌ଆଇର ନ୍ୟାସନାଲ କନ୍‌ଭେନ୍‌ସନ୍‌ରେ ଓଡିଶା କ୍ରୀଡା ସାମ୍ବାଦିକ ସଂଘର ସଂପାଦକ ସନାତନ ପାଣି, ଉପସଭାପତି ସୁରେଶ ସ୍ୱାଇଁ, ସଦସ୍ୟ ସୁକେଶ ବେହରା, ଜଗଦୀଶ୍ୱର ଦାସଙ୍କ ସହ ଏସ୍‌ଏଜେଏଫ୍‌ଆଇର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ସମ୍ବିତ ମହାପାତ୍ର ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର