କ୍ରୀଡ଼ା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲା ଜେଏମ୍ ସ୍ପୋ‌ର୍ଟସ ଏକାଡେମି

ଭୁବନେଶ୍ବର: ଶନିବାର ଥିଲା ‘ବିଶ୍ବ କ୍ରୀଡ଼ା‌ ସାମ୍ବାଦିକ ଦିବସ’। ଏହି ଅବସରରେ ତୃଣମୂଳସ୍ତରରୁ ଜିମ୍ପାଷ୍ଟିକ୍ସ ଖେଳର ବିକାଶ ଲକ୍ଷ୍ୟ ନେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଏବଂ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ‘ଜେଏମ୍ ସ୍ପୋର୍ଟସ ଏକାଡେମି’ କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲା। ଆଜି ଅପରାହ୍ଣରେ ଏଥିନେଇ ଏକାଡେମି ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଆତିଶ କୁମାର ରାଉତ କ୍ରୀଡ଼ା ବିକାଶରେ କ୍ରୀଡ଼ା‌ ସାମ୍ବା‌ଦିକଙ୍କ ଅତୁଳନୀୟ ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ଅତିଥି ତଥା ଏସ୍‌ଆର୍ ଚେସ୍ ସେଣ୍ଟରର ନିର୍ଦ୍ଦେଶକ ଏବଂ ବିଜୁ ପଟ୍ଟନାୟକ କ୍ରୀଡ଼ା‌ ପୁରସ୍କାରପ୍ରାପ୍ତ ଚେସ୍ ପ୍ରଶିକ୍ଷକ ସତ୍ୟ ରଞ୍ଜନ ପଟ୍ଟନାୟକ ଏଭଳି ଏକ ଉତ୍ସବ ଆୟୋଜନ କରି ଓଡ଼ିଶାରେ କ୍ରୀଡ଼ା ବିକାଶ ଲାଗି ଅହରହ କାର୍ଯ୍ୟ କରିଆସୁଥିବା କ୍ରୀଡ଼ା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଜେଏମ୍ ସ୍ପୋର୍ଟସ ଏକାଡେମିର ଅଧ୍ୟକ୍ଷା‌ ମୀରାରାଣୀ ଦାସଙ୍କୁ ସାଧୁବାଦ ଜଣାଇଥିଲେ।

ସେହିଭଳି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତପନ ସ୍ବାଇଁ, ଦେବାଶିଷ ସୁନ୍ଦରାୟ ଏବଂ କୁମାର ବିମଳ କ୍ରୀଡ଼ା ସାମ୍ବାଦିକମାନେ ନିଷ୍ଠାର ସହ ନିଜ କାର୍ଯ୍ୟ ସଂପାଦନ କରିବା ଲାଗି ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସହ ଏହି ଆହ୍ବାନପୂର୍ଣ୍ଣ ପେସାର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏମ୍ ‌ସ୍ପୋର୍ଟସ ଏକାଡେମିର ଆଇନ ପରାମର୍ଶଦାତା ସୁବ୍ରତ ମହାପାତ୍ର ଏବଂ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ଦ ରେଫରି ତଥା ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ଜିମ୍ନାଷ୍ଟିକ୍ସ ପ୍ରଶିକ୍ଷକ ପ୍ରଦୀପ କୁମାର ସାହୁ ଏହି ଅବସରରେ ଉପସ୍ଥିତ ଥିଲେ। ଏକାଡେମିର ସଂପାଦକ ଯଶୋବନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ମଞ୍ଚେଶ୍ବରର ସମେଇଗାଡ଼ିଆଠାରେ ଥିବା ଜେଏମ୍ ସ୍ପୋର୍ଟସ ଏକାଡେମି ଗତ ଏପ୍ରିଲ ୯ ଓ ୧୦ ତାରିଖ ଦୁଇ ଦିନ ଧରି ସଫଳତାର ସହ ୪୨ତମ ରାଜ୍ୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଆୟୋଜନ କରିସାରିଛି। ସେହିଭଳି ଚଳତବର୍ଷ ଜୁନ୍ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଓପନ୍ ଆମନ୍ତ୍ରଣୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇଥିଲା। ଶନିବାର ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା କ୍ରୀଡ଼ା ସାମ୍ବାଦିକମାନେ ହେଲେ ତପନ ସ୍ବାଇଁ, କୁମାର ବିମଳ, ଶକ୍ତିପ୍ରକାଶ ନନ୍ଦ, ସିମ୍ପୁଲ ନାୟକ, ସରୋଜ ବାରିକ, ରଜନୀକାନ୍ତ ଶତ୍ରୁସଲ୍ୟ, ବେଣୁଧର ଦାସ, ‌ତାଜିନ କୁରେସି, ଦେବୀପ୍ରସନ୍ନ ପାଣିଗ୍ରାହୀ, ମନମୋହନ ସ୍ବାଇଁ ଓ ଦେବାଶିଷ ସୁନ୍ଦରାୟ।

ସମ୍ବନ୍ଧିତ ଖବର