ମାର୍ଚ୍ଚ ୧ରୁ ଜେଏନ୍‌ ଇଣ୍ତୋର ଷ୍ଟାଡିୟମରେ ସ୍ଥାୟୀ ବ୍ୟାଡ୍‌ମିଣ୍ଟନ୍‌ ପ୍ରଶିକ୍ଷଣ କେନ୍ଦ୍ର

ପ୍ରଶିକ୍ଷଣ ଦେବେ ପୂର୍ବତନ ରାଜ୍ୟ ଖେଳାଳି କମଳ ଦାସ

କଟକ: ଜବାହରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ରାଜ୍ୟ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଯାଉଛି। ପୂର୍ବତନ ରାଜ୍ୟ ଖେଳାଳି କମଳ ଦାସ ଏଠାରେ ପ୍ରଶିକ୍ଷଣ ଦେବେ। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କମଳଙ୍କୁ ଅନୁମତି ଦିଆଯାଇଥିଲାବେଳେ କେନ୍ଦ୍ର ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି। କେବଳ ଯେଉଁମାନେ ସରକାରଙ୍କ ‘ପେ ଆଣ୍ତ ପ୍ଲେ’ ସ୍କିମ୍‌ ଅଧିନରେ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କୁ ଏଠାରେ ପ୍ରଶିକ୍ଷଣ ଦିଆଯିବ। ଏହାଛଡ଼ା ନୂଆଭାବେ ଆଡମିସନ ନେବାକୁ ଇଚ୍ଛୁକଥିବା ଖେଳାଳିମାନଙ୍କୁ ସରକାରଙ୍କ ଏହି ସ୍କିମ୍‌ ଅଧିନରେ ପଞ୍ଜିକୃତ ହେବାକୁ ପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ଓଡ଼ିଶାରେ ଦୁଇଟି ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟ କରୁଛି। ଭୁବନେଶ୍ବରରେ ସାଇ ଏକାଡେମୀ ଥିବାବେଳେ ଭବାନୀପାଟଣାରେ ରାଜ୍ୟ ସରକାରଙ୍କ ସ୍ବୀକୃତି ପ୍ରାପ୍ତ କେନ୍ଦ୍ର ରହିଛି। ଫଳରେ କଟକରେ ଏହି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲେ ଏହା ରାଜ୍ୟ ସରକାରଙ୍କ ଦ୍ବିତୀୟ ସ୍ବୀକୃତିପ୍ରାପ୍ତ କେନ୍ଦ୍ର ଭାବେ ପରିଗଣିତ ହେବ। ଏଠାରେ ସକାଳ ୭ରୁ ୧୦ଟା ପର୍ଯ୍ୟନ୍ତ ଏବ˚ ଅପରାହ୍ନ ସାଢେ ୨ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିଛି। ବର୍ତ୍ତମାନ ୬୦ଜଣ ଖେଳାଳି ପେ ଆଣ୍ତ ପ୍ଲେ ସ୍କିମ୍‌ରେ ପଞ୍ଜିକୃତ ଥିବାବେଳେ ନୂଆ ଆଡ୍‌ମିସନକୁ ମିଶାଇଲେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା ରହିଛି। ବିଭିନ୍ନ ବୟସ ବର୍ଗରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଦୀର୍ଘ ୨୮ ବର୍ଷ (୧୯୮୭-୨୦୧୫) ଧରି କମଳ ରାଜ୍ୟ ପାଇଁ ବିଭିନ୍ନ ବୟସ ବର୍ଗରେ ବ୍ୟାଡମିଣ୍ଟନ ଖେଳିଥିବାବେଳେ ବିଭିନ୍ନ ସମୟରେ ଖେଳାଳିମାନଙ୍କୁ ନିଜସ୍ବ ଉଦ୍ୟମରେ ପ୍ରଶିକ୍ଷଣ ଦେଇଆସୁଥିଲେ। ଏଥିସହିତ ଗତବର୍ଷ କଟକ କ୍ଲବ୍‌ରେ କୋଷାଧ୍ୟକ୍ଷ ଥିବାବେଳେ ପ୍ରିମିୟର ଲିଗ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନରେ ତାଙ୍କର ଭୂମିକା ଅଧିକ ଥିଲା। ବର୍ତ୍ତମାନ ଇଣ୍ତୋରରେ ପ୍ରଶିକ୍ଷଣ ପ୍ରଦାନରେ କମଳଙ୍କ ସହିତ ତାଙ୍କ ପତ୍ନୀ ତଥା ଭାରତୀୟ ବ୍ୟାଡମିଣ୍ଟନ ସ˚ଘର ବୈଷୟିକ ଅଧିକାରୀ ଓ ଅମ୍ପାୟାର ରୀତା ଦାସ, ପୂର୍ବତନ ରାଜ୍ୟ ବିଜେତା ପ୍ରମୋଦ ରାଣା ଏବ˚ ପ୍ରକାଶ ସାହୁ ତାଙ୍କୁ ସହାୟତା କରିବେ। ଫିଲ୍ଡ ପ୍ରଶିକ୍ଷଣ ଗୁଡ଼ିକୁ ରୀତା ଅନୁଧ୍ୟାନ କରିବାକୁଥିବାବେଳେ କୋର୍ଟ ପ୍ରଶିକ୍ଷଣରେ ପ୍ରମୋଦ ଖେଳାଳିଙ୍କ ତ୍ରୁଟି ସୁଧାରିବେ। ପ୍ରକାଶ ପ୍ରଶାସନିକ ଦିଗକୁ ତଦାରଖ କରିବେ। ପ୍ରଶିକ୍ଷଣ ମୋଟ ୪ଟି କୋର୍ଟରେ ଦିଆଯିବ। ଏଥିପାଇଁ ଆବଶ୍ୟକୀୟ ନେଟ୍‌ସ, ବାର‌୍‌ ଓ ଅନ୍ୟାନ୍ୟ ସାମଗ୍ରୀରୁ କିଛି ସରକାରଙ୍କ ପଖରୁ ପୂର୍ବରୁ ଥିବାବେଳେ ଆଉ କିଛି କମଳ ନିଜଆଡୁ ଏଥିରେ ଯୋଡ଼ିବାକୁ ଯାଉଛନ୍ତି। ସେହିପରି ପ୍ରଶିକ୍ଷାର୍ଥୀଙ୍କୁ ସଟଲ୍‌ ମାଗଣାରେ ଯୋଗାଇଦିଆଯବ। କିନ୍ତୁ ଯେଉଁମାନେ ଆଡ୍‌ଭାନ୍ସ ପ୍ରଶିକ୍ଷଣ ପାଇଁ ଏଠାକୁ ଆସିବେ, ସେମାନଙ୍କୁ ନିଜସ୍ବ ଖର୍ଚ୍ଚରେ ସଟଲ୍‌ ଆଣିବାକୁ ପଡ଼ିବ। ସମୟ ସମୟରେ ରାଜ୍ୟ ତଥା ଆନ୍ତର୍ଜାତିକ ଖେଳାଳିମାନେ ଏଠାରେ ପହଞ୍ଚି ଖେଳାଳିମାନଙ୍କୁ ବିଭିନ୍ନ ପରାମର୍ଶ ଦେବେ ବୋଲି କମଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର