ଶ୍ରୀହୀନ ହେବ ‘ହକିର ଗଡ଼’! ବେସରକାରୀ ସଂସ୍ଥାକୁ ଭିତ୍ତିଭୂମି ଟେକି ଦେବାକୁ ପ୍ରୟାସ

ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ

ରାଉରକେଲା: ‘ହକିର ଗଡ଼’ ଭାବେ ପରିଚିତ ସୁନ୍ଦରଗଡ଼ ଭାରତୀୟ ହକି ଜଗତରେ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ସୁନ୍ଦରଗଡ଼ ମାଟିରୁ ଗତ ୪ ଦଶନ୍ଧି ମଧ୍ୟରେ ୭୦ରୁ ଅଧିକ ଅନ୍ତର୍ଜାତୀୟ ହକି ଖେଳାଳି ଜନ୍ମ ନେଇଛନ୍ତି। ଏଥିମଧ୍ୟରେ ୯ ଜଣ ଅଲିମ୍ପିଆନ ବି ଅଛନ୍ତି। ତଥାପି ଯେଉଁ ଅନୁପାତରେ ଜିଲ୍ଲାର ହକି ଭିତ୍ତିଭୂମିର ବିକାଶ ହେବା ଆଶା କରାଯାଉଥିଲା, ତାହା ହୋଇପାରିନି। ଓଲଟା ଯେଉଁସବୁ ବିଧି ବ୍ୟବସ୍ଥା ଥିଲା ତାକୁ ଚକ୍ରାନ୍ତ କରି ସ୍ଥାନାନ୍ତର କରାଯାଉଛି। ୨୦୧୪ ଫେବ୍ରୁଆରିରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ‘ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ’କୁ ଭୁବନେଶ୍ବର ‌କ୍ରୀଡ଼ା ଛାତ୍ରାବାସକୁ ସ୍ଥାନାନ୍ତର କରାଯାଇଥିଲା। ଏହାଦ୍ବାରା ଏଠାରେ ରହୁଥିବା ଉଭୟ ବାଳକ ଓ ବାଳିକା ବର୍ଗର ୬୦ ଜଣ ଉଦୀୟମାନ ହକି ଖେଳାଳି ପାନପୋଷ କ୍ରୀଡ଼ା ଛାତ୍ରାବାସ ଛାଡ଼ିବାକୁ ବାଧ୍ୟ ହେଲେ। ସେତେବେଳେ ଏହାକୁ ଜିଲ୍ଲାର କ୍ରୀଡ଼ାପ୍ରେମୀ ତୀବ୍ର ବିରୋଧ କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଏହା ପରଠାରୁ ଜିଲ୍ଲାର ହକି ନିଜର ଚମକ ହରାଇଥିଲା। ପୁଣି ସଂପ୍ରତି ସମାନ ଧରଣର ଅନ୍ୟଏକ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଜିଲ୍ଲାରେ ଥିବା ବରିଷ୍ଠ ହକି ଛାତ୍ରାବାସକୁ ବନ୍ଦ କରିବା ଏବଂ ଏକ ବେସରକାରୀ ସଂସ୍ଥାକୁ ସବୁ ହକି ପ୍ରଶିକ୍ଷଣ ବ୍ୟବସ୍ଥା ଟେକି ଦେବାକୁ ରାଜ୍ୟ କ୍ରୀଡ଼ା ବିଭାଗ ପ୍ରୟାସ କରୁଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତାହେଲେ ହକି ପାଇଁ ବିଶ୍ବ ବିଦିତ ସୁନ୍ଦରଗଡ଼ ହକି ଶ୍ରୀହୀନ ହେବା ଜଳଜଳ ହୋଇ ଦିଶୁଛି।

ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ତୀବ୍ର ନିନ୍ଦା କରିଛନ୍ତି। ଜିଲ୍ଲାର ହକି ପରିବେଶକୁ ଅକ୍ଷୁଣ୍ଣ ରଖିବାକୁ ଯାଇ ଏଭଳି ଅନୈତିକ ନିଷ୍ପତ୍ତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାର ପ୍ରତିଟି ବ୍ୟକ୍ତି ଭିତରେ ହକି ପ୍ରତି ଅଜସ୍ର ଶ୍ରଦ୍ଧା ଓ ସମ୍ମାନ ରହିଛି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ହକି ଖେଳ ହିଁ ପିଲାମାନଙ୍କ ପ୍ରଥମ ପସନ୍ଦ। ଏଣୁ ଜିଲ୍ଲାରେ ହକିର ବିକାଶ କରିବା ଆବଶ୍ୟକ। କିନ୍ତୁ ବରିଷ୍ଠ ହକି ଛାତ୍ରାବାସ ବନ୍ଦ କରିବା ଏବଂ ‌ହକି ଭିତ୍ତିଭୂମି ଓ ସୁବିଧା ସୁଯୋଗକୁ ବେସରକାରୀ ସଂସ୍ଥାକୁ ଟେକି ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଥିବା ନେଇ ଜିଲ୍ଲାର ବହୁ ବରିଷ୍ଠ ହକି ଖେଳାଳି ଦୃଷ୍ଟି ଆକର୍ଷଣ କରିଛନ୍ତି। ହକି ଛାତ୍ରାବାସକୁ ବନ୍ଦ କରିବା ତଥା ଅନ୍ୟତ୍ର ସ୍ଥାନାନ୍ତର କରିବା ପରିବର୍ତ୍ତେ ଏସବୁର ସାମଗ୍ରିକ ବିକାଶ କରାଯାଉ। ଯଦି ବେସରକାରୀ ସଂସ୍ଥାଗୁଡ଼ିକ ‘ହକି ପ୍ରୋମୋସନ ସେଣ୍ଟର୍‌’ ସ୍ଥାପନ କରିବାକୁ ଆଗ୍ରହୀ, ତେବେ ଭୁବନେଶ୍ବର କିମ୍ବା ଅନ୍ୟ ଜିଲ୍ଲାଗୁଡ଼ିକରେ ଏଥିପାଇଁ ଅନୁମତି ଦିଆଯାଉ। ଏହା ସହ ଉକ୍ତ ଅଞ୍ଚଳରେ କିପରି ହକିର ବିକାଶ ଘଟିବ, ଏ ଦିଗରେ ଦୃଷ୍ଟି ଦେବାକୁ ସାଂସଦ ଅନୁରୋଧ କରିଛନ୍ତି।

ଶ୍ରୀ ଓରାମ ଆହୁରି କହିଛନ୍ତି ଯେ ଭାରତୀୟ ହକି ଦଳର ପୃଷ୍ଠପୋଷକ ହେଉଛି ଓଡ଼ିଶା, ତଥାପି ହକି ଇଣ୍ଡିଆ ଦ୍ବାରା ଓଡ଼ିଆ ଖେଳାଳିମାନେ ଅଣଦେଖାର ଶିକାର ହେଉଛି। ଜାତୀୟ ପ୍ରତିଯୋଗିତାରେ ବାରମ୍ବାର ଉନ୍ନତମାନର ପ୍ରଦର୍ଶନ ସତ୍ତ୍ବେ ଓଡ଼ିଶା ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳୁନି। ଏମିତିକି ଉଦୀୟମାନ ଖେଳାଳିମାନଙ୍କୁ ଜାତୀୟ କ୍ୟାମ୍ପ୍‌ରେ ଡାକରା ବି ମିଳୁନି। ଏହାଦ୍ବାରା ବହୁ ପ୍ରତିଭାବାନ ଖେଳାଳି ନୂଆ ଇତିହାସ ରଚିବାରୁ ବଞ୍ଚିତ ହେଉଛନ୍ତି। ଜିଲ୍ଲାର ହକିର ମାନକୁ ବଜାୟ ରଖିବାକୁ ହେଲେ ‘ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ’କୁ ଭୁବନେଶ୍ବରରୁ ପୁନର୍ବାର ପାନପୋଷ କ୍ରୀଡ଼ା ଛାତ୍ରାବାସକୁ ଫେରାଇ ଆଣିବାକୁ ହେବ। ଏ ଦିଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବାକୁ ଶ୍ରୀ ଓରାମ ଦାବି ଦୋହରାଇଛନ୍ତି। ରାଜ୍ୟ ସରକାର ଜିଲ୍ଲାର କ୍ରୀଡ଼ାକୁ ନଷ୍ଟ କରିଚାଲିଥିବା ବେଳେ ଭାରତ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଅନୁରୋଧ କରିଛନ୍ତି।

ଜିଲ୍ଲାରେ ହକିର ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୮୫ ମସିହାରେ ରାଉରକେଲାରେ ପୁରୁଷମାନଙ୍କ ପାଇଁ କ୍ରୀଡ଼ା ଛାତ୍ରାବାସ ସ୍ଥାପନ କରିଥିଲେ। ଏହାର ୩ ବର୍ଷ ପରେ, ଅର୍ଥାତ୍‌ ୧୯୮୫ରେ ଏଠାରେ ମହିଳାମାନଙ୍କ ପାଇଁ ମଧ୍ୟ ଛାତ୍ରୀନିବାସ ସ୍ଥାପନ କରାଗଲା। ଏହାପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ସୁନ୍ଦରଗଡ଼ରେ ଓ ସେଲ୍‌ ପକ୍ଷରୁ ରାଉରକେଲା ହକି ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ୨୦୧୪ ମସିହା ଯାଏ ଏଠାରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ ଉନ୍ନତମାନର ପ୍ରଶିକ୍ଷଣ ଦେବା ଆଳରେ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଗଲା। ସଂପ୍ରତି ଏକାଧିକ ନିଷ୍ପତ୍ତି ନିଆଯାଇଛି, ଯଦ୍ବାରା ଜିଲ୍ଲାର କ୍ରୀଡ଼ାର ପରିବେଶ ନଷ୍ଟ ହେବାରେ ଲାଗିଛି। ଏ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ମିଳୁନି। ଏଣୁ ‘ସାଇ’ ପକ୍ଷରୁ ଜିଲ୍ଲାରେ ଆଉ ଏକ ହକି ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ଶ୍ରୀ ଓରାମ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର