ଲଣ୍ଡନ : କରୋନା ମହାମାରୀ ପ୍ରୋଟୋକଲ୍ ଉଲଂଘନ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବଞ୍ଚିତ ହୋଇଥିବା ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ପୁଣି ଏକ ଅଡୁଆରେ ପଡ଼ିଯାଇଛନ୍ତି। ଦ୍ବିତୀୟ ଟେଷ୍ଟ ପାଇଁ ଦଳ ମାଞ୍ଚେଷ୍ଟର ଯାତ୍ରା କରୁଥିଲା ବେଳେ ଆର୍ଚର ବାଟରେ ତାଙ୍କ ଘରକୁ ଯାଇ କରୋନା ପ୍ରୋଟୋକଲ୍ ଭଙ୍ଗ କରିଥିଲେ। ସେଥିପାଇଁ ମ୍ୟାଚ୍ ଦିନ ହିଁ ତାଙ୍କୁ ଦ୍ବିତୀୟ ଟେଷ୍ଟ୍ରୁ ବାଦ ଦିଆଯାଇଥିଲା। ଏହାପରେ ଦୁଇ ଥର ତାଙ୍କର କରୋନା ନେଗେଟିଭ୍ ରିପୋର୍ଟ ଆସିବା ପରେ ତୃତୀୟ ଟେଷ୍ଟ୍ ଖେଳିବାକୁ ମୁକ୍ତ ହୋଇଥିଲେ। ହେଲେ ସେ କରୋନା ପ୍ରୋଟୋକଲ୍ ଉଲଂଘନ କରିବା ପରେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିଲେ ବୋଲି କହିଥିଲେ। ଅନ୍ଲାଇନ୍ରେ ଏଭଳି ଆକ୍ଷେପକୁ ମୁଁ ଆଦୌ ବରଦାସ୍ତ କରିପାରିନି ବୋଲି ଆର୍ଚର କହିଛନ୍ତି। ତେବେ ଏଭଳି ଖୁଲାସା କରିବା ପରେ ଆର୍ଚର ଏବେ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଖେଳିବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ତେବେ ମୁଁ କିଛି କହିନଥିଲି, ବରଂ କେତେକ ଗଣମାଧ୍ୟମରୁ ଏନେଇ ସମାଲୋଚନା ସଂଗ୍ରହ କରିଥିଲି ବୋଲି ଆର୍ଚର ନିଜର ଡେଲି ମେଲ୍ ସ୍ତମ୍ଭରେ ବୁଧବାର ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ମାନସିକ ଭାବେ ୧୦୦ ପ୍ରତିଶତ ଠିକ୍ ରହିବା ଦରକାର। ଯାହାଫଳରେ କି ଚଳିତ ସପ୍ତାହରେ କ୍ରିକେଟକୁ ଫେରିବା ସହଜ ହେବ। ତଥାପି ଯଦି ମୁଁ ଖେଳେ ତାହାଲେ ଘଣ୍ଟାକୁ ୯୦ ମାଇଲ ବେଗରେ ବୋଲିଂ କରିପାରିବିନି। ଯାହାକି ଏକ ଖବର ହୋଇଯିବ ବୋଲି କହିଛନ୍ତି ଆର୍ଚର। ପୁଣି ଯଦି ବି ସେ ଫେରିନପାରନ୍ତି ତାହାଲେ ଆମ ଦଳରେ ଯଥେଷ୍ଟ ବୋଲିଂ ବିକଳ୍ପ ରହିଛି ବୋଲି ଆର୍ଚର କହିଛନ୍ତି। ଦ୍ବିତୀୟ ଟେଷ୍ଟ୍ ବିଜୟର ବିନ୍ଧାଣୀ ଷ୍ଟୁଆର୍ଟ ବ୍ରଡ୍, କ୍ରିସ୍ ୱକ୍ସ, ସାମ୍ କରନ, ପୁରୁଖା ଜେମ୍ସ ଆଣ୍ଡରସନ ଏବଂ ମାର୍କ ଉଡ୍ଙ୍କ ଭଳି ଦକ୍ଷ ବୋଲର ରହିଛନ୍ତି। ସେହିଦୃଷ୍ଟିରୁ ମୁଁ ନିଜକୁ ଶତ ପ୍ରତିଶତ ଫିଟ୍ କରିନପାରିଲେ ବୋଲିଂକୁ ଯିବାକୁ ଉଚିତ ମନେ କରିବିନି ବୋଲି କହିଥିଲେ ଆର୍ଚର।