ନୂଆଦିଲ୍ଲୀ: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)କୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଗ୍ରଣୀ ବୋଲର ଜୋଫ୍ରା ଆର୍ଚରଙ୍କୁ ଆଇପିଏଲ ୨୦୨୩ରୁ ବାଦ୍ ଦିଆଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଇଂଲଣ୍ଡ ଫେରିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଦ୍ରୁତ ବୋଲର କ୍ରିସ ଜୋର୍ଡାନଙ୍କୁ ସାମିଲ କରାଯାଇଛି।

Advertisment

ଜୋଫ୍ରା ଆର୍ଚର ୨୦୨୧ ଆରମ୍ଭରୁ ଆହତ ହୋଇଥିଲେ। ତାଙ୍କର ଗତ ୨୬ମାସ ମଧ୍ୟରେ ୬ଥର ଅସ୍ତ୍ରୋପଚାର କରାଯାଇଛି। ଆଘାତ ଏବଂ ଅସ୍ତ୍ରୋପଚାରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଜୋଫ୍ରା ଆର୍ଚରଙ୍କୁ ବର୍ତ୍ତମାନ ଇଂଲଣ୍ଡ ଫେରିବାକୁ ପଡିଛି। ମୁମ୍ବାଇ ଇଣ୍ଡିଆନ୍ସ ଏକ ବିବୃତି ଜାରି କରି କହିଛି ଯେ, 'କ୍ରିସ୍ ଜୋର୍ଡାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ୨୦୨୩ର ବାକି ଥିବା ମ୍ୟାଚ୍ ଖେଳିବେ । ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ଜୋଫ୍ରା ଆର୍ଚରଙ୍କୁ ଲାଗିଥିବା ଆଘାତ ଏବଂ ତାଙ୍କର କରାଯାଇଥିବା ଅସ୍ତ୍ରୋପଚାରରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ତାଙ୍କୁ ଫେରିବାକୁ କହିଥିଲା। ଏହ କାରଣରୁ ସେ ବର୍ତ୍ତମାନ ଇଂଲଣ୍ଡ ଫେରିଛନ୍ତି।